କରୋନା ସମୟରେ ରାମମନ୍ଦିର ନିର୍ମାଣକୁ ପାୱାରଙ୍କ ସମାଲୋଚନା

Published: Jul 20, 2020, 4:47 pm IST

ନୂଆଦିଲ୍ଲୀ: କରୋନା ମହାମାରୀ ସଂକଟ ସମୟରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାର ଆୟୋଜନ। ଏହାକୁ କିନ୍ତୁ କଟୁ ସମାଲୋଚନା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ସେ କହିଛନ୍ତି ଯେ ରାମମନ୍ଦିର ନିର୍ମାଣ କରିଦେଲେ ଦେଶରୁ କରୋନା ହଟିଯିବ ବୋଲି କେତେକ ଲୋକ ଭାବୁଛନ୍ତି ।

ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ବି ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିର ସହଯୋଗୀ ଶିବସେନା କିନ୍ତୁ ରାମ ମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି ।

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ଅଗଷ୍ଟ ୫ରେ ଭୂମି ପୂଜା କରିବାକୁ ସ୍ଥିର କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରାଯାଇଛି। ୫ ତାରିଖରେ ଏହି ଭୂମିପୂଜା ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ଦିଆଯିବା ପରେ ତାହାକୁ ଏନସିପି ମୁଖ୍ୟ ଶରଦ ପାଓ୍ଵାର ସମାଲୋଚନା କରିଛନ୍ତି।

ତେବେ ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଭିଏଚପି ପକ୍ଷରୁ କୁହାଯାଇଛି ଯେ ରାମମନ୍ଦିର ନିର୍ମାଣ କରିଦେଲେ କରୋନା ହଟିଯିବ ବୋଲି କେହି ଦାବି କରିନାହିଁ । ଦେଶରୁ କରୋନାର ମୁକାବିଲା କରିବାକୁ ମୋଦୀ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ କରୋନା ସହିତ ଦେଶର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବି ଜାରି ରହିବା ଉଚିତ । ଦେଶରୁ କରୋନା ହଟିବାକୁ ରାମ ମନ୍ଦିର ଆନ୍ଦୋଳନ ହୋଇନଥିଲା। (ଏଜେନସି)

Related posts