Categories
ଆଜିର ଖବର ଜାତୀୟ ଖବର

ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଉଥରେ ଆଲୋଚନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ 3.30ରେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଆଲୋଚନା କରିବୋ । ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ପର୍ଯ୍ୟନ୍ତ ଏହି ଆଲୋଚନା କରାଯିବ । ଏହି ଆଲୋଚନାରେ ଅନଲକ୍‌ 1.0 ସମ୍ପର୍କରେ ଆଲୋଚନା କରାଯିବ ଏବଂ ହୁଏତ କେନ୍ଦ୍ର ସରକାର ଲକ୍‌ଡାଉନ୍‌କୁ ସଶକ୍ତ କରିବାର ନିଷ୍ପତ୍ତି ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନ ଛୁଇଁଲେ ବି ମନ୍ଦିରରେ ବାଜିବ ଘଣ୍ଟି: ସଂକ୍ରମଣ ରୋକିବା ପାଇଁ ଆରମ୍ଭ ହେଲା ଏଭଳି ପ୍ରୟାସ

ମଧ୍ୟପ୍ରଦେଶ : ଦେଶରେ ଅନଲକ୍‌ ୧.୦ ରେ କିଛି କଟକଣାକୁ କୋହଳ କରାଯାଇଛି। ଜୁନ୍‌ ୮ ତାରିଖରୁ ଭାରତର ବିଭିନ୍ନ ଅଞ୍ଚଳରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ଗତକାଲିଠାରୁ ଭୋପାଳରେ ମଧ୍ୟ ଧାର୍ମିକ ସ୍ଥଳ ଖୋଲାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ କେତେଗୁଡିଏ କରୋନା ଗାଇଡଲାଇନ ଜାରି କରାଯାଇଛି।

କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକଡାଉନ ହଟିବା ପରେ ଏବେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ମିଳିଛି। ହେଲେ ଏହିସବୁ ସ୍ଥାନରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବା ଉଚିତ। ମନ୍ଦିରରେ ଘଣ୍ଟି ନ ବଜାଇବା ଆଦି ନିୟମ ରଖାଯାଇଛି।

ଏମିତି ସମୟରେ ମଧ୍ୟପ୍ରଦେଶର ମନ୍ଦସୌରରେ ଥିବା ପଶୁପତିନାଥ ମନ୍ଦିରରେ ଏମିତି ଏକ ଘଣ୍ଟି ଲାଗିଛି ଯାହାକୁ ନ ଛୁଇଁଲେ ବି ଏହା ବାଜିବ। ଏଥିରେ ଅଟୋମେଟିକ ସେନସର ଲଗାଯାଇଛି। ଫଳରେ ଘଣ୍ଟିକୁ କେହି ନ ଛୁଇଁଲେ ବି ଏହା ବାଜିବ। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଏଭଳି କରାଯାଇଥିବା କହିଛି ମନ୍ଦିର ପ୍ରଶାସନ।

ନହୁର ଖାନ ନାମକ ଜଣେ ବ୍ୟକ୍ତି ଏହା ସ୍ଥାପନ କରିଥିବା କୁହାଯାଉଛି। ମଧ୍ୟପ୍ରଦେଶର ମନ୍ଦସୌରର ଏକ ଗ୍ରାମରେ ରହୁଥିବା ୬୨ ବର୍ଷୀୟ ନହୁର ଏପରି ଏକ ଅଭିନବ ଉପାୟ ବାହାର କରିଛନ୍ତି। ନହୁର ୟୁ ଟ୍ୟୁବ ଦେଖି କରୋନାରୁ ବଞ୍ଚିବା ପାଇଁ ସାନିଟାଇଜିଂ ପାଇଁ ମଟୋମେଟଡ ମେସିନ ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ଅନେକ ପ୍ରଂଶସା ମଧ୍ୟ ସାଉଁଟିଥିଲେ। ଏହାକୁ ନେଇ ନହୁର କହିଛନ୍ତି, କରୋନା ସଂକ୍ରମଣକୁ ରୋକିବାକୁ ସେ ଏମିତି ଏକ ଉପାୟ ଚିନ୍ତା କରିଥିଲେ। ଏହାକୁ ନେଇ ଭକ୍ତ କୁହନ୍ତି, ପୂଜା କରିବାକୁ ହେଲେ ଘଣ୍ଟି ବଜାଇବା ଜରୁରୀ ବୋଲି କୁହାଯାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି ପଶୁପତିନାଥ ମନ୍ଦିରରେ ନ ଛୁଇଁଲେ ବି ଘଣ୍ଟି ବାଜି ପାରୁଛି।

Categories
ଆଜିର ଖବର ରାଜ୍ୟ ଖବର

କୋହଳ ନିୟମ ଓଡ଼ିଶାରେ ଲାଗୁ ହେବ ନାହିଁ, ସନ୍ଧ୍ୟା 7ରୁ ସକାଳ 7 ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ବର : ଆଜି ଅନ୍‌ଲକ୍‌ 1.0 ଜାରି ହୋଇଛି । ତେବେ ଏହି ସମୟରେ କେତେଗୁଡିଏ କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟସରକାର । ଅନ ଲକ୍ 1.0ରେ କେନ୍ଦ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଅଧିକ କଡାକଡି କରିଛନ୍ତି । ଏହା ପୂର୍ବବର୍ତ୍ତ ସନ୍ଧ୍ୟା 7ରୁ ସକାଳ 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ରହିଛି ।

ସେହିପରି ଛେପପକାଇଲେ ଓ ମାସ୍କ ନ ପିନ୍ଧିଲେ ଅଧିକ ଜରିମାନା ଆଦାୟ କରାଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ପ୍ରଥମ ଓ ଦ୍ବିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ  500ଟଙ୍କା ଜରିମାନା ଦେବାକୁ ପଡିବ ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ 1 ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ମାସ୍କ ନ ପିନ୍ଧିଲେ ଜରିମାନା ସହ ଏପିଡେମିକ୍‌ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ । ବିନା କାରଣରେ କେହି କୁଆଡେ ବୁଲନ୍ତୁ ନାହିଁ ବୋଲି କହିଛନ୍ତି ପୋଲିସ୍‌ ଡିଜି ।

Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ଲକ୍‌ 1.0 : 11ଟି ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଟ୍‌ ଡାଉନ୍‌ କରାଯିବ

ଭୁବନେଶ୍ବର : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ କରିଛନ୍ତି । ଆଜିଠାରୁ ଅନ୍‌ଲକ୍‌ 1.0 ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ପ୍ରେସ୍‌ମିଟ୍‌ରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନୂତନ ଗାଇଡ ଲାଇନ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ଲକ୍ ଡାଉନ୍‌ କାଲି ସରିଛି । ଆଜିଠାରୁ ଅନ୍‌ଲକ୍‌ -1ଆରମ୍ଭ ହୋଇଛି । ପଜିଟିଭ୍‌ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ୍‌ କରିଛନ୍ତି । ଜୁନ୍‌ ମାସରେ  ଅଧିକ ସତର୍କ ରହିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ନିୟମ ପ୍ରଣୟନ କରାଯାଇଛି । ଏହି ଅନ୍‌ଲକ୍‌ 1.0ରେ ଓଡ଼ିଶା ସରକାର ନୂତନ ଗାଇଡଲାଇନ୍‌ ଜାରି କରାଯାଇଛି ।

ଏହି ଗାଇଡ ଲାଇନ୍‌ ଅନୁଯାୟୀ ଧାର୍ମିକ ଅନୁଷ୍ଠାନ 30 ଜୁନ୍‌ ଯାଏଁ ବନ୍ଦ ରହିବ । ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ଜୁଲାଇ 31 ଯାଏଁ ବନ୍ଦ ରହିବ । ସେହିପରି  ସପିଂ କମ୍ପ୍ଲେକ୍ସ ମଧ୍ୟ 30 ଜୁନ୍‌ ଯାଏଁ ଖୋଲିପାରିବ ନାହିଁ । 30 ପ୍ରତିଶତ କ୍ଷମତା ନେଇ ହୋଟେଲ ଖୋଲିପାରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସିନେମା ହଲ୍‌, ଜିମ୍ନାସିୟମ୍‌, ସୁଇମିଂ ପୁଲ୍‌ ବି ଜୁନ୍‌ ଶେଷ ଯାଏ ବନ୍ଦ ରହିବ।

ସଂକ୍ରମଣ ବଢିଥିବା 11ଟି ଜିଲ୍ଳାରେ ଜୁନ୍‌ ମାସ ସାରା ସପ୍ତାହକୁ  ଦୁଇଦିନ ସଟ୍‌ ଡାଉନ୍‌ କରାଯିବ । ପ୍ରତି ଶନିବାର ଓ ରବିବାର ଦିନ ରାଜ୍ୟର 11ଟି ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନସଚିବ । ଖୋର୍ଦ୍ଧା, ଗଞ୍ଜାମ, ପୁରୀ,ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ,ବଲାଙ୍ଗିର ଆଦି ଜିଲ୍ଲାରେ ସପ୍ତାହକୁ 2 ଦିନ ସଟ୍‌ ଡାଉନ୍‌ କରାଯିବ । ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦିନ ସଟ୍‌ଡାଉନ୍‌ ରହିବ । ଏହି ସମୟରେ କୌଣସି ଅଫିସ୍‌ ଖୋଲା ଯିବ ନାହିଁ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଔଷଧ ଦୋକାନ ଖୋଲା ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ ।

ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ 20 ଜଣ ଏକାଠି ହୋଇପାରିବେ । ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ 50 ଜଣ ଏକାଠି ହୋଇପାରିବେ ବୋଲି ସୂଚନା ରହିଛି।

 

Categories
ବିଶେଷ ଖବର

ତାଲା ଖୋଲିବାର ବେଳ ଓ କରୋନା ସଂକ୍ରମଣ ବଢିବାର ବେଳ, ଏକ ବିଚିତ୍ର ବିରୋଧାଭାସ

କେଦାର ମିଶ୍ର

ଜୁନ ମାସ ତିରିଶ ତାରିଖ ଯାଏ ଆପାତତଃ ତାଲାବନ୍ଦ ବା ଲକ ଡାଉନ ଅବ୍ଯାହତ ରହିଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ତାଲା ଖୋଲିବାର ପ୍ରଥମ ସୋପାନ ବା “ଲକ ଆଉଟ-୧” ବୋଲି କହିଛନ୍ତି। କ୍ରମେ କ୍ରମେ ଜୁଲାଇ ମାସରେ ଦେଶର ଆର୍ଥିକ ଗତିବିଧି ସ୍ଵାଭାବିକ ହେବାର ପ୍ରକ୍ରିୟା ଚାଲିବ ବୋଲି ସରକାର କହିଛନ୍ତି। ତେବେ ଦେଶରେ ଯେହେତୁ ଏବେ ମଧ୍ୟ ଜାତୀୟ ବିପର୍ୟୟ  ପରିଚାଳନା ଆଇନ ଏବଂ ମହାମାରୀ ଆଇନ ଲାଗୁ ହୋଇଛି, ତେଣୁ ଲକ ଆଉଟ ବୋଲି ଏହାକୁ କେମିତି କହିବା। ତେବେ ସବୁଠୁ ବିଚିତ୍ର କଥାଟି ହେଉଛି, ଯେଉଁ ଦିନ ସରକାର ଲକ ଆଉଟ ଘୋଷଣା କରୁଛନ୍ତି, ସେଦିନ ଦେଶରେ ସର୍ବାଧିକ ୮୩୮୦ ସଂକ୍ରମିତ ଏବଂ ୨୦୫ ଜଣ ମୃତ ବୋଲି ସୂଚନା ମିଳୁଛି।ଲକ ଡାଉନ ଆରମ୍ଭର ପ୍ରଥମ ତିନି ସପ୍ତାହ ସରିବା ବେଳକୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୧,୪୮୫ ଏବଂ ମୃତ୍ଯୁ ବରଣ କରିଥିବା ଲୋକ ସଂଖ୍ୟା ଥିଲା ୩୯୬। ଏପ୍ରିଲ ୧୫ ପରଠୁ ସଙ୍କ୍ରମିତଙ୍କ ସଂଖ୍ୟା ୧୫ ଗୁଣରୁ ଅଧିକ ଏବଂ ମୃତକଙ୍କ ସଂଖ୍ୟା ପ୍ରାୟ ୧୫ ଗୁଣ ବଢିଛି। ତା ସତ୍ତ୍ୱେ ଆମେ ଲକ ଡାଉନକୁ ଏକ ସଫଳ ଉପଚାର ବୋଲି କହିପାରିବା କି?

ଦେଶର ଅର୍ଥନୈତିକ ସ୍ଥିତି ଓ ସରକାରୀ ଆୟ ବ୍ୟୟର ହିସାବଖାତା ଦେଖିଲେ, ତାଲା ବନ୍ଦକୁ ଅଧିକ ସମୟ ଚଳାଇ ରଖିବାର ସାମର୍ଥ୍ୟ ଏବେ ଆଉ ସରକାରଙ୍କ ପାଖରେ ନାହିଁ। ଲୋକେ ମଧ୍ୟ ତାଲା ବନ୍ଦ ର କଟକଣା ଭିତରେ ଅସ୍ଥିର ହେଲେଣି। ତେଣୁ ବର୍ତ୍ତମାନ ସମୟରେ ତାଲା ଖୋଲିବା ଛଡା ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ତେବେ ଆଜି ପ୍ରଶ୍ନ ଉଠିବ, ଯଦି ଦୈନିକ ୮୦୦୦+ ସଂକ୍ରମଣ ସମୟରେ ଜୀବନଯାତ୍ରା ସ୍ଵାଭାବିକ ହେଉ ବୋଲି ସରକାର ଚାହୁଁଛନ୍ତି, ୧୦୦ ସଂଖ୍ୟା ବଢୁଥିବା ସମୟରେ ଲୋକଙ୍କ ଉପରେ ଜୁଲମ କରି ତାଲା ବନ୍ଦ ଘୋଷଣା କରାଗଲା କାହିଁକି? କୋଟି କୋଟି ଲୋକଙ୍କର ଜୀବନ ଓ ଜୀବିକା ର ପ୍ରଶ୍ନ ବିଷୟରେ ସରକାର ଚିନ୍ତା ନ କରି ଯେଉଁ କଟକଣା ଲାଗୁ କଲେ ତାର ସୁଫଳ କିଛି ମିଳିଛି।

ସରକାର ବିଭିନ୍ନ ସୂତ୍ର ଉଦ୍ଧାର କରି କହୁଛନ୍ତି ଯେ ଯଦି ଲକ ଡାଉନ ହୋଇ ନଥାନ୍ତା, ତାହେଲେ ହୁଏତ ଦେଶରେ ଲକ୍ଷାଧିକ ଲୋକ ମୃତ୍ୟୁ ବରଣ କରିଥାନ୍ତେ। ହୁଏତ ଏହା ଠିକ। ହେଲେ ଏ ପର୍ୟନ୍ତ  କୌଣସି ଏସୀୟ ଦେଶରେ ମୃତ୍ୟୁ ସଂଖ୍ୟା ୫୦୦୦ ହଜାର ଟପିନାହିଁ। ବର୍ତ୍ତମାନ ଏସିଆର ସବୁଠୁ ଅଧିକ ଆକ୍ରାନ୍ତ ଓ ମୃତ ବ୍ୟକ୍ତିଙ୍କର ରେକର୍ଡ ଭାରତ ପାଖରେ ରହିଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଭାରତର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପକ ହେବା ଆରମ୍ଭ କରିଛି। ଗ୍ରାମାଞ୍ଚଳରେ ଏହା ବ୍ୟାପିବା ଆରମ୍ଭ କଲେ ବାସ୍ତବ ସଂଖ୍ଯାର ଆକଳନ ଆଗକୁ ସମ୍ଭବ ହେବନାହିଁ।

ପ୍ରବାସୀ ଶ୍ରମିକଙ୍କ ଉପରେ ଲକ ଡାଉନର ବୋଝ ଲଦି ଦେଇ ଭାରତ ସରକାର ସେମାନଙ୍କର ଜୀବନ ଓ ଜୀବିକା ଉଭୟକୁ ନଷ୍ଟ କରି ଦେଇଛନ୍ତି। ବିଭିନ୍ନ ମହାନଗରୀରୁ ଗାଁକୁ ଫେରୁଥିବା ଆମର ଶ୍ରମଜୀବୀମାନେ ଏବେ ସର୍ବାଧିକ ସଂକ୍ରମଣର ଶିକାର। ଏମାନଙ୍କୁ ଆରମ୍ଭରୁ ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦେବାର ବନ୍ଦୋବସ୍ତ କେନ୍ଦ୍ର ଓ ରାଜ୍ୟ ସରକାର କଲେ ନାହିଁ। ସାମାଜିକ ଦୂରତା ରଖି ସୁରକ୍ଷିତ ରହିବାର କୌଣସି ସୁବିଧା ଆମ ଶ୍ରମଜୀବୀଙ୍କ ପାଖରେ ନଥିଲା। ସେମାନେ ଚାକିରୀ ଓ ଦରମା ହରାଇବା ପରେ ସେମାନଙ୍କୁ ଘର ମାଲିକମାନେ ବାହାର କରି ଦେଇଥିଲେ। କୌଣସି ଘର ମାଲିକ ବା ସରକାରଙ୍କ ଆଦେଶ ମାନିଥାନ୍ତା କାହିଁକି? କୋଟି କୋଟି ସଂଖ୍ୟାରେ ଏହି ଉଦବାସ୍ତୁ ଶ୍ରମଜୀବୀମାନେ ରାସ୍ତାରେ, ରେଳ ଧାରଣାରେ,ବସ ଷ୍ଟାଣ୍ଡରେ କିମ୍ବା ଅପନ୍ତରା ପଡିଆରେ ପଡିରହି ସଂକ୍ରମିତ ହେବାକୁ ବାଧ୍ୟ ହେଲେ। ଲକ ଡାଉନ ସମୟରେ ଏମାନଙ୍କ ଜୀବନ ଓ ଜୀବିକା କୁ ନେଇ କୌଣସି ଯୋଜନା ଭାରତ ସରକାର କଲେନାହିଁ।

ଭାଗ୍ୟ ଓ ଭଗବାନ ଭରସାରେ ବଞ୍ଚିଥିବା କୋଟି କୋଟି ଗରୀବ ଲୋକଙ୍କର ଦେହରେ ଏବେ କରୋନା ସଂକ୍ରମଣର ସମ୍ଭାବନା ରହିଛି। ଏବେ ଲକ ଆଉଟ ପରେ ଲୋକଙ୍କ ଚଳାଚଳ କୁ ନିୟନ୍ତ୍ରଣ କରିବା ଆଉ ସମ୍ଭବ ନୁହେଁ। ଆନ୍ତଃ ରାଜ୍ୟ ଗମନାଗମନ କଟକଣା ଉଠିଯିବା ପରେ ସ୍ଥିତି ଅଧିକ ଜଟିଳ ହେବ। ସ୍ଵାଭାବିକ ଜୀବନ ଯାପନ ପ୍ରକ୍ରିୟାରେ ସଂକ୍ରମଣ ଓ ତାର ପ୍ରସାରଣକୁ ଚିହ୍ନଟ କରିବାର ପ୍ରକ୍ରିୟା ଟି କଣ ହେବ? ସଂଖ୍ୟାଧିକ ଲକ୍ଷଣ ନଥିବା ରୋଗୀ ହୁଏତ ଆପେ ଆପେ ଆରୋଗ୍ଯ ଲାଭ କରିବେ, ହେଲେ ସେମାନଙ୍କ ମାଧ୍ୟମରେ ସଂକ୍ରମଣ ବ୍ୟାପିବ। ସବୁ କଟକଣା ସତ୍ତ୍ୱେ ଆମେ ମୃତ୍ୟୁ ସଂଖ୍ୟା କୁ ନିୟନ୍ତ୍ରଣରେ ରଖିପାରିନାହୁଁ। ଲକ ଆଉଟ ପରେ ତାକୁ ନିୟନ୍ତ୍ରଣ କରି ହେବ କେମିତି? ଯେତିକି ସଂଖ୍ୟକ ସ୍ଵତନ୍ତ୍ର କୋଭିଦ ଡାକ୍ତରଖାନା ଆମର ଅଛି, ତାହା ୫ ଲକ୍ଷରୁ ଅଧିକ ନୁହେଁ। ସେଥିରେ ଆଗାମୀ ଦିନର ବିପଦକୁ ଆମେ ସାମ୍ନା କରିବା କେମିତି?