ବାଲ୍ୟବିବାହ ରୋକିବାରେ ସଫଳ ହେଲା ଚାଇଲଡ୍ ଲାଇନ୍‌

Published: Jun 28, 2020, 9:22 pm IST

କନ୍ଦର୍ପ ବେହେରା
ରେଢାଖୋଲ: ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି। ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି। ଏମିତି ଏକ ଘଟଣା ଘଟିଛି ଯାହାକି କମ୍ ବୟସର ବାଳିକାକୁ ବାପଘର ବାହାଘର କରିଦେବା ସମୟରେ ଚାଇଲଡ୍ ଲାଇନ୍ ଦ୍ୱାରା ଧରା ପଡି ଶେଷରେ ବାହାଘର ବନ୍ଦ ହେବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ।

ପ୍ରକାଶ ଯେ, ରେଢାଖୋଲ ସବ୍‌ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନଙ୍କ ସହ ହେବାର ଥିଲା। ବରପକ୍ଷ ମଧ୍ୟ ପହଂଚି ସାରିଥିଲେ। ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍ ସହାୟତାରେ ଶିଶୁ କନ୍ୟାର ଘରକୁ ଯାଇ ନାବାଳିକାର ବାପା ଓ ମାଆଙ୍କୁ ଝିଅଟିର ବୟସ ପ୍ରମାଣ ପତ୍ର ମାଗିଥିଲେ ହେଲେ ଝିଅର ବାପା ଓ ମାଆ କୌଣସି ପ୍ରମାଣ ପତ୍ର ଦେଇ ପାରି ନ ଥିଲେ। ଝିଅର ଆଧାର କାର୍ଡ ଅନୁଯାୟୀ ୧୬ ବର୍ଷ ୧୦ ମାସ ହେଉଥିବା ସୂଚନାମ ମିଳିଥିଲା। ଝିଅର ବାପା ଓ ମାଆଙ୍କୁ ବୁଝା ସୁଝା ପରେ ବାଲ୍ୟ ବିବାହ କୁ ରୋକାଯାଇ ପାରିଥିଲା।

ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଗ୍ରାମାଂଚଳର ଲୋକମାନେ ସଚେତନତାର ଅଭାବ ଯୋଗୁଁ ଝିଅକୁ ବାହାଘର କରିଦେଉଥିବା ନିତିଦିନିଆ ଘଟଣା ହୋଇଗଲାଣି। ଆଜି ଝିଅର ବାପା ଓ ମାଆ ତଥା ବର ପକ୍ଷ ଏକ ଚୁକ୍ତିନାମା ଲେଖିଦେବା ପରେ ଝିଅର ବାହାଘରକୁ ବନ୍ଦ କରିଦିଆଯାଇଥିଲା। ଏଥିରେ ଚାରମାଳ ଚାଇଲଡ୍ ଲାଇନ୍ ର କର୍ମକର୍ତ୍ତା ତଥା ଚାରମାଳ ଥାନା ସହଯାଗ କରିଥିଲା। କନ୍ୟାପକ୍ଷ ମଧ୍ୟ ପ୍ରଶାସନ ଠାରୁ ଏହି ବାହାଘର ସଂପର୍କରେ କୌଣସି ଅନୁମତି ପତ୍ର ଆଣି ନଥିଲେ ବୋଲି ଜଣା ପଡିଛି।

Related posts