ବାଣପୁର ଅଗ୍ନିଶମ ବିଭାଗକୁ ଛୁଇଁଲା କରୋନା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରୁ ୪୦ ଆକ୍ରାନ୍ତ ଚିହ୍ନଟ

Published: Jul 29, 2020, 11:21 am IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର / ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରୁ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ଯେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କରୋନା ଯୋଦ୍ଧା ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁରର ଦୁଇ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ତେବେ ଏନେଇ ଆମ ପ୍ରତିନିଧି  ଖୋର୍ଦ୍ଧା ସହକାରୀ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିବାସ୍ଥଳେ ସେ ସରକାରୀ ନିର୍ଦ୍ଦେଶାନୁଯାୟୀ ବିହିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

ସାଧାରଣତଃ ଯେଉଁଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ପ୍ରଥମେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ସେହି ଅଞ୍ଚଳକୁ ବିଶୋଧନ କରାଯାଇଥାଏ। ଦିନ ରାତି ଏକ କରି ଏହି କର୍ମଚାରୀମାନେ କରୋନା ଲଢେଇରେ ନିଜ ଜୀବନକୁ ବାଜି ଲଗାଉଥିବାବେଳେ ଏହି ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବାଣପୁର ଏବଂ ଚିଲିକାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଅଗ୍ନିଶମ କର୍ମଚାରୀ ପ୍ରତିଦିନ ଅକ୍ଲାନ୍ତ ପରିଶ୍ରମ କରି ବିଭିନ୍ନ ଗ୍ରାମ ଏବଂ ଏନ.ଏ.ସି ର ୱାର୍ଡ କୁ ବିଶୋଧନ କରିଆସୁଛନ୍ତି। ସେହିପରି ସ୍ଥଳେ ଆଜି ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହେବା ବିଡମ୍ବନାର ବିଷୟ। ଆଜି  ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥଳେ ବାଣପୁର ଏନଏସି ଓ ବାଣପୁର ବ୍ଲକରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବଢୁଥିବାବେଳେ ବାଣପୁର ଓ ଚିଲିକାରେ ମଧ୍ୟ ଲୋକାଲ୍‌ କେସ୍‌ ବଢୁଛି। ବିଶେଷ କରି ଗତ କିଛିଦିନ ହେଲା ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ରେ କରୋନା ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ସହରବାସୀ ଭୟଭୀତ ହୋଇପଡିଛନ୍ତି। ବାଣପୁର ଓ ବାଲୁଗାଁ ସହରବାସୀ ଉଭୟ ସହରକୁ କିଛିଦିନ ପାଇଁ ସଟ୍‌ଡାଉନ୍‌ କରି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ରାପିଡ଼ ଟେଷ୍ଟ କରାଇବାପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Related posts