ଛିଡୁନି ମହାନଦୀ ଜଳ ବିବାଦ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କଲେ ଟ୍ରିବ୍ୟୁନାଲ

Published: Jul 11, 2020, 3:05 pm IST

ନୂଆଦିଲ୍ଲୀ : ଛିଡୁନି ମହାନଦୀ ଜଳ ବିବାଦ। ଆପୋସ ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କରିଛନ୍ତି ଟ୍ରିବ୍ୟୁନାଲ। ସବୁ ପକ୍ଷରୁ ଦାବି ଶୁଣିବା ପରେ 40ରୁ 45ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ମହାରାଷ୍ଚ୍ର ଏ ନେଇ ଟ୍ରିବ୍ୟୁନାଲରେ ଆଜି ନିଜ ନିଜର ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଆଉ କିଛି ଅତିରିକ୍ତ ଦସ୍ତାବିଜ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି।

ଛତିଶଗଡ଼ କେନ୍ଦ୍ରଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣୀ ବେଳେ ଯଦି କିଛି ଇସ୍ୟୁ ଆସିବ ତାହା ମଧ୍ୟ ଫ୍ରେମ୍ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ 8 ତାରିଖ ଧାର୍ଯ୍ୟ ହୋଇଛି।

Mahanadi Water Dispute: Odisha, Chhattisgarh To Conduct Second ...

ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ହୋଇଥିଲେ ବି କୌଣସି ପ୍ରକାର ସହମତି ହୋଇପାରି ନାହିଁ। ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା। ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ।

ଇତିମଧ୍ୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲ୍ୟୁବି) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ଠାରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବୁନାଲରେ ଆବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୧୨ଟି ଶୁଣାଣି କରିସାରିଛନ୍ତି। ହେଲେ ଟ୍ରିବ୍ୟୁନାଲଙ୍କ ଦ୍ବାରା କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। ଗତବର୍ଷ ମାର୍ଚ୍ଚରୁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି। ଆପୋସ ବୁଝାମଣା ଦ୍ବାରା ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେବା ପରେ ଦୁଇ ରାଜ୍ୟ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।

Related posts