ମାଛ ମାରୁଥିବା ସମୟରେ ଭାସିଗଲେ ଭୀମସେନ ଏ ଯାଏଁ ମିଳିନି ଶବ

Published: Jul 6, 2020, 9:22 pm IST

କନ୍ଦର୍ପ ବେହେରା
ରେଢାଖୋଲ: ପହିଲି ଆଷାଢରେ ବର୍ଷା ହେଉଥିଲା ଜୋରଜାର। ପ୍ରଥମ ବର୍ଷାରେ ମାଛ ମାରିବାର ଯେଉଁ ଆନନ୍ଦଥାଏ ତାକୁ ଉପଭୋଗ କରିବା ପାଇଁ କଦଳିଗଡ ପଂଚାୟତର ସମାସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ(୬୦) ହାତରେ ଜାଲ ଧରି ବାହାରି ପଡିଲେ ମାଛ ମାରିବା ପାଇଁ କେରାଣ୍ଡି ଜୋରକୁ। ଆନନ୍ଦ ମନରେ ମାଛ ମାରୁଥିବା ସମୟରେ ନିଜର ଅଜାଣତରେ କେରାଣ୍ଡି ଜୋରର ପ୍ରଖର ସ୍ରୋତରେ ଭାସିଗଲେ ଯେ, ଆଜିଯାଏ ତାଙ୍କର ମୃତ ଦେହ ମିଳିପାରିଲା ନାହିଁ। ଏ ଘଟଣା ଟି ଘଟିଛି ଗତ ଜୁନ୍ ମାସ ୨୧ ତାରିଖରେ। ଘଟଣାର ପାଂଚ ଦିନ ପରେ ଧରିଥିବା ମାଛ ଜାଲ କୁ କେବଳ ଜୋରର କୈାଣସି ଏକ ଗଛର ଚେରରେ ଲାଗିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାକୁ ଆଧାର କରି ଗ୍ରାମବାସୀ ସେ ମରିଯାଇଥିବା ସନ୍ଦେହରେ ତାଙ୍କ ପରିବାରକୁ ଶୁଦ୍ଧିକ୍ରିୟା କରିବାକୁ ପଡିଛି। ସ୍ୱାମୀର ମୃତ ଦେହ ମିଳି ନ ଥିଲେ ମଧ୍ୟ ସ୍ତ୍ରୀର ମଥାରୁ ସିନ୍ଦୁର ପୋଛିବାକୁ ପଡିଛି। ସମାଜ କଟକଣା ଯୋଗୁଁ ପରିବାର କ୍ରିୟାକର୍ମ କରିବାକୁ ବାଧ୍ୟ ହୋଇଛନ୍ତି।

ମୃତ ଭୀମସେନ ଯେଉଁ ଦିନ ଠାରୁ ନିଖୋଜ ଥିଲେ ରେଢାଖୋଲ ଦମକଳ ବାହିନୀ, ଗାଁ ଲୋକେ, ପୁଲିସ୍ ବାହିନୀ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ଶବ ମିଳିପାରି ନ ଥିଲା। ବର୍ତ୍ତମାନ ସେଇ ଜୋରରେ ବହୁତ ପାଣି ଆସୁଥିବାରୁ ଭୀମସେନର ଏ ପର୍ଯ୍ୟନ୍ତ କୈାଣସି ଖୋଜଖବର ମିଳିପାରି ନାହିଁ। ଶବ ନ ମିଳିଲେ ମଧ୍ୟ ବାଧ୍ୟ ହୋଇ ପରିବାର ଲୋକେ ଶୁଦ୍ଧିକର୍ମ କରିଥିବା ଭଳି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶବ ନ ପାଇ ମଧ୍ୟ ସ୍ତ୍ରୀ ମଥାର ସିନ୍ଦୁର ପୋଛିବାକୁ ବାଧ୍ୟ ହୋଇଛି। ଏପରିକି ନିଜ ପୁଅ ମାନେ ମଧ୍ୟ ଲଣ୍ଡା ହେବାକୁ ବାଧ୍ୟ ହୋଇଛନ୍ତି।

Related posts