ନାକଟିଦେଉଳ ବ୍ଲକ୍‌ର ଏକ ଗାଁର ଚିତ୍ର : ଗାଁର ମାନ୍ୟତା ପାଇ ନଥିବା ମାରୁଆଡିମୁଣ୍ଡା ଗ୍ରାମ

Published: Jun 14, 2020, 3:42 pm IST

କନ୍ଦର୍ପ ବେହେରା

ରେଢାଖୋଲ-ଗ୍ରାମାଂଚଳର ବିକାଶ ପାଇଁ ସରକାର କୋଟି  କୋଟି ଟଙ୍କା  ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ସରକାର ରାସ୍ତା, ପୋଖରୀ, ବନ୍ଧ , କଟା , ଖେଳପଡିଆ, ନଳକୁପ , ବିଜୁପକ୍କାଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି  ଯୋଜନାରେ ଅନ୍ତର୍ଭୁକ୍ତ କରି ଗ୍ରାମ ବିକାଶ ଦିଗରେ ଅର୍ଥକୁ ବିନିଯୋଗ କରୁଛନ୍ତି । ହେଲେ ସେ ଟଙ୍କା ନା ହିତାଧିକାରୀ ପାଇ ପାରୁଛି ନା ଟଙ୍କା ଗାଁକୁ ପହଂଚି ଗ୍ରାମବିକାଶରେ ଲାଗୁଛି । ଯୋଜନା କେବଳ ଯୋଜନାରେ ରହିଯାଉଛି ଓ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏମାନଙ୍କ ପାଖରେ ଜନପ୍ରତିନିଧିମାନଙ୍କର ଦେଖାମିଳୁନାହିଁ । ନିର୍ବାଚନ ସମୟରେ ଭୋଟରଙ୍କୁ ଦେଇଥିବା ଇସ୍ତାହାର କେବଳ ଶସ୍ତାକ୍ଷର ହେବାକୁ ଲାଗୁଛି ।

ଏଭଳି ଏକ ଗ୍ରାମ ରହିଛି ଯାହାକି ସରକାରୀ ଯୋଜନା କଣ ସେଠାକାର ଲୋକମାନେ ଜାଣି ନାହାନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମପଂଚାୟତର ମାରୁଆଡିମୁଣ୍ଡା । ଗାଁଟି ଏବେ ବି ରେଭେନ୍ୟୁ ଗ୍ରାମର ମାନ୍ୟତା ପାଇ ପାରିନାହିଁ। ସରକାରୀ କାଗଜ ପତ୍ର କେବଳ ସରାପାଲି ଗ୍ରାମ ଭାବରେ ରହିଛି। ସ୍ୱାଧିନତାର ବହୁବର୍ଷ ପରେ ମଧ୍ୟ ସରକାର ଏହି ପଡାକୁ ଗାଁର ମାନ୍ୟତା ଦେଇପାରିନାହାନ୍ତି । ଗ୍ରାମରେ ପାଖାପାଖି ୧୫୦ ପରିବାର ରହୁଛନ୍ତି । ଗ୍ରାମରେ ପାଖାପାଖି ୯୦% ଲୋକ ଆଦିବାସୀ ଓ ହରିଜନ ବର୍ଗର । ଏହି ଗାଁରେ ମୁଣ୍ଡା , ମାହାର , ଗଣ୍ଡ, ଖଇରା, ଲୁହୁରା,ବାରିକ ଓ ଚଷା ଜାତିର ଲୋକ ବାସ କରନ୍ତି । ଏହି ଗ୍ରାମଟି ରାସ୍ତାପାଶ୍ୱର୍ରେ ଥିଲେ ମଧ୍ୟ ଅନ୍ଧାର ଭିତରେ ରହିଯାଇଛି । ଏଭଳି ଗାଁ ଥାଇ ମଧ୍ୟ  ରାଜନେତାମାନଙ୍କର ଗୋଡ ପଡୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗାଁକୁ  ଶାସକ ଦଳ କି ବିରୋଧୀ ଦଳ ନେତାଙ୍କ ପାଦପଡୁ ନାହିଁ ।

ଗାଁ ମଝିରେ ହିଁ କଂକ୍ରିଟ୍ ରାସ୍ତା ଥିବ ବେଳେ ଅନ୍ୟପଡାକୁ କଂକ୍ରିଟ କରଣ ଏ ପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ମାହାର ସାହିରେ ନଳକୂପ ଥିଲେ ମଧ୍ୟ ନଳକୂପର ଜଳ ଦୂଷିତ ଥିବାରୁ ବ୍ୟବହାର ହେଉନାହିଁ। ଗ୍ରାମ ପାଖରେ ଥିବା ଏକ ନଳକୂପର ପାଣି ଦୂଷିତ ଯୋଗୁଁ ଲୋକମାନେ ଦୂରରେ ଥିବା ନଳକୂପରୁ ପାଣି ଆଣି ଚଳୁଛନ୍ତି । ଏହି ନଳକୂପର ପାଣି ବ୍ୟବହାର କରି ଗ୍ରାମର ସନ୍ତୋଷ ସାହୁ ନାମକ ବ୍ୟକ୍ତି କିଡନୀ ରୋଗରେ ଏବେ ବି ମୁର୍ମୁଷୁ ଅବସ୍ଥାରେ ଘରେ ପଡି ରହିଛନ୍ତି । ସରକାରୀ ସହାୟତା କହିଲେ କିଛି ନାହିଁ । ନିହାତି ଗରିବ ପରିବାର ହୋଇଥିବାରୁ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ ପାରୁନାହାନ୍ତି । ଯା ଫଳରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସନ୍ତୋଷ । ଏହି କିଡନୀ ରୋଗୀକୁ କିଛି ଆର୍ଥିକ ସାହାଯ୍ୟ କରିବାକୁ ଦାବୀ ହେଉଛି ।

ଗ୍ରାମର ସମସ୍ତ ସାହିକୁ ପକ୍କା ରାସ୍ତା ହୋଇ ପାରିନି । ସରକାର ଆଦିବାସୀ ଓ ହରିଜନ ଲୋକ ଯେଉଁଠି ବାସ କରୁଛନ୍ତି ସେ ଗାଁକୁ ପକ୍କା ରାସ୍ତା ପାଇଁ ପ୍ରାଧାନ୍ୟ ଦେଉଥିବା ବେଳେ ଏହି ଗାଁରେ ଏହା ସାତସପନ । ବର୍ଷା ହେଲେ ଗାଁ ଦାଣ୍ଡରେ ପାଣି ଜମି ଯାଉଛି । ଗାଁ ରେ ଥିବା ପୋଖରୀରେ ପାବଚ୍ଛ ନିର୍ମାଣ ହୋଇ ନ ଥିବାରୁ ଗାଁ ଲୋକମାନେ ଗାଧୋଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖରାଦିନେ ବନ୍ଧର ପାଣି ସୁଖିଯାଇଥାଏ । ସରକାର ଖେଳକୁ ଗୁରୁତ୍ୱ ଦେଉଥିବା ବେଳେ ଖେଳ ପଡିଆର ଉନ୍ନତିକରଣ କରାଯାଇନାହିଁ ।

ସରକାର ପଂଚାୟତ ତରଫରୁ ପ୍ରତି ଗାଁକୁ ଷ୍ଟ୍ରିଟ୍‌ଲାଇଟର ବ୍ୟବସ୍ଥା କରୁଥିଲେ ମଧ୍ୟ ଏହି ଗାଁରେ ସେ ସବୁର ବ୍ୟବସ୍ଥା ନାହିଁ । ରାତି ହେଲେ ଗାଁ ଅନ୍ଧକାରମୟ । ସରକାରଙ୍କ ଏହି ସବୁ ଯୋଜନା କାହାପାଇଁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଗ୍ରାମର ଅଚ୍ୟୁତ ମାହାର ,(୬୫)ଗୁଟିକା ମାହାର (୫୫)ଏବଂ ମମତା ମୁଣ୍ଡା(୪୫)ଙ୍କର ଘର ଖଣ୍ଡିଏ ନ ଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖିବା ସେମାନଙ୍କର ଭାଗ୍ୟରେ ଜୁଟିଛି । ସରକାର ପ୍ରତ୍ୟେକ ସାହିରେ ଆମ ଗାଁ ଆମ ବିକାଶ ଯୋଜନାରେ କମ୍ୟୁନିଟି ହଲ ତିଆରି କରୁଥିବା ବେଳେ ଏହି ଗାଁ ରେ ଏହା ଦିବା ସ୍ୱପ୍ନ । ଗ୍ରାମବାସୀ ଗୋଟିଏ ସ୍ଥାନରେ ବସି ସଭାସମିତି ହେଉବା ପୂଜାପାର୍ବଣ ପାଳନ କରିବାରେ  ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେବଳ ଏହି ଗାଁରେ ହାତୀ ଦେବି ଘୋଡା ଦେବି ମୋ ପେଁକାଳି ବଜେଇ ଦେବି ରାଜନୀତି ଚାଲିଛି ଆଉ କିଛି ନୁହଁ ।

ସରକାର ଏଭଳି ଅବହେଳିତ ଅବସ୍ଥାରେ ଥିବା ଗାଁ ମାରୁଆଡିମୁଣ୍ଡା ପ୍ରତି ଟିକିଏ ଧ୍ୟାନ ଦେଲେ ଗ୍ରାମାବାସୀ ଏହିସବୁ ସୁବିଧାସୁଯୋଗ ପାଇପାରନ୍ତେ । ଆଗାମୀ ଦିନରେ ଗାଁ ପ୍ରତି କୌଣସି କଥା ସରକାର ନ ଶୁଣିଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Related posts