
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
କୋଭିଡ ଚିକିତ୍ସାରେ ପ୍ଲାଜ୍ମା ଥେରାପି ସଫଳତାର ସହ କାମ କରୁଛି । କଟକ ଏସସିବି ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର ଆଇଜିଏଚ ହସ୍ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ।
ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।