ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଆଶ୍ୱସ୍ତି

Published: Mar 13, 2019, 2:07 pm IST

ଜାତିଆଣ ଆକ୍ଷେପ  ମନ୍ତବ୍ୟ ମାମଲାରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ୨୦୧୦ ମସିହାରେ ଦାମୋଦର ରାଉତ ଜଗତସିଂହପୁର ଜିଲ୍ଲାରେ ଏକ ସାଧାରଣ ସଭାରେ  ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ସଭାରେ ସେ ବିଜେଡ଼ି ନେତା ବିଷ୍ଣୁ ଦାସ ଓ ଜିଲ୍ଲାର ଦୁଇଜଣ ଅନୁସୂଚିତ ଜାତି ବର୍ଗର ଅଧିକାରୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିଲେ ।  ଏହି ଘଟଣାରେ ଜଗତସିଂହପୁର ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ଦାମୋଦର ରାଉତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଦାମୋଦାର ରାଉତ ଦେଇଥିବା ଭାଷଣର ଭିଡ଼ିଓ ରେକର୍ଡିଂ କୁଜଙ୍ଗ ଥାନାରେ ଦାଖଲ କରାଯାଇଥିଲା । ଏପରିକି ଜାତୀୟ ଅନୁସୂଚିତ ଜାତି  ଓ ଜନଜାତି କମିଶନଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ଦାମୋଦର ରାଉତଙ୍କ ଆକ୍ଷେପ ମୂଳକ ମନ୍ତବ୍ୟକୁ ନେଇ  ମନୋଜ ଭୋଇ ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏହି ମାମଲାକୁ ଖାରଜ କରିବା ପାଇଁ ଦାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରି ଦେଇଛନ୍ତି।

Related posts