ବାହା ହେବାକୁ ଆସିଲେ ବି 14 ଦିନ କ୍ବାରେଣ୍ଟାଇନ୍‌ରେ ରହିବେ ବର : ଜାଣନ୍ତୁ ଓଡ଼ିଶାର କେଉଁ ସହରର କରାଯାଇଛି ଏହି ନିୟମ

Published: Jul 5, 2020, 1:11 pm IST

ରାଉରକେଲା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କ୍ବାରେଣ୍ଟିନ୍‌ ନିୟମ କଡାକଡି ନେଇ ସ୍ପଷ୍ଟ କରିଛି ପ୍ରଶାସନ । ପୂର୍ବରୁ ଅନ୍ୟ ଜିଲ୍ଲାମାନଙ୍କୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ 14 ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଗତକାଲି 14ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲଗାଯାଇଥିଲା । ଏହି ଜିଲ୍‌ଲା ଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ଅତିରିକ୍ତ ଜିଲ୍ଲାପାଳ ଗତକାଲି ସୂଚନା ଦେଇଥିଲେ ।

ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି 5 ଘଣ୍ଟା ପାଇଁ ଗଲେ ବି ସେଠାରୁ ରାଉରକେଲାକୁ ଫେରିଲା ପରେ କ୍ୱାରେଣ୍ଟିନ୍‌ରେ ରହିବେ। ରେଜିଷ୍ଟ୍ରେସନ ପରେ 14ଦିନ ପାଇଁ କ୍ୱାରେଣ୍ଟିନ୍‌ରେ ରହିବେ। ସେହିପରି ଏହି 14 ଜିଲ୍ଲାରୁ ୭୨ ଘଣ୍ଟା ପାଇଁ ରାଉରକେଲା ଆସିଲେ କ୍ୱାରେଣ୍ଟିନ୍‌ ଅନାବଶ୍ୟକ। ତେବେ ବାହାର ଜିଲ୍ଲାରୁ ଆସୁଥିବା ଲୋକେ କାହା ସହ ନ ମିଶି ନିଜ କାମ ସାରି ଫେରି ଯିବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ କରୋନା ସ୍ଥିତି ବେଶ୍‌ ସଂକଟଜନକ ଅବସ୍ଥାରେ ଥିବାରୁ କୋଭିଡ୍‌ ନିୟମକୁ ବେଶ୍‌ କଡାକଡି କରାଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9000 ଟପିଥିବାବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି ।

Related posts