ବିସ୍କୁଟ ଭାବି ଖାଇଲା ଜିଲେଟିନ୍‌ : ପାଟିରେ ବିସ୍ଫୋରଣ ଘଟି ବାଳକ ମୃତ

Published: Jun 11, 2020, 6:26 pm IST

ତ୍ରିଚି : ହାତୀ ଏବଂ ଗାଇ ପରେ ଏବେ ଜଣେ ଶିଶୁ ବିସ୍ଫୋରକ ପଦାର୍ଥ ଖାଇଛି । କେରଳ ହାତୀ ମୃତ୍ୟୁ ଏବଂ ହିମାଚଳ ଗାଇ ମୃତ୍ୟୁକୁ ଏକ ସପ୍ତାହ ନ ପୁରୁଣୁ ତାମିଲନାଡୁରେ ବିସ୍ଫୋରକ ଖାଇ ଜଣେ ଶିଶୁ ପ୍ରାଣ ହରାଇଛି । ମୃତ ଶିଶୁର ନାମ ବିଷ୍ଣୁ ଦେବ । ବିଷ୍ଣୁ ତ୍ରିଚିର ଥୋଟ୍ଟିଆମ ଅଞ୍ଚଳରେ ନିଜ ପରିବାର ସହିତ ରହିଥାଏ । ଘରେ ଜିଲେଟିନ୍‌ ଷ୍ଟିକ ରହିଥିବା ବେଳେ ବିସ୍କୁଟ୍‌ ଭାବି ଏହାକୁ କାମୁଡି ଦେବାରୁ ପାଟିରେ ବିସ୍ଫୋରଣ ଘଟିଥିଲା ଏବଂ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରାଣହାନି ଘଟିଥିଲା ।

ବିଷ୍ଣୁଙ୍କ ପିତା ଏବଂ ଭାଇ ମାଛ ମାରିବା ପାଇଁ ଏହି ଜିଲେଟିନ୍‌ ଷ୍ଟିକ୍‌ର ବ୍ୟବହାର କରନ୍ତି । ବିଷ୍ଣୁଙ୍କ ଭାଇ ମାଛ ମାରି ଆସିଥିବା ବେଳେ ବଳକା ଜିଲେଟିନ୍‌ ଷ୍ଟିକ୍‌ ଘରେ ପଡିଥିଲା । ଏହାକୁ ବିଷ୍ଣୁ ଖାଉଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କ ଭାଇ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଜିଲେଟିନ୍‌ ଷ୍ଟିକ୍‌ କିଭଳି ଆସିଲା ତାହାର ତଦନ୍ତ ଜାରି ରହିଛି । (ଏଜେନ୍ସି)

Related posts