
ପୁରୀ, ରଥଯାତ୍ରା ହେବ ବୋଲି ଆମେ ବର୍ତ୍ତମାନ ସୁଦ୍ଧା ଆଶା ରଖିଛୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଭ୍ୟୁ ପିଟିସନ ଦାଖଲ ହୋଇଛି। ସୋମବାର ଦିନ କୋର୍ଟ ଏହା ଉପରେ କିଛି ପୁନଃବିଚାର କରିପାରନ୍ତି ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଆଜି ପ୍ରାୟ ସାଢେ ତିନି ଘଣ୍ଟା ଧରି ଛତିଶା ନିଯୋଗ ବୈଠକ ପରେ ଗଜପତି ଏହା କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ସରକାର ଏହାର ପୁନଃବିଚାର ପାଇଁ ପକ୍ଷ ରଖନ୍ତୁ। ବିଭିନ୍ନ ଅନୁଷ୍ଠାନ ତରଫରୁ ପିଟିସନ ଦାଖଲ କରାଯାଇଛି। ଶନି ଓ ରବିବାର ଛୁଟି ଥିବାରୁ ସୋମବାର ଦିନ କୋର୍ଟ ତାଙ୍କ ରାୟକୁ ସଂଶୋଧନ କରିପାରନ୍ତି ବୋଲି ଗଜପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୁପ୍ରିମକୋର୍ଟରେ ଯେପରି ରଥଯାତ୍ରା ନେଇ ତଥ୍ୟ ଉପସ୍ଥାପନା କରାଗଲା ତାହା ଠିକ ନ ଥିଲା ବୋଲି ଗଜପତି କହିଛନ୍ତି। ରଥଯାତ୍ରା ବେଳେ 10 ରୁ 12 ଲକ୍ଷ ଭକ୍ତ ଯୋଗଦେବେ ବୋଲି କହିବା ଭୁଲ ଥିଲା। ଏଥର ରଥଯାତ୍ରା ବିନା ଭକ୍ତର କରାଯାଉ ବୋଲି କେହି ବି ଯୁକ୍ତି କଲେ ନାହିଁ। ଫଳରେ କୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଶୁଣାଇ ଦେଲେ। ତେବେ ମନ୍ଦିର ପରିସରରେ କିପରି ରଥଯାତ୍ରା ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା ଆଲୋଚନା ଚାଲିଛି। ତଥାପି ଆମେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିଛୁ ବୋଲି ଗଜପତି କହିଛନ୍ତି।