କେବଳ ଗୋଟିଏ ଭୁଲ୍‌ ପାଇଁ କାଳ ହେଲା କରୋନା : ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ କରୋନାରେ ମୃତ୍ୟୁ

Published: Jul 19, 2020, 10:19 pm IST

ଝାଡଖଣ୍ଡ : ଝାଡଖଣ୍ଡର କୋଏଲା ନଗରୀ ଧନବାଦର ଏକ ପରିବାରର କରୋନା ସଂକ୍ରମଣ ତଥା ଏହି ମହମାରୀ କରୋନାର ଗାଇଡଲାଇନ୍‌କୁ ଅଣଦେଖା କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ପରିବାରର ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ କତରାସର ଚୌଧୁରୀ ପରିବାରର ସବୁଠୁ ବୃଦ୍ଧା ମହିଳା ଜୁନ୍‌ 27 ତାରିଖରେ ଏକ ବିବାହ ସମାରୋହରେ ସାମିଲ୍‌ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରୁ ସେ ଫେରିବା ପରେ ଏହି 90 ବର୍ଷୀୟା ବୃଦ୍ଧାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ପରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତା ବୃଦ୍ଧାଙ୍କର ଜୁଲାଇ 4 ତାରିଖରେ ମୃତ୍ୟୁ ହୋଇଥିଲା ।  ଏହାପରେ ବୃଦ୍ଧାଙ୍କ ପୂରା ପରିବାର ସଦସ୍ୟଙ୍କର କରୋନା ଯାଞ୍ଚ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ଦୁଇ ପୁତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେବେ ଦୁଇ ପୁତ୍ର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହାପରେ ମହିଳାଙ୍କ ଆଉ ଦୁଇ ପୁତ୍ର ମଧ୍ୟ ଅସୁସ୍ଥ ହୋଇଥିଲେ । ଦୁହେଁ କରୋନା ଡର ଓ ଡିପ୍ରେସନ୍‌ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

ମାତ୍ର 12 ଦିନ ଭିତରେ ଏହି ପରିବାରର ପାଞ୍ଚଜଣଙ୍କର କରୋନା ଭାଇରସ୍‌ଯ ଯୋଗୁଁ ଜୀବନ ଚାଲିଯାଇଛି । ବୃଦ୍ଧାଙ୍କ ପଞ୍ଚମ ପୁତ୍ର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ ରାଜଧାନୀ ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ଧାନବାଦଠାରେ ରହୁଥିବା ସମସ୍ତ ବୃଦ୍ଧ ଲୋକଙ୍କର ଯାଞ୍ଚ କରାଯାଇଛି । ତେବେ ବୃଦ୍ଧାଙ୍କ ଆଉ ଏକ ପୁତ୍ର ଦିଲ୍ଲୀରେ ରହୁଥିବାର ସୂଚନା ରହିଛି ।

ବୟସାଧିକ୍ୟ ହେବା ସତ୍ତ୍ବେ ବୃଦ୍ଧା ମହିଳା ଜଣକ ନିଜ ନାତିର ବାହାଘରରେ ସାମିଳ୍‌ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ପୁନଶ୍ଚ ତାଙ୍କର କରୋନା ଜନିତ ମୃତ୍ୟୁ ହେବା ପରେ ମଧ୍ୟ କୋଭିଡ୍‌ ଗାଇଡ ଲାଇନ୍‌ ଅନୁସାରେ ଅନ୍ତିମ ସଂସ୍କାର ନ କରି ସାଧାରଣ ଭାବରେ ଅନ୍ତିମ ସଂସ୍କାର କରାଯାଇଥିଲା । ଯାହା ଫଳରେ କରୋନା ଅନ୍ୟମାନଙ୍କୁ ସଂକ୍ରମଣ ହୋଇଥିଲା । ଯାହାର ପରିଣତି ସ୍ବରୂପ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି ।  (ଏଜେନ୍ସି)

Related posts