ବାଣପୁର ଏନ.ଏ.ସି ରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୮ଟି ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲେ ଉପଜିଲ୍ଲାପାଳ

Published: Aug 6, 2020, 6:40 pm IST

ସୀତରାମ ଅଗ୍ରଓ୍ବାଲ 

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  ସମଗ୍ର ଜିଲ୍ଲାରେ ଆଜି ୨୨0 ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।  ଯଦି ଏହିପରି ଆକ୍ରାନ୍ତ ବଢୁଥିବେ ତାହାଲେ ଅଳ୍ପ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ହଟସ୍ପଷ୍ଟ ଜିଲ୍ଲା ଭାବେ ପରିଗଣିତ ହେବ । ଅନୁରୂପ ଭାବେ ଚିଲିକା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବାଣପୁର ରେ ଆଜି ସକାଳ ସୁଦ୍ଧା ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାସ୍ଥଳେ କେବଳ ବାଣପୁର ଏନ.ଏ.ସି ରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଗୋଟିଏ ଦିନର ସର୍ବକାଳୀନ ରେକର୍ଡ । ସମସ୍ତ ଆକ୍ରାନ୍ତ ଲୋକାଲ/ହୋମ କ୍ଵାରେନଟାଇନ କେସ ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ସବୁ ବାଣପୁର ଏନ.ଏ.ସି ର ୪,୫,୭,୮,୯,୧0,୧୨,୧୩ ନମ୍ବର ୱାର୍ଡର ଥିବାର ସୂଚନା ମିଳିଛି।

ଏହାକୁ ଗୁରୁତର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ବାଣପୁର ଏନ.ଏ.ସି ର ୮ ଗୋଟି ୱାର୍ଡ ଯଥା ରଙ୍କନାଥ ପାଟଣା(ୱାର୍ଡ ୪), ବିଷାରପାଟଣା ଛକଠୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ(ୱାର୍ଡ ନମ୍ବର ୪, ୫, ୭, ୯), ଦୋଳମଣ୍ଡପ ସାହି ଛକ ଠୁ ମା ଭଗବତୀ ମନ୍ଦିର(ୱାର୍ଡ ନମ୍ବର ୮,୧0), ଚିୟାଙ୍କ ସାହି(ୱାର୍ଡ ନମ୍ବର ୧୩) ଏବଂ ବଡ଼ହନ୍ତୁଆଡ଼ ମୁସଲିମ ସାହି(ୱାର୍ଡ ନମ୍ୱର ୧୨ ) କୁ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି ।  ଏହା ଆଜିଠାରୁ ଅର୍ଥାତ ଗୁରୁବାର ସଂଧ୍ୟା ୭ ଘଟିକାରୁ ଆସନ୍ତା ୯ ତାରିଖ(ରବିବାର) ସନ୍ଧ୍ୟା ୭ ଘଟିକା ଯାଏଁ ବଳବତ୍ତର ରହିବ।

ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ  ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଯୋଗାଇଦିଆଯିବ।

କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅଜୟ କୁମାର ଗୁମାନସିଂ (କନିଷ୍ଠ ଯନ୍ତ୍ରୀ, ବାଣପୁର ବ୍ଲକ), ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଣପୁର ଫାୟାର ଷ୍ଟେସନ ଅଫିସରଙ୍କୁ କଣ୍ଟେନମେଣ୍ଟ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ଡ଼ି. ମହାପାତ୍ର(ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି।  ଏବଂ ଶ୍ରୀମତୀ ବିଦ୍ୟୁତପ୍ରଭା ରଥ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ଦିଆଯାଇଛି। ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା। ଅନୁରୂପ ଭାବେ ପ୍ରାୟତଃ ବାଣପୁର ଏନ.ଏ.ସି ର ଅଧା ରୁ ଅଧିକ ଅଞ୍ଚଳ କଣ୍ଟେନମେଣ୍ଟ ହେଉଥିବାରୁ ସହରବାସୀଙ୍କ ସହଯୋଗ ଆଶା କରିଛନ୍ତି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ l ଏହି ସମୟରେ କିପରି ଅଧିକରୁ ଅଧିକ ଟେଷ୍ଟିଙ୍ଗ ହେଇପାରିବ ତାକୁ ବିଶେଷ ଗୁରୁତ୍ୱ ଦେବା ସହ ଯେଉଁ ବ୍ୟକ୍ତିର ଲକ୍ଷଣ ଦେଖାଯାଉଛି ସେ ତୁରନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ନିଆଲ ।

Related posts