ଗଂଜାମ ସଂପୂର୍ଣ୍ଣ ନିୟନ୍ତ୍ରଣରେ: ୫ ମାସ ପରେ ପ୍ରଥମଥର ପାଇଁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ

Published: Aug 21, 2020, 9:05 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲା କରୋନା ସଂକ୍ରମଣରେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଦୈନିକ ୮ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ ହେଉଥିଲେ ମଧ୍ୟ ଆଉ ସଂକ୍ରମଣ ଚିହ୍ନଟ ହେଉନାହିଁ। ଗତ ୪ ଦିନର ହିସାବକୁ ଦେଖିଲେ ୨୪୩, ୨୪୬, ୨୪୨ ଏଭଳି ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ଗତ ମାସର ସର୍ବନିମ୍ନ ସ୍ତରରେ ୧୬୨ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ହୋଇଛି।

ସୋମବାରଠାରୁ ୫ ମାସ ପରେ ପ୍ରଥମ ଥର ପାଇଁ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାବାସୀଙ୍କ ସଂଯମତା ଏବଂ ଅଧିକାରୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏଭଳି ଗ୍ରାଫ୍ ହ୍ରାସ ପାଇଛି। ତେଣୁ ଆଗକୁ ମଧ୍ୟ ଲୋକେ ସତର୍କ ହୋଇ କରୋନାର ସମସ୍ତ ନିୟମ ମାନିଲେ ଏହି ସଂଖ୍ୟା ଶୂନରେ ପହଞ୍ଚିବ ବୋଲି କହିଥିଲେ। ତେଣୁ ଗଂଜାମରେ “ଜିରୋ ଆକ୍ଟିଭ୍ କେସ” ଆରମ୍ଭ କରାଗଲା ବୋଲି କହିଥିଲେ। ସେ ପୁଣି କହିଥିଲେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି। ସବୁସ୍ଥାନରେ ଟେଷ୍ଟି ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଲକ୍ଷଣ ଦେଖାଦେଲେ ସଂଗେ ସଂଗେ ପରୀକ୍ଷା କରିବାକୁ କୁହାଯାଇଛି।

ବର୍ତ୍ତମାନ ଗଂଜାମରେ ୧୫୮୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ ମାତ୍ର ୧୯୩୫ ଆକ୍ଟିଭ୍ କେସ ରହିଛି। ଜିଲ୍ଲାର ସୁସ୍ଥତା ହାର ୮୭ ପ୍ରତିଶତ। ଗତ ସପ୍ତାହ ମଧ୍ୟରେ ଦୁଇଟି ବ୍ଲକ୍‌ରୁ କୌଣସି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ। ସପ୍ତାହନ୍ତ ସଟ୍‌ଡ଼ାଉନ୍ ଜାରି ରହିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଥିଲେ। ବ୍ରହ୍ମପୁରରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ବ୍ୟବସାୟୀ ରହିଛନ୍ତି। କୌଣସି ଦୋକାନୀ କରୋନା ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣେଶ ପୂଜାକୁ ବାରଣ କରାଯାଇଛି ତେଣୁ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହୋଇପାରିବ ନାହିଁ। ତେଣୁ ସମସ୍ତେ ସାମାଜିକ ଦୂରତା, ମାସ୍କ ପିନ୍ଧି, ପଞ୍ଚସୂତ୍ର ନିୟମ ପାଳନ କରିଲେ ଆଉ ଅଳ୍ପ ଦିନ ମଧ୍ୟରେ ଗଂଜାମରେ କରୋନା ମୁକ୍ତ ହୋଇଯିବ ବୋଲି ଅଧିକାରୀମାନେ କହିଥିଲେ।

Related posts