ନ ଛୁଇଁଲେ ବି ମନ୍ଦିରରେ ବାଜିବ ଘଣ୍ଟି: ସଂକ୍ରମଣ ରୋକିବା ପାଇଁ ଆରମ୍ଭ ହେଲା ଏଭଳି ପ୍ରୟାସ

Published: Jun 14, 2020, 8:01 pm IST

ମଧ୍ୟପ୍ରଦେଶ : ଦେଶରେ ଅନଲକ୍‌ ୧.୦ ରେ କିଛି କଟକଣାକୁ କୋହଳ କରାଯାଇଛି। ଜୁନ୍‌ ୮ ତାରିଖରୁ ଭାରତର ବିଭିନ୍ନ ଅଞ୍ଚଳରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ଗତକାଲିଠାରୁ ଭୋପାଳରେ ମଧ୍ୟ ଧାର୍ମିକ ସ୍ଥଳ ଖୋଲାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ କେତେଗୁଡିଏ କରୋନା ଗାଇଡଲାଇନ ଜାରି କରାଯାଇଛି।

କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକଡାଉନ ହଟିବା ପରେ ଏବେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ମିଳିଛି। ହେଲେ ଏହିସବୁ ସ୍ଥାନରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବା ଉଚିତ। ମନ୍ଦିରରେ ଘଣ୍ଟି ନ ବଜାଇବା ଆଦି ନିୟମ ରଖାଯାଇଛି।

ଏମିତି ସମୟରେ ମଧ୍ୟପ୍ରଦେଶର ମନ୍ଦସୌରରେ ଥିବା ପଶୁପତିନାଥ ମନ୍ଦିରରେ ଏମିତି ଏକ ଘଣ୍ଟି ଲାଗିଛି ଯାହାକୁ ନ ଛୁଇଁଲେ ବି ଏହା ବାଜିବ। ଏଥିରେ ଅଟୋମେଟିକ ସେନସର ଲଗାଯାଇଛି। ଫଳରେ ଘଣ୍ଟିକୁ କେହି ନ ଛୁଇଁଲେ ବି ଏହା ବାଜିବ। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଏଭଳି କରାଯାଇଥିବା କହିଛି ମନ୍ଦିର ପ୍ରଶାସନ।

ନହୁର ଖାନ ନାମକ ଜଣେ ବ୍ୟକ୍ତି ଏହା ସ୍ଥାପନ କରିଥିବା କୁହାଯାଉଛି। ମଧ୍ୟପ୍ରଦେଶର ମନ୍ଦସୌରର ଏକ ଗ୍ରାମରେ ରହୁଥିବା ୬୨ ବର୍ଷୀୟ ନହୁର ଏପରି ଏକ ଅଭିନବ ଉପାୟ ବାହାର କରିଛନ୍ତି। ନହୁର ୟୁ ଟ୍ୟୁବ ଦେଖି କରୋନାରୁ ବଞ୍ଚିବା ପାଇଁ ସାନିଟାଇଜିଂ ପାଇଁ ମଟୋମେଟଡ ମେସିନ ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ଅନେକ ପ୍ରଂଶସା ମଧ୍ୟ ସାଉଁଟିଥିଲେ। ଏହାକୁ ନେଇ ନହୁର କହିଛନ୍ତି, କରୋନା ସଂକ୍ରମଣକୁ ରୋକିବାକୁ ସେ ଏମିତି ଏକ ଉପାୟ ଚିନ୍ତା କରିଥିଲେ। ଏହାକୁ ନେଇ ଭକ୍ତ କୁହନ୍ତି, ପୂଜା କରିବାକୁ ହେଲେ ଘଣ୍ଟି ବଜାଇବା ଜରୁରୀ ବୋଲି କୁହାଯାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି ପଶୁପତିନାଥ ମନ୍ଦିରରେ ନ ଛୁଇଁଲେ ବି ଘଣ୍ଟି ବାଜି ପାରୁଛି।

Related posts