ଚିଲିକା ବ୍ଲକ ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କୁ କରୋନା: ସୂଚନା ଦେବାରେ ପ୍ରଶାସନର ବିଳମ୍ବତା

Published: Jul 10, 2020, 2:41 pm IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଥିବାବେଳେ କରୋନା ଯୋଦ୍ଧାମାନେ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ କରୋନା ଯୋଦ୍ଧାଙ୍କୁ ନେଇ ସ୍ଥାନୀୟ ପ୍ରଶାସନ କେତେ ଦୂର ଯତ୍ନଶୀଳ, ତାହା ପ୍ରଶ୍ନର ବିଷୟ ପାଲଟିଛି ।  ଖୋର୍ଦ୍ଧା ଜିଲ୍ଲାର ଜଣେ କରୋନା ଯୋଦ୍ଧା ତଥା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଏହାର ସୂଚନା  ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ପାଖରେ ନାହିଁ ।

ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକ  ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଟିଏମ୍ସିରେ କାର୍ଯ୍ୟରତ ଥିଲେ । ଗତ ଜୁଲାଇ 6 ତାରିଖରେ ସେ ଜ୍ବର ଥଣ୍ଡାରେ ପୀଡ଼ିତ ହେବା ପରେ ଏମ୍‌ସ ହସ୍ପିଟାଲକୁ ଚିକିତ୍ସା ନିମେନ୍ତ ଆସିଥିଲେ । କିନ୍ତୁ ତାଙ୍କୁ ସେଠାରୁ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବାର ସୂଚନା ଦେଇଛନ୍ତି ସରପଞ୍ଚ । ସରପଞ୍ଚ ଜଣକ ବ୍ୟକ୍ତିଗତ ସୂତ୍ରରୁ ସମ୍ପୃକ୍ତ କୋଭିଡ୍‌ ଯୋଦ୍ଧା ଜଣକ କରୋନାରେ  ଆକ୍ରାନ୍ତ ହୋଇଥିବାର ସୂଚନା ଜାଣିବା ପରେ ସ୍ଥାନୀୟ ପ୍ରଶାସନ ଏହି ତଥ୍ୟକୁ ସ୍ବୀକାର କରିଛି । ତେବେ କୋଭିଡ୍‌ ଯୋଦ୍ଧାଙ୍କ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଡେରିରେ ତଥ୍ୟ ଦେବାକୁ ନେଇ ସରପଞ୍ଚଜଣକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Related posts