Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକର କୋରକୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଜଣକ ଗତକାଲି କୋଲକାତାରୁ ଫେରିଥିଲେ । ଗତକାଲି ଫେରିବା ପରେ କୋରକୋରା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ସେ ରହିଥିଲେ । ନୋଡାଲ ଅଫିସର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ସହିତ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବାର ନିଷ୍ପତ୍ତି ନିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ମଣ୍ଡଳ କାରଗାରରେ କରୋନା ଆତଙ୍କ: କ୍ୱାରେଣ୍ଟିନ୍‌ରେ ଗଲେ ଥାନା କର୍ମଚାରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରଗାରରେ କରୋନା ସଂକ୍ରମିତ ଦୁଇ କଏଦୀକୁ ନେଇ ବର୍ତ୍ତମାନ ବ୍ରହ୍ମପୁର ମଣ୍ଡଳ କାରଗାର ସହ ଜରଡ଼ା ଥାନା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଘଟଣାରୁ ପ୍ରକାଶ ଜରଡ଼ା ଥାନା ପୋଲରାଜପୁର ଗ୍ରାମରେ ଏକ ହତ୍ୟା ମାମଲା ନେଇ ଗତ 3 ତାରିଖରେ ଅଭିଯୋଗ ହୋଇଥିଲା । ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରି ମେଡ଼ିକାଲ୍ ପରୀକ୍ଷଣ ପାଇଁ ପଠାଇଥିଲା । ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯିବା ପରେ ଦୁହିଁଙ୍କୁ ମଣ୍ଡଳ କାରଗାରକୁ ବିଚାରଧୀନ ବନ୍ଦୀ ହିସାବରେ ପଠାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଜେଲ୍ ପରିସରରେ ଏବଂ ଜରଡ଼ା ଥାନାରେ ଆତଙ୍କ ଖେଳିଯାଇଛି । ଏନେଇ ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବାରୁ ସଂକ୍ରମଣର କୌଣସି ଆଶଙ୍କା ନାହିଁ । ଏପଟେ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ପ୍ରତିଷେଧକ ବ୍ୟବସ୍ଥା ନେଇ ଜରଡ଼ା ଥାନା ଏବଂ ଖାରିଆଗୁଡ଼ା ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ୧୫ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିହାରରେ ଲଜ୍ଜା : କ୍ବାରେଣ୍ଟିନ୍‌ ସେଣ୍ଟରରେ ମହିଳାଙ୍କୁ ଗଣଦୁଷ୍କର୍ମ

ପାଟନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିବା ସମୟରେ ମଧ୍ୟ ମହିଳା ମାନେ ସୁରକ୍ଷିତ ନୁହନ୍ତି । ବିହାରର ଏକ କ୍ବାରେଣ୍ଟିନ୍‌ ସେଣ୍ଟରରେ ଏଭଳି ଏକ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । 18 ବର୍ଷୀୟ ଯୁବତୀ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟର ବାହାରେ ବୁଲୁଥିବା ବେଳେ 6 ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ବିହାରର ରୋହତାସ୍‌ରେ ଏହି ଘଟଣା ଘଟିଛି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା ।

6 ଯୁବକଙ୍କ ମଧ୍ୟରୁ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ବେଳେ ନିଜ ଗ୍ରାମର ଅନ୍ୟ 4 ଜଣଙ୍କୁ ସେମାନେ ଫୋନ୍‌ କରି ଡକାଇଥିଲେ । ଛ ଅଭିଯୁକ୍ତ ବିଜୟ ଯାଦବ, ସୁରେଶ ଯାଦବ, ମୁକେଶ ଯାଦବ, ଚଞ୍ଚଲ ଯାଦବ, ଅମିତ ପାଶ୍ବାନ ଏବଂ ଚୁଲି ପାଶ୍ବାନଙ୍କୁ ଏହି ଘଟଣା ପରେ ଗିରଫ କରାଯାଇଥିବା ନେଇ ରୋହତାସ ଏସ୍‌ପି ସତ୍ୟବୀର ସିଂ ସୂଚନା ଦେଇଛନ୍ତି । ଡାକ୍ତରୀ ପରୀକ୍ଷା ପାଇଁ ଯୁବତୀଙ୍କୁ ସାସାରାମ ସଦର ହସ୍ପିଟାଲକୁ ପଠାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀଙ୍କ ଟିକେଟ ଖର୍ଚ୍ଚ ବହନ କରିବେ ସରକାର!

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଟିକେଟ ଖର୍ଚ୍ଚ ପ୍ରଦାନ କରିବେ । ତେବେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 85 ପ୍ରତିଶତ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା 15 ପ୍ରତିଶତ ଅର୍ଥ ପୈଠ କରାଯାଇଥାଏ । ତେବେ ଯଦି ପ୍ରବାସୀ ମାନେ ଅବସ୍ଥାନ କରିଥିବା ରାଜ୍ୟ ସରକାର ଟିକେଟ୍‌ ଖର୍ଚ୍ଚ ଦେବାକୁ ରାଜି ନହୁଅନ୍ତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ପରବର୍ତ୍ତୀ ସମୟରେ ପ୍ରବାସୀ ଶ୍ରମିକଙ୍କ କ୍ବାରେଣ୍ଟିନ୍‌ ପାଉଣାରୁ ଏହି ଅର୍ଥ କଟାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ ସେଣ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ପ୍ରବାସୀ ସୁରତ ଫେରନ୍ତା ମହିଳା । 6 ତାରିଖରୁ ସୁରତରୁ ଓଡିଶା ଫେରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିଲେ ଏହି ମହିଳା । ନିଜ ସ୍ଵାମୀ ଡ୍ରାଇଭର଼ ପ୍ରଧାନଙ୍କ ସହିତ ଗୁଡ଼ିଆଳି ଗ୍ରାମର ସନ୍ତୋଷିନୀ ପ୍ରଧାନ (୨୮) ଏହି କେନ୍ଦ୍ରରେ ରହୁଥିଲେ । ଏହି ମହିଳା ଜଣକ ଆଜି ୩.୫୯ ମିନିଟ୍ ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଡାକ୍ତର ସଞ୍ଜୟ କୁମାର ସାହୁ ପହଞ୍ଚି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ ।  ଉଭୟ ନବଜାତକ ଏବଂ ମା ସୁସ୍ଥଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି ।

ଏହି ପ୍ରସବ ସମୟରେ ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମାଳା, ସରପଞ୍ଚ ପ୍ରତିନିଧି ଦୀପ୍ତି ପ୍ରକାଶ ନାୟକ, ନୋଡ଼ାଲ ଅଫିସର ଦିଲ୍ଲୀପ କୁମାର ବେହେରା, ଇନ୍ ଚାର୍ଜ ପ୍ରକାଶ ଚନ୍ଦ୍ର ସେଠୀ, ଅନିତା କୁମାରୀ ପ୍ରଧାନ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ପରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ବାରେଣ୍ଟାଇନ୍‌ ଅବଧିରେ ବୃଦ୍ଧି ଘଟାଇଲେ ରାଜ୍ୟ ସରକାର : ଏଣିକି 14 ପରିବର୍ତ୍ତେ 21 ଦିନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ବଢାଗଲା କ୍ବାରେଣ୍ଟାଇନ୍‌ ଅବଧି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ଏଣିକି ପ୍ରବାସୀ ଓଡିଆ ମାନେ 14 ଦିନ ପରିବର୍ତ୍ତେ 21 ଦିନ କ୍ବାରେଣ୍ଟାଇନ୍‌ ହୋମ୍‌ରେ ରହିବେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାଥ ରେଡ୍ଡୀ ଗତକାଲି ସରକାରଙ୍କୁ କ୍ବାରେଣ୍ଟାଇନ୍‌ ଅବଧି ବଢାଇବାର ପରାମର୍ଶ ଦେଇଥିଲେ । ଆଜି ସରକାରଙ୍କ ପକ୍ଷରୁ ଏହା ବଢାଯାଇଥିବା ନେଇ ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ଯୋଗଭ୍ୟାସ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଅନ୍ୟ ସୁରତ ଫେରନ୍ତାଙ୍କ ପାଇଁ ଉଦାହରଣ ସାଜିଲେ ବେଗୁନିଆପଡା ବ୍ଲକ ସ୍ଥିତ କେ.ବରିଡା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ । ଉକ୍ତ କ୍ୱାରେନଟାଇନ ସେଣ୍ଟରରେ ପ୍ରାୟ 62 ଜଣ ସୁରତ ଫେରନ୍ତା ଥିବାବେଳେ କେ. ବରିଡା ଉର୍ଣ୍ଣିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭୋରରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ ।

କଞ୍ଚଣା ସ୍କୁଲର ଖେଳ ଶିକ୍ଷକ ମଞ୍ଜୁଲତା ଡାକୁଆ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସରପଞ୍ଚ ଚିତ୍ରସେନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ପ୍ରଧାନ ଶିକ୍ଷକ ସୁରଜିତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ଏଭଳି ଶୃଙ୍ଖଳିତ ଭାବରେ କ୍ୱାରେଣ୍ଟାଇନରେ ରହି ସାମାଜିକ ଦୂରତା ଅବଲମ୍ବନ କରି ସରକାରୀ ନିୟମ ପାଳନ କରିଥିବାରୁ ସ୍ଥାନୀୟ ପ୍ରଶାସନ ସାଧୁବାଦ ଜଣାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡି ପଳାଇବା ଘଟଣା: ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ପରେ କ୍ବାରେଣ୍ଟାଇନ୍‌କୁ ଫେରିଲେ ପ୍ରବାସୀ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା: କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରି ପଳାୟନ କରିଥିବା ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଛନ୍ତି। ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ଏବଂ ଜନତା ହାଇ ସ୍କୁଲରେ ୫୬ ଜଣ ସୁରତ ଫେରନ୍ତା ରହିଥିବା ବେଳେ ଖାଦ୍ୟପାନୀୟ ମିଳୁନଥିବା ଅଭିଯୋଗ କରି ଗେଟ୍‌ ଡେଇଁ ପଳାୟନ କରିଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଖୋଜିବାର ପ୍ରୟାସ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ବିରୋଧ କାରଣରୁ ପ୍ରବାସୀ ଶ୍ରମିକ ମାନେ ଗାଁକୁ ପ୍ରବେଶ କରି ପାରିନଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଥିବା ବେଳେ ଆହୁରି କିଛି ଶ୍ରମିକ ଏବେବି ବାହାରେ ବୁଲୁଛନ୍ତି। ଉକ୍ତ ପ୍ରବାସୀଙ୍କ ସନ୍ଧାନ ଜାରି ରହିଥିବା ଜଣାପଡିଛି।

ତେବେ କ୍ବାରେଣ୍ଟାଇନ୍‌ରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡା କରାଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମରେ ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ରେ କହିଛନ୍ତି । ଆଜି କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ମତ ଦେଇଛନ୍ତି ।

ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଉପଯୁକ୍ତ ପାସ୍‌ ନଥିଲେ କିମ୍ବା ଆସୁଥିବା ବସ୍‌ରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରାଯାଉନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍‌କୁ ମିଳିଥିବା ରୁଟ୍‌ ବ୍ୟତିରେକ ଅନ୍ୟାନ୍ୟ ରୁଟ୍‌ରେ ଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରବାସୀ ବିଶୃଙ୍ଖଳିତ ହେଲେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ବସ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ ବସ୍‌କୁ ଫେରାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରବାସୀ ଶ୍ରମିକଙ୍କ କ୍ବାରାଣ୍ଟାଇନ୍‌ ଖର୍ଚ୍ଚ ସଂପୂର୍ଣ୍ଣ ବହନ କରିବେ ସରକାର, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ଭୁବନେଶ୍ବର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନରେ ରହିବାବେଳେ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ଖାଦ୍ୟ ବାବଦକୁ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ପର୍ସନାଲ ହାଇଜିନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ। ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ। କ୍ୱାରେଣ୍ଟିନ ସେଣ୍ଟରରେ ଗୋଟିଏ ବେଡ୍ ପାଇଁ ୨ଟି ବେଡ ସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ। ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ୨ ହଜାର ଟଙ୍କା ଦିଆଯିବ।