ଘର ଭାଙ୍ଗିଦେଲେ ଦୁର୍ବୁତ୍ତ: ନାଉଗାଁ ଥାନାରୁ ନ୍ୟାୟ ନମିଳିବାରୁ ଏସପିଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ପରିବାର

Published: Jun 8, 2020, 8:57 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତ ଶାଳିଜଙ୍ଗା ଆଦିବାସୀ ସାହିର ଭୁମିହିନ ଥିବା ବାବୁଲା ସିଂ ଗତ ଚାରିବର୍ଷ ପୁର୍ବେ କିଛି ଜାଗା କିଣିଥିଲେ।  ଏବେ ସେହି ଜାଗାରେ ବାବୁଲା ଘର ତୋଳୁଥିବା ସମୟରେ ତାଙ୍କ ସାହିର କିଛି ଲୋକ ଘର ନତୋଳିବା ପାଇଁ ଧମକ ଦେବା ସହିତ ତିଆରି ହୋଇଥିବା ଘରକୁ ଭାଙ୍ଗିଦେଇଥିବା ନେଇ ନାଉଗାଁ ଥାନାରେ ଅଭିଯୋଗ ହୋଇଛି। ସଙ୍ଗବଦ୍ଧ ହୋଇ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ବାବୁଲା ସିଂ ଙ୍କ କହିବା ଅନୁସାରେ ଉକ୍ତ ଘଟଣାକୁ ନେଇ ସେ ୫.୦୬.୨୦୨୦ ରେ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରୁପାୟ ହୋଇ ବାବୁଲା ସିଂ ଓ ତାଙ୍କର ପରିବାର ଲୋକେ ମିଳିତ ଭାବେ ଆଜି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ରଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ବାବୁଲା ସିଂ କୁ ଆଇନଅନୁଯାୟୀ ନ୍ୟାୟ ପ୍ରଦାନ କରିବା ସହିତ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯିବା ନିମନ୍ତେ ଉକ୍ତ ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣା ବିଷୟରେ ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁଙ୍କ ମତାମତ ନେବାରେ ଜଣାଯାଇଛି ଯେ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଆମେ ଉକ୍ତ ଜାଗା ମାପ ପାଇଁ ତହସିଲଦାରଙ୍କୁ ଅବଗତ କରିଅଛୁ ଖୁବ୍ ଶୀଘ୍ର ମାପ କରାଯାଇ ଆଇନ୍ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ନିଆଯିବ।

Related posts