କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡି ପଳାଇବା ଘଟଣା: ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ପରେ କ୍ବାରେଣ୍ଟାଇନ୍‌କୁ ଫେରିଲେ ପ୍ରବାସୀ

Published: May 3, 2020, 2:46 pm IST

ପିଣ୍ଟୁ ବିଷୋୟୀ
ବେଗୁନିଆପଡା: କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରି ପଳାୟନ କରିଥିବା ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଛନ୍ତି। ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ଏବଂ ଜନତା ହାଇ ସ୍କୁଲରେ ୫୬ ଜଣ ସୁରତ ଫେରନ୍ତା ରହିଥିବା ବେଳେ ଖାଦ୍ୟପାନୀୟ ମିଳୁନଥିବା ଅଭିଯୋଗ କରି ଗେଟ୍‌ ଡେଇଁ ପଳାୟନ କରିଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଖୋଜିବାର ପ୍ରୟାସ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ବିରୋଧ କାରଣରୁ ପ୍ରବାସୀ ଶ୍ରମିକ ମାନେ ଗାଁକୁ ପ୍ରବେଶ କରି ପାରିନଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଥିବା ବେଳେ ଆହୁରି କିଛି ଶ୍ରମିକ ଏବେବି ବାହାରେ ବୁଲୁଛନ୍ତି। ଉକ୍ତ ପ୍ରବାସୀଙ୍କ ସନ୍ଧାନ ଜାରି ରହିଥିବା ଜଣାପଡିଛି।

ତେବେ କ୍ବାରେଣ୍ଟାଇନ୍‌ରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡା କରାଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମରେ ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Related posts