ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତରେ ଖେଳପଡିଆ ନିର୍ମାଣକୁ ନେଇ ବିବାଦ

Published: Jul 2, 2020, 12:36 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକ୍‌ ଭବାନୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲେଡ଼ିହ ଗ୍ରାମରେ ସରକାରଙ୍କ ତରଫରୁ ଏକ ଖେଳପଡିଆ ପାଇଁ ପ୍ରକଳ୍ପ ମଂଜୁର ହୋଇଛି  । ବର୍ତ୍ତମାନ ଉକ୍ତ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଗ୍ରାମର ଏକ ଘରୋଇ ବିଦ୍ୟାଳୟର ପରିସର ମଧ୍ୟରେ ଚାଲୁଥିବାର ଅଭିଯୋଗ ହେଉଛି  । ଏହାକୁ ନେଇ ଵାଲେଡ଼ିହ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ମାନେ ବାଣପୁର ବି.ଡ଼ି.ଓ, ବ୍ଲକ ଅଧ୍ୟକ୍ଷା, ତେର ନମ୍ବର ଜୋନ ଜିଲ୍ଲା ପରିଷଦ, ଭବାନୀପୁର ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ  ଦୃଷ୍ଟି ଆକର୍ଷଣ କରିବା ସହ ଏବଂ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଛନ୍ତି । ଦୁଇଦିନ ପୂର୍ବରୁ ଏହାକୁ ନେଇ ବିଭିନ୍ନ ବାଦ ବିବାଦ ସୃଷ୍ଟି ହେବାରୁ ବାଧ୍ୟହୋଇ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଏବଂ ବେସରକାରୀ ଜମିରେ କିପରି ସରକାରୀ ଖେଳ ପଡିଆ ନିର୍ମାଣ ହେଉଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ ।

ଅଭିଯୋଗ ମୁତାବକ କିଛି ଦିନତଳେ ଉକ୍ତ ଘରୋଇ ବିଦ୍ୟାଳୟ ପରିସରରେ କସରତ କରିବାକୁ ନେଇ ଗ୍ରାମର ଯୁବକମାନଙ୍କ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଯୁବକ ମାନଙ୍କୁ ବିଦ୍ୟାଳୟ ପରିସରରେ ପ୍ରବେଶ ପାଇଁ ବାରଣ କରିଥିଲେ ।ତେଣୁ ବର୍ତ୍ତମାନ ଯେତେବେଳେ ସରକାରୀ ଖେଳପଡିଆ ନିର୍ମାଣ କାର୍ଯ୍ୟ ବେସରକାରୀ ଜମିରେ ହେଉଛି ଗ୍ରାମବାସୀ ଓ ଯୁବକମାନେ ବ୍ଲକ ପ୍ରଶାସନର ସ୍ୱଚ୍ଛତା ଉପରେ ଅଙ୍ଗୁଳି ଉଠାଇଛନ୍ତି । ଘଟଣାକୁ ଗୁରୁତର ସହ ନେଇ ବାଣପୁର ବି.ଡ଼ି.ଓ ଏହାର ତଦନ୍ତ ପାଇଁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ଗତ ଜୁନ୍‌ 30 ତାରିଖ ଦିନ ନିର୍ଦେଶ ଦେଇଥିବା ବେଳେ ଗତକାଲି ବ୍ୟକ୍ତିଗତ ଭାବେ ନିର୍ମାଣ ଚାଲୁଥିବା ସମ୍ପୃକ୍ତ ଅଞ୍ଚଳକୁ ପରିଦର୍ଶନ କରିଥିବାର ସୂଚନା ରହିଛି ।

Related posts