ବିଲ୍‌ କରିଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଜିଗଡ ଜିପିଟିଏ

Published: Jul 12, 2020, 2:20 pm IST

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଂଜିଗଡ ବ୍ଲକରେ କାର୍ଯ୍ୟରତ ଜିପିଟିଏ ସୁବ୍ରତ କୁମାର ମଲ୍ଲିକ ବିଲ୍‌ କରିଦେବାକୁ ୩୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଲାଂଜିଗଡ ବ୍ଲକ ଅନ୍ତର୍ଗତ କୁମଖାଲ ଗ୍ରାମପଂଚାୟତ ଅଧିନସ୍ଥ ସୋରିଶପଦର ଗ୍ରାମର ଏକ ପୋଖରୀର ୨ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳରେ ପଙ୍କୋଦ୍ଧାର କାମ କରିସାରିବା ପରେ କାମ ତଦାରଖ କରୁଥିବା ଗୌତମ ନାଗ ନାମକ ବ୍ୟକ୍ତି ବିଲ କରିଦେବାକୁ ସଂପୃକ୍ତ ଗ୍ରାମ ପଂଚାୟତ ବୈଷୟିକ ସହାୟକ (ଜିପିଟିଏ) ସୁବ୍ରତ କୁମାର ମଲ୍ଲିକଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ସେନାପତି ମଙ୍ଗରାଜଙ୍କ ସୁପାରିଶରେ ଗୌତମ ନାଗ ଉକ୍ତ କାର୍ଯ୍ୟ ତଦାରଖ କରୁଥିବା ବେଳେ ଏବଂ କାମ ସରିବା ପରେ ବିଲ କରିବାକୁ ସମସ୍ତ କାଗଜାତ କରିଥିବା ବେଳେ ଜିପିଟିଏ ଏଭଳି ଭାବେ ୩୩ ହଜାର ଟଙ୍କା ଦାବୀ କରିବାରୁ ଏବଂ ଟଙ୍କା ଆଗତୁରା ନଦେଲେ ବିଲ କରିବି ନାହିଁ ବୋଲି କହିବାରୁ ଗୌତମ ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ। କୋରାପୁଟ ଭିଜିଲାନ୍ସ ବିଭାଗ ତରଫରୁ ଏହି ଘଟଣାର ସତ୍ୟାସତ୍ୟ ଉପଲବ୍ଧି କରିବା ସହିତ ଭବାନୀପାଟଣା ଭିଜିଲାନ୍ସ ଡିଏସପିଙ୍କ ତତ୍ତ୍ବାବଧାନରେ ଯୋଜନା ମୁତାବକ ଗତ ଶୁକ୍ରବାର ଦିନ ଗୌତମ ନାଗ ସଂପୃକ୍ତ ଜିପିିଟିଏଙ୍କୁ ୩୩ ହଜାର ଟଙ୍କା ଲାଂଚ ଦେବା ସମୟରେ ଘଟଣା ସ୍ଥଳରେ ହିଁ ଧରିଥିଲେ।

ଦୁଇଲକ୍ଷ ଟଙ୍କାର ବିଲ୍‌ ପାଇଁ ୩୩ ହଜାର ଟଙ୍କା ଦାବି କରୁଥିବା ଏହି ଜିପିଟିଏ ପୋଖରୀବନ୍ଧ ଓ କୁମଖାଲ ଗ୍ରାମପଂଚାୟତର ଦାୟିତ୍ୱରେ ଥିବା ହେତୁ ସେହି ଗ୍ରାମ ପଂଚାୟତ ଗୁଡିକରେ କେତେ ଟଙ୍କାର କାର୍ଯ୍ୟ ହୋଇଛି ଏବଂ ସେହି କାର୍ଯ୍ୟ ପାଇଁ କେତେ ଟଙ୍କାର ଲାଂଚ ନେଇଛନ୍ତି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Related posts