ରାମ ମନ୍ଦିର ନିର୍ମାଣର ଭୂମିପୂଜା ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Aug 5, 2020, 1:08 pm IST

ଅଯୋଧ୍ୟା : ପ୍ରାୟ 500 ବର୍ଷ ପରେ ରାମ ମନ୍ଦିର ନିର୍ମାଣ ନେଇ ସ୍ବପ୍ନ ପୂରା ହେବାକୁ ଯାଉଛି ।  ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଅନୁଷ୍ଠିତ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ଓ ଶିଳାନ୍ୟାସ କଲେ । 12ଟା 30ରୁ 32 ସେକେଣ୍ଡର ଶୁଭ ମୁହୂର୍ତ୍ତ ମଧ୍ୟରେ ନରେନ୍ଦ୍ର ମୋଦି ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି ।   ସ୍ବତନ୍ତ୍ର ଭାବେ ନିର୍ମିତ ରୂପା ଇଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଭୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାମ ଲଲାଙ୍କ ଦର୍ଶନ କରିବା ସହିତ ପୂଜା କରି ସାଷ୍ଟାଙ୍ଗ ଦଣ୍ଡବତ ହୋଇଥିଲେ ।

ଗତକାଲି ଶ୍ରୀ ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ପରେ କିପରି ଦେଖାଯିବ, ସେନେଇ କିଛି ମଡେଲ୍ ଫଟୋ ଶେୟାର କରିଥିଲେ । ଯେଉଁଥିରେ ରାମ ମନ୍ଦିରର ମଡେଲକୁ ବଦଳା ଯାଇ ଏହାକୁ ଭବ୍ୟ ରୂପ ଦିଆଯାଇଛି । ପୂର୍ବରୁ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା 128 ଫୁଟ୍ ରହିଥିବା ବେଳେ ଏବେ 161 ଫୁଟ୍ ହେବ ବୋଲି ସୂଚନା ରହିଛି । ମନ୍ଦିରର ଏହି ଡିଜାଇନ୍‌କୁ ପ୍ରସ୍ତୁତ କରିଛନ୍ତି ଆର୍କିଟେକ୍ଟ ନିଖଲ୍‌ ସୋମପୁରା । ମନ୍ଦିରଟି ତିନି ମହଲା ବିଶିଷ୍ଟ ହେବାକୁ ଥିବାବେଳେ ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ ହେବ । ଉତ୍ତର ଭାରତ ନଗାଡା ଶୈଳୀରେ  ନିର୍ମିତ ହେବ । ମନ୍ଦିରରେ କୌଣସି ଲୁହା ବ୍ୟବହାର ହେବ ନାହିଁ । 3 ମହଲା ବିଶିଷ୍ଟ ଏହି ମନ୍ଦିରରେ 318ଟି ସ୍ତମ୍ଭ ରହିବ । ପ୍ରତି ସ୍ତମ୍ଭରେ ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତି ଖୋଦିତ ହେବ । ତଳ ମହଲାରେ ଭଗବାନ ରାମଙ୍କ ଆସ୍ଥାନ ରହିବ ବୋଲି ସୂଚନା ରହିଛି ।  2024 ସୁଦ୍ଧା ମନ୍ଦିର କାର୍ଯ୍ୟ ସରିବ ବୋଲି ନିଷ୍ପତ୍ତି ଯୋଜନା କରାଯାଇଛି ।

Related posts