ଜଗତସିଂହପୁରରେ କ୍ଷୁଦ୍ର ଲୋକ ଅଦାଲତ, ଧୀରଜଙ୍କ ଦୁର୍ଘଟଣା ଜନିତ ମୃତ୍ୟୁର କ୍ଷତିପୂରଣ ପାଇଲେ ପତ୍ନୀ ଓ କନ୍ୟା

Published: Jul 10, 2020, 5:58 pm IST

ରମେଶ ମହାନ୍ତି

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଆଜି (ଶୁକ୍ରବାର) ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ ଦୁର୍ଘଟଣା ଜନିତ ମୃତ୍ୟୁର ମକଦ୍ଦମାର ପରିଚାଳନା କରିଥିଲେ।

ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ ଏହି ଲୋକ ଅଦାଲତରେ ସୁପରିଚାଳନା କରିଥିଲେ ଏବଂ ସରକାର ଦ୍ୱାରା ନିର୍ଦ୍ଧାରିତ କରୋନା ପାଇଁ ଥିବା ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କଟକଣାର ସମ୍ପୂର୍ଣ୍ଣ ଭାବେ ଅନୁପାଳନ ପୂର୍ବକ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରସିକ୍ୟୁଟର୍ ନଳିନୀ ରଞ୍ଜନ ମହାରଣା ଓ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ବେଞ୍ଚ ସଭ୍ୟା ଭାବରେ ମୋକଦ୍ଦମା ପରିଚାଳନା କରିଥିଲେ।

ସେହିପରି ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଭୂୟାଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାରେ ସମାଜସେବୀ ସୁଷମା ପ୍ରଧାନ ଓ ଆଇନଜୀବୀ ଧିରେନ୍ଦ୍ର ନାଥ ଆଚାର୍ଯ୍ୟ ବେଞ୍ଚ ସଭ୍ୟ ଭାବରେ ମୋକଦ୍ଦମାର ପରିଚାଳନା କରିଥିଲେ। ସମୁଦାୟ ୨୨ଟି ମାମଲାର ସଫଳତା ସହିତ ଫଇସଲା ହେବା ସହ ୯୭,୮୦,୦୦୦ ଟଙ୍କା ଆଦାୟ କରାଯାଇଛି।ଏଥିସହିତ ଆଜି ମୃତ ଧିରଜ ନାୟକଙ୍କ ଦୁର୍ଘଟଣା ଜନିତ କ୍ଷତିପୂରଣ କେସ୍ ରେ ରିଲାଏନ୍ସ ଜେନେରାଲ ବୀମା କମ୍ପାନୀ ଦ୍ଵାରା ୭ଲକ୍ଷ ୯୦ହଜାର ଟଙ୍କାର ଚେକ୍ ମୃତ ଧିରଜ ନାୟକଙ୍କ ପତ୍ନୀ ତୁଳସୀ ନାୟକ ଓ ଏକମାତ୍ର କନ୍ୟା ତନିସା ନାୟକ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ହୋଇ ମାନ୍ୟବର ଜିଲ୍ଲାଜଜ୍ ଏବଂ ଅନ୍ୟ ବେଞ୍ଚ ସଦସ୍ୟମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ।

Related posts