ଦେଢ଼ ମାସ ପରେ ସାଉଦି ଆରବରୁ ଚିଲିକାକୁ ଫେରିଲା ଶ୍ରମିକଙ୍କ ଶବ

Published: Jul 12, 2020, 4:02 pm IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଶେଷରେ ସମସ୍ତ ଅପେକ୍ଷାରେ ଅନ୍ତ ଘଟିଛି । ପ୍ରାୟ ଦେଢ ମାସ ପରେ ସୁଦୂର ସାଉଦିରୁ ଗାଁରେ ପହଞ୍ଚିଲା ବାବୁଲାଙ୍କ ମରଶରୀର । ବୁକୁଥରା ଚିତ୍କାରରେ ଫାଟିଲା ହରିକୁଣ୍ଡ ବରଡି ଗାଁ ଦାଣ୍ଡ । ଲକ ଡାଉନ ଫଳରେ ଶେଷଦର୍ଶନ ଲାଗି ବ୍ୟାକୁଳ ପରିବାରର ମଉଳି ଯାଇଥିବା ଆଶା ପୁଣି ସତ ହେଲା । କୋଭିଡ କଟକଣା ମଧ୍ୟରେ ଶେଷରେ ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ହେଲା ବାବୁଲାଙ୍କ ମରଶରୀର ।

ମିିଳିଥିବା ସୂଚନା ଅନୁସାରେ,  ଚିଲିକା ବ୍ଳକ କୁମାଣ୍ଡୋଳପାଟଣା ପଞ୍ଚାୟତର ହରିକୁଣ୍ଡବରଡି ଗ୍ରାମର ବାବୁଲା ଜେନା ଗତ ନଅ ବର୍ଷ ହେଲା ସାଉଦି ଆରବସ୍ଥିତ ନାସିର ଅଲ ହାଜରି କମ୍ପାନୀରେ କାର୍ଯ୍ୟରତ ଥିଲେ । ହଠାତ ଗତ ମେ ମାସ ୨୪ତାରିଖରେ ସେଠାରେ କାମ କରୁଥିବା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ତାଙ୍କର ମୃତ ଖବର ପରିବାରକୁ ଜଣେଇଥିଲେ । କମ୍ପାନୀ ତରଫରୁ ଏବିଷୟରେ କିଛି ପୃଷ୍ଟି ନହେବାରୁ ତାଙ୍କ ସାନ ଭାଇ ରାଜୁ ଅଞ୍ଚଳର ସାମାଜିକ କାର୍ଯ୍ୟକର୍ତ୍ତା ଲଲାଟେନ୍ଦୁ ଶତପଥୀଙ୍କ ସହଯୋଗ ଲୋଡ଼ିଥିଲେ । କିନ୍ତୁ ପରିବାର ପାଖେ ପାସପୋର୍ଟ ନମ୍ବର ତଥା ଭିସା କାଗଜ ନଥିବା ହେତୁ ବିଳମ୍ବ ହୋଇଥିଲା । କମ୍ପାନୀର ବିଭିନ୍ନ ଲୋକଙ୍କ ସହ କଥା ହୋଇ ପୁରୁଣା ପାସପୋର୍ଟ ନମ୍ବର ମିଳିବା ପରେ ସାଉଦି ଆରବରେ ହେଇଥିବା ତାଙ୍କ ନୂଆ ପାସପୋର୍ଟ ନମ୍ବର ମିଳିପାରିଥିଲା । ଏହାକୁ ନେଇ ବୈଦେଶିକ ମନ୍ତ୍ରାଳୟର ମଦଦ ବିଭାଗରେ ଲଲାଟେନ୍ଦୁ ଏକ କେସ Id SB1MTR106166020 ମଧ୍ୟ ରୁଜୁ କରିଥିଲେ  । କିନ୍ତୁ ଲକ ଡାଉନ ଫଳରେ ବେଶି କିଛି ସହଯୋଗ ମିଳିପାରିନଥିଲା ।

ଲଲାଟେନ୍ଦୁଙ୍କୁ ସହଯୋଗର ହାତ ବଢେଇଥିଲେ ବାଣପୁର ଚମ୍ପାଦେଇପୁରର ବାବୁଲି କୁମାର ସାହୁ ।  ଯିଏ ପୁରୀରେ ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ । ବାବୁଲି ତାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଭାରତୀୟ ଦୂତାବାସ ସହ ସମ୍ପର୍କ କରି ହ୍ରୁଦଘାତରେ ବାବୁଲାଙ୍କ ମୃତ ଖବର ପୃଷ୍ଟି କରିଥିଲେ । କାର୍ଗୋ ବିମାନରେ ଅନେକ ଚେଷ୍ଟା ପରେ ସାଉଦି ଆରବ ହମ୍ମାମରୁ ଗତ ୫ତାରିଖରେ ଶବକୁ ଦିଲ୍ଲୀ ଦେଇ କୋଲକାତା ଅଣାଗଲା ଓ ତାଙ୍କ ସାନ ଭାଇ ଭୁବନେଶ୍ୱରରୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଦ୍ଵାରା ଦଶ ତାରିଖ ବିଳମ୍ବିତ ରାତିରେ ମର ଶରୀର ନେଇ ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ହେଇଥିଲା । ଗାଁ ଶ୍ମଶାନରେ କୋଭିଡ ନିୟମାବଳୀ ଅନୁସାରେ ଶବ ସତ୍କାର କରାଗଲା ।

Related posts