ଚିଲିକାରେ ସରକାରୀ ନିୟମକୁ ଫୁ’– ସଟ୍‌ଡାଉନ୍‌ ନିୟମକୁ ମାନୁନାହାନ୍ତି ଖାଉଟି ଓ ମାଛ ବ୍ୟବସାୟୀ

Published: Jun 7, 2020, 1:46 pm IST

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ୧୧ ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ୪୮ ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡ଼ା ପଞ୍ଚାୟତରେ ମତ୍ସ୍ୟଜୀବୀମାନେ ଏହି ନିୟମ ମାନୁ ନଥିବା ଦେଖିବାକୁ ମିଳିଛି। ଏପରିକି ମତ୍ସ୍ୟଜୀବୀମାନେ ମାଛ ଧରି ଆଣି କୂଳରେ ବ୍ୟବସାୟ କରୁ ଥିବା ବେଳେ ସାଧାରଣ ଖାଉଟି ଓ ମାଛ ବ୍ୟବସାୟୀଙ୍କର ଭିଡ଼ ଦେଖିବାକୁ ମିଳିଛି। ଏଠାରେ ମତ୍ସ୍ୟଜୀବୀ ସରକାରଙ୍କ ଘୋଷଣାକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳିଛି।

ଆଜି ସକାଳୁ ମଧ୍ୟ ଏଠାରେ ଭିଡ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତାକୁ ଉଲ୍ଲଂଘନ କରି ଏଠାରେ ବେପାର ଚାଲିଥିବାର ଦେଖାଯାଇଥିଲା। ଏଠାରେ ମତ୍ସ୍ୟଜୀବୀ, ମାଛ ବେପାରୀ ଓ ଖାଉଟି ଭିତରେ ସାମାଜିକ ଦୂରତ୍ବ ନରଖି ସମସ୍ତେ ଭିଡ ଜମାଇ କିଣା ବିକାରେ ବ୍ୟସ୍ତ ରହିଥିଲେ। ଅପରପକ୍ଷରେ ଚିଲିକା କୂଳ ସୋରଣ ପେଣ୍ଠସ୍ଥଳୀରେ ମତ୍ସ୍ୟଜୀବୀଙ୍କ ବରଫ  ନେବାପାଇଁ ଫ୍ୟାକ୍ଟ୍ରି ଠାରେ  ଭିଡ଼ ଜମିଥିଲା। ଆଇସି ଫ୍ୟାକ୍ଟ୍ରି ମାଲିକ ମଧ୍ୟ ସାମାଜିକ ଦୂରତା ନରଖି ବେପାର କରୁଥିବାର ଦେଖାଯାଇଥିଲା। ଏଠାରେ ଖୋଲାଖୋଲି ଭାବରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଉଥିବାବେଳେ ପ୍ରଶାସନ କ’ଣ ପାଇଁ ଚୁପ୍‌ ରହିଛି ବୋଲି ପ୍ରଶ୍ନ ଉଠିଛି। ଏହି ଅଞ୍ଚଳରେ ଦୁଇଦିନିଆ ସଟଡାଉନ୍‌ ନିୟମ ବେଶ୍‌ କଡାକଡି ରୂପେ ପାଳନ ହେଉଥିବାବେଳେ ଦୋକାନ ବଜାର ବନ୍ଦ ରହିଛି। କିନ୍ତୁ ଚିଲିକା ବ୍ଲକର  ସୋରଣ ଓ ଜରିପଡ଼ା ମତ୍ସ୍ୟଜୀବୀମାନେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବାବେଳେ ପୋଲିସ୍‌ ଓ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଆଗାମୀ ସମୟ କହିବ।

Related posts