Categories
ଆଜିର ଖବର ରାଜ୍ୟ ଖବର

ପଳାତକ ଅପରାଧୀଙ୍କ ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲା ଏସପି ଜଗମୋହନ ମୀନା କୋଦଳା ଓ ପୁରୁଷୋତ୍ତମ ପୁର ଥାନା ପରିଦର୍ଶନରେ ଆସିଛନ୍ତି। ଏହି ସମୟରେ ଜଗମୋହନ ମୀନା କୋଦଳା ଥାନାରେ ଏକ ପ୍ରେସମିଟ୍ ଜରିଆରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ଧା୍ରା ୮୨ ଅନୁଯାୟୀ ଦୁର୍ଦ୍ଦାନ୍ତ ଓ ପଳାତକ ଘୋଷିତ ଅପରାଧୀଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି କୋଦଳା ଓ ପୁରୁଷୋତ୍ତମପୁର ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହାତକୁ ନିଆଯାଇଛି।

ପ୍ରକାଶ ଥାଉକି ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅପରାଧୀଙ୍କୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ଓ ସବୁ ଅପରାଧୀ ମାନଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ତଥାପି ଅପରାଧୀ ମାନେ ଧରା ଦେଉନାହାନ୍ତି କି ଆତ୍ମସମର୍ପଣ କରୁନାହାନ୍ତି। ଯ’ଦ୍ଵାରା ପୋଲିସ ପ୍ରଶାସନ ପକ୍ଷରୁ ଅପରାଧୀ ମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି କରି ଅପରାଧ ଜଗତକୁ ଦମନ କରାଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ଗଂଜାମ ଜିଲ୍ଲାରେ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତ ସର୍ଭେ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଓସ୍ଵାନ ହଲ୍ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା କାଲି ଠାରୁ ଗଂଜାମ ଜିଲ୍ଲାରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତ ବିଷୟରେ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ମାନେ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିବେ ଓ ଶ୍ରୁଙ୍ଖଳା ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ସମୟରେ ପୋଲିସ ଉପସ୍ଥିତ ରହିବେ।

ଆସନ୍ତାକାଲି ମଇ ୧ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲୁ ରହିବ ଓ ଏହା ମଧ୍ୟରେ କୌଣସି କର୍ମଚାରୀ ଛୁଟି ନେଇ ପାରିବେ ନାହିଁ। ଏତଦବ୍ୟତୀତ ଛୁଟି ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ନିଷ୍ପତ୍ତି ହୋଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଗଂଜାମ ଏସ୍ ପି ଜଗମୋହନ ମୀନା, ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର, ଅତିରିକ୍ତ ଜିଲ୍ଲାପାଳ ତଥା ନୋଡାଲ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପରିଚାଳକ ସୁକାନ୍ତ କୁମାର ମିଶ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲାର ସମସ୍ତ ତହସିଲଦାର, ବିଡ଼ିଓ ଓ ସମସ୍ତ ଥାନା ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପରିଷଦ କକ୍ଷ ରୁଷିକୁଲ୍ୟା ଭବନ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଛି। ଜିଲାପାଳ ଦୀବ୍ୟଜ୍ୟୋତି ପରିଡ଼ା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞଳି ସ୍ବାଇଁ, ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ମୁକୁଲ ବେରୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଵିଭୁଦତ୍ତ ପଣ୍ଡା ପ୍ରାରମ୍ଭିକ ଭାଷଣ ଦେଇ ଥିଲେ।

ଏହି ପାଣି ପକ୍ଷ ପାଳନ କାର୍ଯ୍ୟକ୍ରମରେ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଓ ଚାଷୀ ମାନେ ଭେଦଭାବ ନରଖି ମନ ମିଳାଇ କାମ କରିଲେ ଚାଷୀ କୁଳର ଉନ୍ନତି ସମ୍ଭବ ବୋଲି ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଇତ୍ୟବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ,ବତ୍କ୍ରୁତା, ଚିତ୍ରାଙ୍କନ ଓ ସାଧାରଣ ଗ୍ୟାନ ପ୍ରତିଯୋଗିତାରେ ଭାଗ ନେଇ କ୍ରୁତି ହାସଲ କରିଥିବା ଜିଲ୍ଲା ସ୍ତରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ମାନଙ୍କୁ ଅତିଥି ମାନେ ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରିଥିଲେ। ବ୍ରହ୍ମପୁର ନିର୍ବାହୀ ଯନ୍ତ୍ରୀ ଇଂ ଜୟଦୀପ ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ମା ତାରାତାରିିଣୀ ପିଠକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗଂଜାମର ପ୍ରସିଦ୍ଧ ତାରା ତାରିଣୀ ପିଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିବେ। ଆସନ୍ତା 18 ତାରିଖରେ ସେ ଏହି ମନ୍ଦିର ଗସ୍ତ କରି ସେଠାରେ ହେଉଥିବା ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ଗଂଜାମର ଏହି ମନ୍ଦିରର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହାର ନବୀକରଣ ପରେ ବର୍ତ୍ତମାନ କାର୍ଯ୍ୟ ଶେଷ ହୋଇଛି।

ମନ୍ଦିରର ନବୀକରଣ ଉତ୍ସବ ପାଇଁ ସେଠାରେ ଆରମ୍ଭ ହୋଇଛି ଛଅ ଦିନିଆ ପ୍ରତିଷ୍ଠା ଉତ୍ସବ। ଏହି ଉତ୍ସବ ଆସନ୍ତାକାଲି ସଂକ୍ରାନ୍ତିରୁ ଆରମ୍ଭ କରାଯାଉଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ପାଇଁ 18 ତାରିଖରେ ଗଂଜାମ ଗସ୍ତ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

GOOD NEWS: ଖରାଦିନେ ପକ୍ଷୀମାନେ ପାଣି ପିଇବା ପାଇଁ ଗଂଜାମ ସ୍କୁଲରେ ହେଲା ଭିନ୍ନ ବ୍ୟବସ୍ଥା

ବ୍ରହ୍ମପୁର: ଖରାଦିନ ଆସିଲାଣି। ଚାରିଆଡେ ବର୍ତ୍ତମାନ ପାଣିର ଚାହିଦା ବେଶ ବଢିବ। ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନ ସାରା ରାଜ୍ୟରେ ଯେପରି ତାପମାତ୍ରା ବଢିବାରେ ଲାଗିଛି ସେଥିରେ ଜଳ ସମସ୍ୟା ଜଟିଳ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏପରି ପରିସ୍ଥିତିରେ ପକ୍ଷୀମାନଙ୍କ ଅବସ୍ଥା କିପରି ହେବ ତାହା ସାଧାରଣରେ ଅନୁମେୟ।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଗଂଜାମର କେତେକ ସ୍କୁଲରେ ଅଭିନବ ବ୍ୟବସ୍ଥା କରାଯାଇଛି। 5T ଅଧିନରେ ଥିବା ସ୍କୁଲଗୁଡିକର ବିଭିନ୍ନ ଗଛରେ ମାଟି ହାଣ୍ଡିରେ ପାଣି ରଖି ବନ୍ଧା ଯାଇଛି। ଯାହାଦ୍ବାରା ପକ୍ଷୀମାନେ ସୁବିଧାରେ ପାଣି ପିଇପାରିବେ। ମୁଖ୍ୟତଃ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଧିନରେ ଥିବା ହାଇସ୍କୁଲଗୁଡିକରେ ଏହି ବ୍ୟବସ୍ଥା କରାଯାଇଛି।

ସ୍କୁଲ କର୍ତ୍ତୁପକ୍ଷଙ୍କ କହିବା କଥା ହେଲା ଯେ, ଖରାଦିନେ ସାଧାରଣ ମଣିଷ ପାଇଁ ପାଣି ସମସ୍ୟା ଦେଖାଦେବ। ହେଲେ ସେମାନେ କେଉଁଠି ହେଲେ ପାଣି ଯୋଗାଡ କରି ପାଇ ପାରିବେ। କିନ୍ତୁ ପକ୍ଷୀମାନେ ତାହା କରିବା କଷ୍ଟକର ହେବ। କାରଣ ବର୍ତ୍ତମାନ ପୋଖରୀ, ଝରଣା, ନାଳ ଶୁଖିଯାଇଥିବାରୁ ପଶୁପକ୍ଷୀଙ୍କ ପାଇଁ ଏହା ବଡ ସମସ୍ୟା ହେଉଛି। ସେଥିପାଇଁ ସ୍କୁଲ ପରିସରରେ ପକ୍ଷୀମାନେ ପାଣି ପିଇବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ସ୍କୁଲରେ ପ୍ରାୟ ଦଶଟି ମାଟି ହାଣ୍ଡି ବିଭିନ୍ନ ସ୍ଥାନରେ ରଖାଯାଇଛି। ଯେପରି ପକ୍ଷୀ ଦେଖି ଏଥିରେ ପାଣି ରହିଛି ବୋଲି ଜାଣିପାରିବେ। କେତେକ ସ୍ଥାନରେ ତଳେ ସାମାନ୍ୟ ଗାତ କରି ରଖାଯାଇଥିବା ବେଳେ କେତେକ ହାଣ୍ଡିକୁ ଗଛ ଡାଳରେ ଓହଳା ଯାଇଛି। ଯେଉଁ ହାଣ୍ଡିଗୁଡିକ ଓହଳଯାଇଛି ସେଗୁଡିକ ପକ୍ଷୀ ଡାଳରେ ବସି କିମ୍ବା ହାଣ୍ଡି ମଙ୍ଗରେ ବସି ଯେପରି ପାଣି ପିଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ସେହିପରି ପ୍ରତିଦିନ ସକାଳେ ଏହି ହାଣ୍ଡିରେ ପାଣି ଅଛି କି ନାହିଁ ତାହା ତଦାରଖ କରାଯିବ। ଯଦି ପାଣି ନ ଥିବ ତେବେ ଗଛରେ ପାଣି ଦେବା ବେଳେ ସେହି ହାଣ୍ଡିରେ ମଧ୍ୟ ପାଣି ଭର୍ତ୍ତି କରିବା ପାଇଁ ବଗିଚା ଦାୟିତ୍ବରେ ଥିବା ଲୋକଙ୍କୁ ସ୍କୁଲ କର୍ତ୍ତୁପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ବେଲଗୁଣ୍ଠା ବ୍ଲକ ହାଇସ୍କୁଲର ଏପରି ଉଦ୍ୟମକୁ ପକ୍ଷୀପ୍ରେମୀ ତଥା ଜନ ସାଧାରଣ ବେଶ ପ୍ରସଂଶା କରିଛନ୍ତି। ଏହିପରି ବ୍ୟବସ୍ଥା ସମସ୍ତ ହାଇସ୍କୁଲରେ କରିବା ଉଚିତ ବୋଲି ମତପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମେଡ଼ିକାଲ୍ କମ୍ପାସ ହାଇସ୍କୁଲକୁ “ମୋ ସ୍କୁଲ” ଟିମ୍‌ର ପରିଦର୍ଶନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: “ମୋ ସ୍କୁଲ” ମୁଖ୍ୟ ପ୍ରକଳ୍ପ ଅଧିକାରୀ ଅମରଜିତ ଜେନାଙ୍କ ନେତୃତ୍ୱରେ ଆସଥିବା ଏକ ୩ ଜଣିଆ ଟିମ୍ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲକୁ ଗସ୍ତ କରିଛନ୍ତି। ସ୍କୁଲଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପୁରାତନ ଛାତ୍ରମାନେ ମୋ ସ୍କୁଲ ନାମରେ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିବା ସହ ଏହା ଅଧିନରେ କାର୍ଯ୍ୟରତ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ।

ପ୍ରଥମେ ହିଂଜିଳିକାଟୁ ଗସ୍ତ କରିବା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ପୁରାତନ ହାଇସ୍କୁଲ ମେଡ଼ିକାଲ୍ କ୍ୟାମ୍ପସ୍ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଏବଂ ଛାତ୍ରଛାତ୍ରୀମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେ ନେଇ ଟିମ୍ ଗୁରୁତ୍ୱାରୋପ କରିଛନ୍ତି। ଯେଉଁ ପୁରତାନ ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀମାନେ ମେଡ଼ିକାଲ୍ କ୍ୟାମ୍ପସ୍ ଉଚ୍ଚ ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନରେ ସାମିଲ କରି ଭିତ୍ତିଭୂମିରେ ବିକାଶ କରିଛନ୍ତି ସେଥି ସକାଶେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ଏହି ପରିଦର୍ଶନ ସମୟରେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର, ମୋ ସ୍କୁଲର ଲୋକସଂପର୍କ ଅଧିକାରିଣୀ ସଶ୍ମିତା ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲାରେ ବିଜେପି ସ୍ଥିତି ସଂଗିନ୍‌..! ଭେଣ୍ଟିଲେଟର ଅନୁସନ୍ଧାନରେ ଅକ୍ସିଜେନ୍‌କୁ ଅଣଦେଖା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜେପି ନେତାଙ୍କ ପଦ ପଦବୀ ମୋହ କ୍ଷମତା ଲଢ଼େଇ ଆଗରେ ନିଜ ଦଳର ସମ୍ମାନ କେବଳ ଯାଇନି ବରଂ ମର୍ଯ୍ୟାଦାର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି। ଗଂଜାମ ବିଶେଷ କରି ବ୍ରହ୍ମପୁରରେ ତ୍ରିକୋଣୀୟ ନେତାଙ୍କ ନିଜ ସ୍ୱାର୍ଥକୁ ସୁରକ୍ଷା ଦେଇ ଆସୁଥିବା ଚରିତ୍ରମାନେ ଦଳୀୟ ବିଚାର ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା ମହଙ୍ଗା ପଡ଼ୁଛି ବୋଲି ଚର୍ଚ୍ଚା।

ଆଗାମୀ ଦିନରେ ମେୟର ନିର୍ବାଚନ ମହାନଗର ପାଇଁ ଆଗକୁ ଆସୁଥିବାବେଳେ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ଏବଂ ପୂର୍ବତନ ବିଜେପି ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁଚରଣ ପତି ନିଜ ନିଜର ଗୋଟିଏ ଗୋଟିଏ ଆଖଡ଼ାରେ ସମରସଜ୍ଜା ପ୍ରସ୍ତୁତି ବିଜେପି ରଣକୌଶଳକୁ ଦୁର୍ବଳ କରିଚାଲିଛି। ଯାହାକି ଏମାନଙ୍କ ସ୍ୱାର୍ଥ ପାଇଁ ଦଳୀୟ ବିଧିବ୍ୟବସ୍ଥା ଦିଶାହୀନ ବୋଲି ଚର୍ଚ୍ଚା।

ଏଠି ଭାଗଭାଗ ହୋଇ ବିଜେପି ସଂଗଠନ ଦୁର୍ବଳ ହେବା ସମୟରେ ରାଜ୍ୟରେ ମଧ୍ୟ କେତେଭାଗ ଯାହାର ଗଣିତ ସମସ୍ତଙ୍କୁ ଜଣା। ଏଣୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ନେଇ ଆସିକା ସଂସଦୀୟ କ୍ଷେତ୍ରରେ ନିଜ ନିଜର ପଦପଦବୀକୁ ସୁରକ୍ଷିତ କରିବାର ଚରିତ୍ରଙ୍କ ପାଇଁ ହିଁ ଦଳର ସ୍ଥିତି ବିପନ୍ନ।

ବ୍ରହ୍ମପୁର ଭୃଗୁ ବକ୍ସିପାତ୍ରଙ୍କୁ ସାଂସଦ ପ୍ରାର୍ଥୀ କରିବା ଦିନଠାରୁ ବିଜେପିର ସ୍ଥିତି ସଂଗୀନ ସଂକଟର ସମ୍ମୁଖୀନ ହୋଇଛି। ଏମାନେ ହିଁ ବିଜେଡ଼ିକୁ ମଜବୁତ କରିବା ବେଳେ ବିଜେପିର ସ୍ଥିତି ଦିନକୁ ଦିନ ତଳମୁହାଁ। ଆସିକା ନିର୍ବାଚନ ମଣ୍ଡଳୀ ସଂସଦୀୟ କ୍ଷେତ୍ର ନକହିବା ଭଲ। ଅନୀତା ଶୁଭଦର୍ଶିନୀ ପିତା ପୂର୍ବତନ ଅର୍ଥମନ୍ତ୍ରୀ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ, ମା’ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନାମରେ ପରିଚୟ। ତାଙ୍କର ନିଜସ୍ୱ ପରିଚୟ ତଥା ସାଙ୍ଗଠନିକ ଦକ୍ଷତା ନାହିଁ। ଏଣୁ ଲୋକପ୍ରିୟତାର ଅମଳ କରିବା ଆଦୌ ସହଜ ହୋଇପାରିନାହିଁ।

ଆସିକା ସଂସଦୀୟ କ୍ଷେତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପାରଦର୍ଶିତାର ପ୍ରମାଣ ଦେଇ ଚାଲିଗଲେ କିନ୍ତୁ ଅନୀତା ଶୁଭଦର୍ଶିନୀଙ୍କ ସ୍ଥିତି ତାହାଠାରୁ କୌଣସି ଗୁଣରେ ଅଧିକ ବୋଲି କୁହାଯିବ ନାହିଁ। ତାଙ୍କ ପଛରେ ନା’ ଦଳର କର୍ମୀ ଅଛନ୍ତି ନା ସଂଗଠନର ନେତୃବର୍ଗ। ଏଣୁ ଏଇ ଦୁଇ ସଂସଦୀୟ କ୍ଷେତ୍ରର ସ୍ଥିତି ଭିତରେ ଆଉଟୁ ପାଉଟୁ ହୋଇ ଦଳର କର୍ମୀମାନେ ଷଢ଼ୁଥିବାବେଳେ ଏଠାକାର ସାଙ୍ଗଠନିକ ଦକ୍ଷତାର କେନ୍ଦ୍ର ବୋଲି ଧରିନେଉଥିବା ଗଂଜାମ ବ୍ରହ୍ମପୁର ଘୁମୁସର ଦୁଇଟି ମଣ୍ଡଳ ପୁରାପୁରି ଦୁର୍ବଳ ମୁହାଁର ଏକମାତ୍ର କାରଣ।

ନୂଆ ବିଚାରଧାରା ନୂଆ ନେତୃତ୍ୱକୁ ସୁଯୋଗ ଦେବାର ଅଭାବ ଚିତ୍ର। ଆଜି ବିଜେପି ଦଳ ଗଂଜାମ ଜିଲ୍ଲାରେ ଭେଣ୍ଟିଲେଟରରେ ରହିଥିବାବେଳେ ଅକ୍ସିଜେନ ଯୋଗାଇଲା ପରି କାମ ଦେବା ପାଇଁ ଦୁଇ ତିନୋଟି ମୁହଁର ଆବଶ୍ୟକତାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବିଜେପି ଉପଲବ୍ଧ ନକରିବା ମଧ୍ୟ ବିଡ଼ମ୍ବନା। ଯେଉଁମାନଙ୍କ ହାତରେ ଆଦୌ ଖଡ଼ା ସିଝୁନି ସେମାନେ ଦଳର ପଦପଦବୀ ମାଡ଼ି ବସିଛନ୍ତି। ରାମ କୁମାର ପାତ୍ରଙ୍କୁ ବିଜେପି ଜିଲ୍ଲାରେ ଦକ୍ଷ, ସଂଗଠନ ବୋଲି ଗ୍ରହଣ ନ କରି ତାଙ୍କର ଅନୁଭବ ଏବଂ ପାରଦର୍ଶିତାକୁ ଗୌଣ କରିବା ସବୁଠାରୁ ବଡ଼ ଭୁଲ।

ବିଭୂତି ଜେନାଙ୍କ ବିକଳ୍ପ ଭାବରେ ରାମ ପାତ୍ରଙ୍କୁ ବହୁ ଆଗରୁ ସଂଗଠନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ଗଂଜାମରେ ସ୍ଥିତି ଭଲ ରହିଥାନ୍ତା। ଅପରପକ୍ଷେ ଡା. ସୁବାଷ ଚନ୍ଦ୍ର ସାହୁଙ୍କ ପରି ଜଣେ ଉଦ୍ୟମୀ ଉତ୍ସାହୀ, ଦକ୍ଷ ବ୍ୟକ୍ତିତ୍ୱକୁ ବିଜେପିର ଡର କାହିଁକି ? ଭୃଗୁ ବକ୍ସିପାତ୍ରଙ୍କ ବିକଳ୍ପ ଭାବରେ ଡ଼ାକ୍ତର ସୁବାଷ ଚନ୍ଦ୍ର ସାହୁଙ୍କୁ ହିଁ ଗ୍ରହଣ କରିବା ଗ୍ରହଣୀୟ ବୋଲି ସାଧାରଣ ଜନତା ଚିନ୍ତା କରୁଛନ୍ତି। କାହ୍ନୁ ପତି ଏବଂ ବିଜୟ ସ୍ୱାଇଁଙ୍କ ପାଇଁ ବିଜେପିର ଅଧିକ କ୍ଷତି ହୋଇସାରିଛି। ଯେଉଁ କ୍ଷତି ପୂରଣ ପାଇଁ ସୁବାସ ସାହୁ ସମର୍ଥ ହେବେ।

ଅନ୍ୟପଟରେ ଅପରାଜିତା ଷଡ଼ଙ୍ଗୀଙ୍କ ଶୁଭଦୃଷ୍ଟିରେ ରହିଥିବା ଗଂଜାମ ଜିଲ୍ଲାର ଜଣେ ଯୁବ ପ୍ରତିଭା କବି, ସାହିତ୍ୟିକ, ଲେଖକ ତଥା ଆୟୁର୍ବେଦ ଡ଼ା. ସାଗର ରଂଜନ ତ୍ରିପାଠୀଙ୍କୁ ନେଇ ଭୁବନେଶ୍ୱରରେ ଅଧିକ ଚର୍ଚ୍ଚା। ସେ ଯଦିଚ ଦଳର ସକ୍ରିୟ କାର୍ଯ୍ୟଧାରାରୁ ବହୁ ଦୂରରେ ତଥାପି ତାଙ୍କର ବ୍ୟକ୍ତିତ୍ୱ ଆଗାମୀ ଦିନରେ ନିଶ୍ଚୟ ଏକ ସମ୍ଭାବନାକୁ ତିଆରି କରିବାର ପ୍ରସ୍ତୁତି ଚାଲିଛି।

ସମର୍ଥ ପରିବାର ଉଦ୍‌ଘାଟନ ଦିବସରେ ଡା. ସାଗର ରଂଜନ ତ୍ରିପାଠୀଙ୍କ ଅଭିଭାଷଣରୁ ଗଂଜାମ ଜିଲ୍ଲାର ସ୍ଥିତି ସଂପର୍କରେ ଯେଉଁ ଅଭିଭାଷଣ ରଖିଥିଲେ ଅପରାଜିତା ଷଡ଼ଙ୍ଗୀଙ୍କ ଶିବିରରେ ସେ ଲୋକପ୍ରିୟତାର ସବୁଠାରୁ ଶୀର୍ଷରେ। ଏଣୁ ଗଂଜାମ ଜିଲ୍ଲାରେ ବିଜେପିର ନୂତନ ସଂସ୍କରଣରେ ତିନିମୁହଁକୁ ଯୋଡ଼ି ଦେଇ ବାଛବିଚାର ବ୍ୟବଧାନଠାରୁ ଉର୍ଦ୍ଧ୍ୱରେ ରହି ଯଦି ଗଂଜାମ ଜିଲ୍ଲାରେ ସାଙ୍ଗଠନିକ ବ୍ୟବସ୍ଥାକୁ ଯୋଡ଼ିବାକୁ ପ୍ରୟାସ ହୁଏ ନିଶ୍ଚୟ ଭିନ୍ନ ସ୍ୱାଦର ଖେଳ ହେବ।

ଆଜି ବ୍ରହ୍ମପୁରରେ ନୂଆ ଚେହେରାକୁ ଆଣିବା ପାଇଁ ବିଜେପି ଦଳର ସ୍ଥାନୀୟ କର୍ମୀ ଓ ସଂଗଠନର କାରିଗରମାନେ ହିଚ୍‌କିଚ୍ ହେବା ବଦଳରେ ପରସ୍ପର ମଧ୍ୟରେ ବୁଝାମଣା କରି ମିଳିମିଶି ଯଦି ସଜାଡ଼ି ନେବେ ତେବେ ଆଗାମୀ ଦିନରେ ବିଜେପିରେ ବହୁ ସମ୍ଭାବନା ସୃଷ୍ଟି ହେବ। ଅପରାଜିତା ଷଡ଼ଙ୍ଗୀଙ୍କୁ ଆଣିବା ପାଇଁ ଖୁବ୍‌ଶୀଘ୍ର କିଛି ଦଳୀୟ କର୍ମୀ ଯୋଜନା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କର ଆଗମନ ଯେ ନିଶ୍ଚିତ। ସାଙ୍ଗଠନିକ ଦାୟିତ୍ୱଠାରୁ ଉର୍ଦ୍ଧ୍ୱରେ ରହି ସେ ଯେଉଁ ରାଜନୀତିର ପରିଭାଷାକୁ ବଦଳାଇ କାର୍ଯ୍ୟ କରୁଛନ୍ତି ଆଗାମୀ ଦିନରେ ଅପରାଜିତା ଷଡ଼ଙ୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆଗକୁ ଯେ ନଯାଇ ପାରିବେ କିଏ କହିବ।

ଏଣୁ ଜିଲ୍ଲାସ୍ତରରେ ଗଂଜାମର ସଂଗଠନ ଦାୟିତ୍ୱ ବୁଝୁଥିବା ଚରିତ୍ରମାନେ ପରସ୍ପର ମଧ୍ୟରେ ଭେଦଭାବ ଭୁଲି, ପରାମର୍ଶ ନେଇ, ସଂକୀର୍ଣ୍ଣ ମାନସିକତାରୁ ଉର୍ଦ୍ଧ୍ୱରେ ରହି ପଦ୍ମର ପାଖୁଡ଼ାକୁ ମଉଳିବାକୁ ନଦେଇ ବରଂ ପଦ୍ମ ଫୁଟାଇବା ପ୍ରୟାସ କରିଲେ ଜିଲ୍ଲା ବିଜେପି ବିଧି ବ୍ୟବସ୍ଥାରେ କିଛିଟା ଆଶା ସଂଚାର ହେବ ନୋହିଲେ ବିଜେପିର ସ୍ଥିତି ଗଂଜାମ ପାଇଁ ଅଧିକରୁ ଅଧିକ ବିପନ୍ନ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ଶ୍ରମିକ, କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ନେଇ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ଶ୍ରମିକ, କୃଷିକ୍ଷେତ୍ର ଓ କୃଷକଙ୍କ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ଏକ ଦାବିପତ୍ରଙ୍କୁ ଶ୍ରମଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ସେମାନେ ଅଭିଯୋଗ କରିଛନ୍ତି ରାଜ୍ୟରେ ୨୨ ବର୍ଷ ବିଜେଡ଼ି ଶାସନରେ ମଧ୍ୟ ଜିଲ୍ଲାରେ କୌଣସି ଶିଳ୍ପ, କାରଖାନା ଓ କୃଷିର ବିକାଶ ହୋଇନାହିଁ। ପ୍ରାୟ ୭ ଲକ୍ଷ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କୃଷକ ଏବଂ ଶ୍ରମିକଙ୍କ ପାଇଁ ଯେଉଁ ଆଇନମାନ ରହିଛି ତାହାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ବେଖାତିର କରୁଛନ୍ତି।

ଅନ୍ୟ ରାଜ୍ୟରେ ଶ୍ରମିକଙ୍କୁ କରୋନା ସମୟରେ ୧୨ହଜାର ସାହାଯ୍ୟ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାରେ ମାତ୍ର ୧୫ଶହ ଟଙ୍କା ଦେଇ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ଜିଲ୍ଲାରେ ଜମିକୁ ପାଣିର ଅଭାବ, ଶୀତଳଭଣ୍ଡାର ଅଭାବ ଓ ଚାଷୀଙ୍କୁ ବିହନ ସୁଲଭ ଦରରେ ଯୋଗାଇଦେବାରେ ସରକାର ବିଫଳ।

ଜିଲ୍ଲାରେ ମଦବେପାର ବେଧଡ଼କ ଚାଲିଥିବାବେଳେ ଶିଳ୍ପ ପ୍ରତିଷ୍ଠାନ ଶୂନ ରହିଛି। ମଦ ମାଫିଆ, ବାଲିମାଫିଆମାନେ ଜିଲ୍ଲାରେ ସମାନ୍ତରାଳ ଶାସନ ବ୍ୟବସ୍ଥା ଚଳାଇଛନ୍ତି। ଖଣିଜ ସଂପଦ ଲୁଣ୍ଠନ ହେବା ସହ ସାମାଜିକ ସୁରକ୍ଷା ବାଧାପ୍ରାପ୍ତ ହୋଇଛି। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ୪୪ଟି ଶ୍ରମ ଆଇନ ବାତିଲ ସହ ୪ଟି ଲେବର କୋଡ଼ରେ ସୀମିତ କରି ଶ୍ରମିକଙ୍କ ଅଧିକାରକୁ ଜବତ କରିବାକୁ ହୀନ ଚକ୍ରାନ୍ତ କରାଯାଇଛି।

ତେଣୁ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତରଫରୁ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଶ୍ରମିକ, କୃଷି, କୃଷକ, ବେକାରୀ, ଦାଦନ ଓ ଗରିବଲୋକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ରଂଜନ ତରେଇ, ସୌଭାଗ୍ୟ ସାସମଲ, ଆରତୀ ପଟ୍ଟନାୟକ, ସ୍ମୃତିମୟୀ ପଟ୍ଟନାୟକ, ରଂଜିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ପ୍ରଶାସନିକ ଅଧିକାରୀଙ୍କ କରୋନା ସଚେତନତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ହେଲା ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ କରୋନା କଟକଣାକୁ ଦୃଢ଼ ଭାବେ ପାଳନ କରିବାକୁ ପୁଣିଥରେ ଏସ୍‌ଓପି ଜାରି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାରେ ପୁଣିଥରେ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି। ଲୋକମାନେ ଭୟଭୀତ ନହୋଇ କରେନା କଟକଣାର ସମସ୍ତ ନିୟମ ମାନିଲେ କିଛି ଅସୁବିଧା ହେବ ନାହିଁ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡ଼େପୁଟି କମିଶନର ରମାଞ୍ଚଳ ଖମାରି, ଏନ୍‌ଫୋର୍ସମେଣ୍ଟ ଟିମ୍ ଅଧିକାରୀ ତରୁଣକାନ୍ତ ସମେତ ଅନେକ ଅଧିକାରୀ ଓ ବିଏମ୍‌ସି କର୍ମଚାରୀମାନେ ରାମଲିଙ୍ଗଶ୍ୱର ରୋଡ଼୍‌ରୁ ବାହାରି ଗାନ୍ଧିନଗର ଛକ, ବିଜିପୁର, ରେଳଷ୍ଟେସନ, ଟାଟା ବେଞ୍ଜ ଛକ ଆଦି ଛକମାନଙ୍କରେ ସାଇକେଲ୍‌ରେ ଭ୍ରମଣ କରି ମାସ୍କ, ସାମାଜିକ ଦୂରତା ଓ ହାତଧୁଆଁ ନେଇ ଲୋକଙ୍କୁ ସଚେତନତା କରିଥିଲେ।

ଏହାସହ ମୋ ୱାର୍ଡ଼ ସ୍ୱଚ୍ଛ ୱାର୍ଡ଼ ଏବଂ ମୋ ସାହି ସ୍ୱଚ୍ଛ ସାହି ପ୍ରତିଯୋଗିତା କରି ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସହରରେ ଦୋକାନୀମାନେ ପରିମଳ ସମ୍ବନ୍ଧୀୟ ବହୁ ନିୟମ ମାନିବାକୁ ମଧ୍ୟ ତାଗିଦ୍ କରି ଆସୁଛି ବିଏମ୍‌ସି। ସମସ୍ତ ନିୟମ ପାଳନ ହେଉଛି କି ନାହିଁ ଜିଲ୍ଲାପାଳ ଏବଂ କମିଶନର ପରଖିଥିଲେ। ସମସ୍ତ ଦୋକାନୀ ଡ଼ଷ୍ଟବିନ୍ ରଖି ଆବର୍ଜନା ପକାଇବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସଲହାସୁତୁରାରେ ଚାଲିଛି ଗଂଜାମ ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟ କାରବାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବୈଠକ ଡ଼କାଇ ନିଜସ୍ୱ ବିଭାଗ ଅଧିକାରୀଙ୍କୁ ବେଆଇନ ଲଘୁ ଖଣିଜ ଉତ୍ତୋଳନ ଉତ୍ସର ସ୍ଥିତାବସ୍ଥା, ବେଆଇନ ମାଟିପୋଡ଼ା ଇଟାଭାଟି, ଚିମିନିଭାଟିର ଆକଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ତହସିଲ୍ ଗସ୍ତ କରି ବାଲି ସଇରାତ, ପଥର ଓ ମୋରୁମ ଖଦାନ, ଚିମିନି ଭାଟି ଓ ଉପରପୋଡ଼ା ଇଟାଭାଟିରେ ପହଞ୍ଚି ସରଜମିନ୍ ଅନୁଧ୍ୟାନ କରି ଜିଲ୍ଲାପାଳଙ୍‌କୁ ବିବରଣୀ ପ୍ରଦାନ କରୁଥିବାବେଳେ ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି। ଅନ୍ୟ ଦୃଷ୍ଟିକୋରୁ ଗଂଜାମ ଜିଲ୍ଲା ଅନ୍ତର୍ଗତରେ ଥିବା ଲାଭାଜନକ ଲଘୁ ଖଣିଜ ଉତ୍ସରେ ଶାସକ ଦଳର ସଲାସୁତୁରାରେ ଅବୈଧ କାରବାର ହେଉଥିବା, ପୁଣି ନିର୍ଦ୍ଦିଷ୍ଟ କିଛି ତହସିଲ୍‌ଦାରଙ୍କ କାର୍ଯ୍ୟଶୈଳୀରେ ମାଫିଆ ଗୋଷ୍ଠୀଙ୍କ ନିଦ ହଜିଥିଲା ବେଳେ ପ୍ରଶାସନ ଚାପରେ ଥାଇ ପଦକ୍ଷେପ ବଦଳରେ ତହସିଲ୍‌ଦାରଙ୍କୁ ପରିବର୍ତ୍ତନ କରି ପଛଘୁଞ୍ଚା ଦେଉଥିବା ନଜରକୁ ଆସିଛି।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସବ୍ କଲେକ୍ଟରଙ୍କ ଅଧୀନ ପାତ୍ରପୁର, ଚିକିଟି, ଦିଗପହଣ୍ଡି ତହସିଲ୍ ଅଂଚଳର ସୀମାନ୍ତରେ ଥିବା ଏହି ସଇରାତ ଉତ୍ସର କମ୍ ପରିମିତ ଅଂଚଳକୁ ନିଲାମକୁ ନେଇ ଅବଶିଷ୍ଟ ଅଂଚଳରୁ ଜେସିବି ଲଗାଇ ହାଇୱା ଦ୍ୱାରା ପ୍ରତ୍ୟେକ ହଜାରହଜାର ସିଏମ୍‌ର ରାଜସ୍ୱ ପାଉଣା ହରିଲୁଟ ହେଉଥିବା ସାଧାରଣରେ ଆଲୋଚନା ଜୋର୍ ଧରିଛି। ତହସିଲ୍‌ଦାରଙ୍କ ପରିଯୋଜନା ପ୍ରକାରେ ଏଭଳି କାରବାର ବେଶ୍ ଦୁରୁହ ବ୍ୟାପକାର ହୋଇଥିବାରୁ ଉଭୟ ଚିକିଟି ଏବଂ ଦିଗପହଣ୍ଡି ତହସିଲ୍ କାର୍ଯ୍ୟାଳୟକୁ ଏଥି ନେଇ ଉତ୍ତରଦାୟୀ କରୁଥିବା ଚର୍ଚ୍ଚା ହେଉଛି।

ବିନା ମାଇନିଂ ପ୍ଲାନ ଓ ଯାନ୍ତ୍ରିକ ଉଠାଣ ପାଇଁ ଆବଶ୍ୟକୀୟ ଅନୁମତି ନଥାଇ ବିସ୍ତୀର୍ଣ୍ଣ ଅଂଚଳରୁ ଅବାଧ ବାଲି ଚାଲାଣ ନେଇ ସ୍ଥାନୀୟ ପ୍ରଶାସନ ସଂଦେହ ଘେରରେ ଥିବାରୁ ଉଭୟ ଉପଜିଲ୍ଲାପାଳ ବ୍ରହ୍ମପୁର ଓ ଛତ୍ରପୁର ଜିଲ୍ଲାପାଳ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ସ୍ୱାମୀଙ୍କ ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଅଂଚଳର ୪୦ ବର୍ଷୀୟ ବିଜୟ କୁମାର ପଣ୍ଡା ଏବେ ସରକାରୀ ସହାୟତା ଅପେକ୍ଷାରେ। ଛତ୍ରପୁର ଲେପ୍ରୋସି କଲୋନୀରେ ରହି ଆସୁଥିବା ବିଜୟ ଏବଂ ତାଙ୍କ ପତ୍ନୀ ଏବଂ ଛୋଟ ଛୋଟ ଦୁଇ ଶିଶୁ ଯେନତେନ ପ୍ରକାରରେ ପରିବାର ଚଳେଇ ଆସୁଥିଲେ।

ଗତ ଡ଼ିସେମ୍ବର ମାସରେ ହଠାତ୍ ବିଜୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିଯୋଗୁଁ ପତ୍ନୀ ପ୍ରତିମା ସ୍ୱାମୀ ବିଜୟଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ସମୟରେ ଡ଼ାକ୍ତରୀ ଦଳ ଜାଣି ପାରିଥିଲେ ତାଙ୍କ ଛାତିରେ ପାଣି ଜମୁଛି। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥିତ ଏସ୍‌ସିବି ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ଡ଼ାକ୍ତରୀ ଦଳ ଛାତିରେ ପାଣି ଜମୁଥିବା ଯୋଗୁଁ କିଛିଦିନ ରଖି ଚିକିତ୍ସା କରିବା ପରେ ଅସ୍ତ୍ରୋପଚାର କରି ଏକ ପାଇପ୍ ଦେଇ ଘରକୁ ଫେରାଇ ଦେଇଥିଲେ ଏବଂ ପାଣି ଶୁଖିବା ପରେ ପୁଣିି ସିଲେଇ କରାଯିବ ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ।

ଜଣେ ଗାଡ଼ି ଚାଳକ ଭାବେ ପରିବାର ଚଳାଉଥିବା ବିଜୟ ଅସୁସ୍ଥ ହେବା ଯୋଗୁଁ କୌଣସି କାମଧନ୍ଦା କରିପାରୁନଥିଲେ। ଏପେଟ ସ୍ତ୍ରୀ କିଛି କାମଧନ୍ଦା କରି ପରିବାର ପେଟ ପୋଷୁଥିଲେ। ବର୍ତ୍ତମାନ ବିଜୟଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହୋଇଛି। ଛାତିର ଦୁଇ ପାଶ୍ୱର୍ରେ ପାଣି ଜମୁଥିବାରୁ ତାଙ୍କୁ ପୁଣିଥରେ ଏମ୍‌କେସିଜି ମେଡ଼ିକାଲ୍‌କୁ ପତ୍ନୀ ଆଣିଛନ୍ତି। ପଡ଼ୋଶୀଙ୍କଠାରୁ ମାତ୍ର ୫୦୦ ଟଙ୍କା ଉଦ୍ଧାର ଆଣି ସେ ମେଡ଼ିକାଲ୍ ଆଣି ଭର୍ତ୍ତି କରିଛନ୍ତି।

ଏମ୍‌କେସିଜି ଡ଼ାକ୍ତର ପୁଣିଥରେ କଟକ ନେବାକୁ ପରାମର୍ଶ ଦେଇଥିବାବେଳେ ହାତରେ ଟଙ୍କାଟିଏ ବି ନଥିବାରୁ ପତ୍ନୀ କିଛି ଉପାୟ ନ ପାଇ ବ୍ରହ୍ମପୁରରେ ରେଡ଼ିଓ ଷ୍ଟେଣ୍ଟର ନିକଟ ବ୍ୟାଙ୍କ କଲୋନୀରେ ଭଡ଼ା ଘରେ ରହୁଥିବା ସେଠାକୁ ନେଇଯାଇଛନ୍ତି। ହେଲେ ଏବେ ସବୁଠାରୁ ଚିନ୍ତାର ବିଷୟ ନିଜ ସ୍ୱାମୀଙ୍କୁ କଟକ ନେବେ କିପରି, ସେଠାରେ ଔଷଧ ଖର୍ଚ୍ଚ କରିବା ପାଇଁ କିଏ ଯୋଗାଇବ ଅର୍ଥ। ଏଭଳି ଅନେକ ଚିନ୍ତାରେ ରହିଥିବା ମହିଳା ଜଣଙ୍କ ନିଜର ଦୁଃଖ ଜଣାଇଛନ୍ତି।

ପରିବାରରେ ଏହି ଦମ୍ପତ୍ତିଙ୍କୁ ସହଯୋଗ କରିବା ପାଇଁ କେହି ନଥିବାରୁ ଏକାକୀ ମହିଳା ଜଣକ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି। ଏପରିକି କିଛି ସହୃଦୟ ବ୍ୟକ୍ତି ବିଜୟ ଚିକିତ୍ସା ପାଇଁ କିଛି ଅର୍ଥ ସାହାଯ୍ୟ କଲେ ପୁଣି ବିଜୟ ସାଧାରଣ ଜୀବନ ବିତାଇବାରେ ସକ୍ଷମ ହେବ। ବିଜୟଙ୍କ ପତ୍ନୀଙ୍କ ମୋବାଇଲ୍ ନମ୍ବର ୮୩୩୮୯୦୬୦୨୩ ରେ ସହାୟତା କରିବାକୁ ସେ ଆକୁଳ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲା ବିଜେପି ନୂତନ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ସଭା ସହ ମଣ୍ଡଳସ୍ତରୀୟ ନେତା ଚୟନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ଗଂଜାମ ଜିଲ୍ଲା ନୂତନ ପଦାଧିକାରୀଙ୍କ ଏକ ସମ୍ବର୍ଦ୍ଧନା ସଭା ଷ୍ଟେସନ ରୋଡ଼୍ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଗଂଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ରଙ୍କ ସହ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରାଙ୍କ ଉପସ୍ଥିତିରେ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ହେବା ସଂଗେ ସଂଗେ ମଣ୍ଡଳ କମିଟିର ବୈଠକ, ମୋର୍ଚ୍ଚା କମିଟିର ଗଠନ ଉପରେ ସଭାପତି ଶ୍ରୀ ଜେନା ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଜିଲ୍ଲାର ସମସ୍ତ ମଣ୍ଡଳ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଥିଲା। ତୁଳୁ ମଣ୍ଡଳ ପାଇଁ ରଜତ ପଣ୍ଡିତ, ଗୋଳନ୍ଥରା ମଣ୍ଡଳ ପାଇଁ ଗଙ୍ଗାରେ ଶତପଥୀ, ଶିଳ୍ପାଞ୍ଚଳ ମଣ୍ଡଳ ପାଇଁ ଏନ୍‌. ରାଜେନ୍ଦ୍ର କୁମାର, ନିମଖଣ୍ଡି ମଣ୍ଡଳ ପାଇଁ ରାଜେଶ ସାହୁ, ଗୋପାଳପୁର ଏନ୍‌ଏସି ମଣ୍ଡଳ ପାଇଁ ବିନୋଦ ଚନ୍ଦ୍ର ମିଶ୍ର, କମାପଲ୍ଲି ମଣ୍ଡଳ ପାଇଁ ମନୋଜ ପଟ୍ଟନାୟକ, ଗେଟ୍‌ବଜାର ମଣ୍ଡଳ ପାଇଁ ପ୍ରଦୀପ ଶତପଥୀ, ଆସିକାରୋଡ ମଣ୍ଡଳ ପାଇଁ ରାମ ପାତ୍ର, ପୁରୁଣା ବ୍ରହ୍ମପୁର ପାଇଁ ପ୍ରବୀର ପାତ୍ର, ସାନବଜାର ପାିଁ ଅହିଂସା ସାହୁ, ଗାନ୍ଧିନଗର ପାଇଁ ଶିବ ଅଧିକାରୀ, ଗୋଷାଣିନୂଆଗାଁ ପାଇଁ ପ୍ରଭାତ ଷଡ଼ଙ୍ଗୀ, ଭିକାରୀପଲ୍ଲି ମଣ୍ଡଳ ପାଇଁ ଲକ୍ଷ୍ମୀ ପଣ୍ଡା, ଟାଙ୍ଗଣାପଲ୍ଲୀ ପାଇଁ ଗାଣ୍ଡୁ ଗୌଡ଼, କଣମଣା ପାଇଁ ବସନ୍ତ ବେହେରା, ଛତ୍ରପୁର ଏନ୍‌ଏସି ପାଇଁ ଡ. ସୁବାଷ ସାହୁ, ଗଂଜାମ ଏନ୍‌ଏସି ପାଇଁ ପ୍ରଶାନ୍ତ ନାୟକ, ରମ୍ଭା ଏନ୍‌ଏସି ପାଇଁ କୀର୍ତ୍ତିନ ଦାସ, ସନ୍ତୋଷପୁର ପାଇଁ ରଶ୍ମୀରାଣୀ ମହାପାତ୍ର, ହୁମ୍ମା ପାଇଁ କାନ୍ତାରୁ ଦଳାଇ, ସୁରଳ ପାଇଁ ବାଳକୃଷ୍ଣ ସାମନ୍ତରା, ପିତାତଳୀ ମଣ୍ଡଳ ପାଇଁ ଏନ୍‌. ଡ଼ମ୍ବୁରୁ ରେଡ୍ଡୀ, ଜରଡ଼ା ପାଇଁ ଆଇ ବାଳକୃଷ୍ଣ, ପାତ୍ରପୁର ପାଇଁ ଲଳିତା ପ୍ରଧାନ, ସୁରଙ୍ଗୀ ପାଇଁ ୱାଇ. ମୋହନ ରାଓ, ନୂଆପଡ଼ା ପାଇଁ ମଧୁସୂଦନ ସାହୁ, ଚିକିଟି ଏସ୍ ନାଗଭୂଷଣ, ଦିଗପହଣ୍ଡି ଏନ୍‌ଏସି ପାଇଁ ଅନନ୍ତ ମହାନ୍ତି, ବାଲିପଡ଼ା ସୂର୍ଯ୍ୟମଣି ପାତ୍ର, ବମକୋଇ ସୁଭେନ୍ଦୁ ପାଢ଼ି, ପଦ୍ମନାଭପୁର ପରେଶ ରଥ, ଭୀଷ୍ମିଗିର ପାଇଁ ସୂର୍ଯ୍ୟନାରାୟଣ, ମହୁଡ଼ା ମଣ୍ଡଳ ପାଇଁ ଗୋବିନ୍ଦ ବିଷୋୟୀ, ଗୋକର୍ଣ୍ଣପୁର ପାଇଁ ଫକୀର ବେହେରାଙ୍କୁ ପ୍ରଭାରୀ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ଜିଲ୍ଲା କାର୍ଯ୍ୟାଳୟ ପ୍ରଭାରୀ ରୂପେ ପ୍ରଭାତ ଷଡ଼ଙ୍ଗୀ ଓ ବାଳକୃଷ୍ଣ ସାମନ୍ତରାୟ, ଅଭିଯୋଗ ପ୍ରକୋଷ୍ଠ ପ୍ରଭାରୀ ରୂପେ ନିରଞ୍ଜନ ପାଣିଗ୍ରାହୀ ଓ ମନୋଜ ପଟ୍ଟନାୟକ, କାର୍ଯ୍ୟକାରୀ ପ୍ରଭାରୀ ଏନ୍‌. ରାଜେନ୍ଦ୍ର କୁମାର ଓ ଶିବ ପ୍ରସାଦ ପାତ୍ର ଏବଂ ଜିଲ୍ଲା ବୁଥ୍‌ପ୍ରଭାରୀ ରୂପେ ସରୋଜ କୁମାର ସାବତ ଓ ଗଙ୍ଗାଧର ଶତପଥୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ଖେଳ ରାଜ୍ୟ ଖବର

ଆନ୍ତଃଜିଲ୍ଲା ସାହାଣି କପ୍ ଲାଗି ଗଂଜାମ ଜିଲ୍ଲା ପୁଟ୍‌ବଲ୍ ଦଳ ଗଠିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୭ ତାରିଖରୁ ଚାଲିଥିବା ଗଂଜାମ ଜିଲ୍ଲା ପୁଟ୍‌ବଲ୍ ପୁରୁଷ ବର୍ଗର ତାଲିମ ଓ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ୭ ତାରିଖରୁ ସୁନ୍ଦରଗଡ଼ଠାରେ ଆରମ୍ଭ ହେବାକୁ ଥିବା ଆନ୍ତଃଜିଲ୍ଲା ପୁରୁଷ ଫୁଟ୍‌ବଲ୍ ପ୍ରତିଯୋଗିତା ସାହାଣି କପ୍‌ରେ ଗତକାଲି ଚୟନ ହୋଇଥିବା ୧୮ ଜଣିଆ ଫୁଟ୍‌ବଲ ଦଳ ଗଂଜାମ ତରଫରୁ ଭାଗ ନେବେ।

ଗତକାଲି ଖେଳାଳୀଙ୍କ ଗହଣରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ଭଲ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ। ଜିଲ୍ଲା ଦଳରେ ପିଣ୍ଟୁ ବେହେରା (ଅଧିନାୟକ), ସଂଜୟ ନାୟକ, ସାଇନାଥ ମହାରଣା, ସୁବ୍ରତ ନାୟକ, ସମୀର ବେହେରା, ରାକେଶ ବେହେରା, ସୁଜିତ ଦଳାଇ, ପି. ଗୋପାଳକ୍ରିଷ୍ଣା, ତ୍ରିଦେବ ମୁଖି, ଅଜିତ ମୁଖି, ଆଶିଷ ବିଷୋୟୀ, ଗଣପତି ସେଠି, ରାଜକୁମାର ତିର୍କୀ, ଅଶୋକ କିଶନ, ହରିବନ୍ଧୁ କିସ୍‌କୁ, ଶକ୍ତିକାନ୍ତ ବେରୋ, ଶଙ୍କର ନାୟକ ଏବଂ ସୁଶାନ୍ତ ବେହେରା ଅଛନ୍ତି।

ଜିଲ୍ଲା କ୍ରୀଡ଼ା ସଂସଦ ଫୁଟବଲ୍ ସଂପାଦକ ସୀତାରାମ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ବସନ୍ତ ପାଣିଗ୍ରାହୀ, ଜି. ମନମଥ ବାବୁ, ସୀତାରାମ ବେବର୍ତ୍ତା, ସୁଜିତ ପାତ୍ର, ପ୍ରଦୀପ ପାତ୍ର କରିଥିଲେ। ରମେଶ ବେହେରା ମ୍ୟାନେଜର ଏବଂ ଦିଲିପ ସାମନ୍ତରା କୋଚ୍ ଭାବେ ଗସ୍ତ କରିବେ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେପି ଗଂଜାମ ଜିଲ୍ଲା ଟିମ୍‌ର ନୂତନ କର୍ମକର୍ତ୍ତା ନିର୍ବାଚିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଦେଶ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କ ଅନୁମୋଦନ କ୍ରମେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ କରିଛନ୍ତି। ଜିଲ୍ଲା ଉପସଭାପତି ରୂପେ ନିରଞ୍ଜନ ପାଣିଗ୍ରାହୀ, ମନୋଜ କୁମାର ପଟ୍ଟନାୟକ, ବିନୋଦ ଚନ୍ଦ୍ର ମିଶ୍ର, ପରେଶ ଚନ୍ଦ୍ର ରଥ, ରାମକୁମାର ପାତ୍ର, ୱାଇ. ମୋହନ ରାଓ, ରଶ୍ମୀରେଖା ମହାପାତ୍ର. ଡ. ନମିତାରାଣୀ ପଣ୍ଡା, ସାଧାରଣ ସଂପାଦକ ରୂପେ ଏନ୍‌. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟମଣୀ ପାତ୍ର, ସଂପାଦକ ଭାବେ ସୁଶିଳା ମଲିକ ଓ ନଗ୍‌ମା, ସନ୍ତୋଷିନୀ ମହାରଣା, ଭିମସେନ ବେହେରା, ଲକ୍ଷ୍ମୀ ଚରଣ ପଣ୍ଡା, ବାଳକୃଷ୍ଣ ସାମନ୍ତରାୟ, ପ୍ରଦୀପ କୁମାର ଶତପଥୀ, କାର୍ଯ୍ୟକାରୀ ସଂପାଦକ ରୂପେ ଗୋପିନାଥ ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି।

ସେହିଭଳି ଯୁବମୋର୍ଚ୍ଚା ସଭାପତି ରୂପେ ଏଲ୍‌. ମୋହନ ଦାସ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରୂପେ ପ୍ରଶାନ୍ତ କୁମାର କର, କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟାନନ୍ଦ ଦାସ ମହାରାଜ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଏସ୍‌. ରାଣୀ, ପଛୁଆବର୍ଗ ମୋର୍ଚ୍ଚା ସଭାପତି ମଦନମୋହନ ପାତ୍ର, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଧନୁ ଶବର, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରାଙ୍କ ନାମ ଘୋଷଣା କରାଯାଇଥିବାବେଳେ ମିଡ଼ିଆ ସେଲ୍ ସଂଯୋଜକ ଭାବେ ସୁନିଲ କୁମାର ସାହୁ, ଅର୍ଥନୈତିକ ସେଲ୍ ସଂଯୋଜକ ଭାବେ ଆଇନଜୀବୀ ଭୁବନେଶ୍ୱର ମିଶ୍ର, ଆଇନ ସେଲ୍‌ର ସଂଯୋଜକ ଆଇନଜୀବୀ ପ୍ରଦୀପ କୁମାର ପାଢ଼ି, ସାମାଜିକ ଗଣମାଧ୍ୟମ ସଂଯୋଜକ ଶିବ ପ୍ରସାଦ ପାତ୍ର, ସମବାୟ ସେଲ୍ ସଂଯୋଜକ ଭାବେ ରାମପ୍ରସାଦ ସାମଲ, ସୂଚନା ଅଧିକାର ସେଲ୍ ସଂଯୋଜକ ଆଇନଜୀବୀ ସୈଳେନ୍ଦ୍ର କୁମାର ମିଶ୍ର, ବୁଦ୍ଧିଜୀବୀ ସେଲ୍‌ର ସଂଯୋଜକ ପ୍ରଫେସର କେ. ସେଶଗିରି ରାଓ, କର୍ମଜୀବୀ ସେଲ୍ ସଂଯୋଜକ ଡ. ଅମୂଲ୍ୟ ଚୌଧୁରୀ, ସ୍ୱାସ୍ଥ୍ୟ ସେଲ୍ ରାଜୀବ କୁମାର ମିଶ୍ର, ବିପଣନ ସଂଯୋଜକ ଡି. କରୁଣାକର, ମତ୍ସ୍ୟଜୀବୀ ସେଲ୍ ସଂଯୋଜକ ଏସ୍‌. ରାଜା ରାଓ, ଶିକ୍ଷକ ସେଲ୍ ସଂଯୋଜକ ତ୍ରିନାଥ ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି।

ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ କୁଂଜବିହାରୀ ପାଣିଗ୍ରାହୀ, ନନ୍ଦ କିଶୋର ସାହୁ, ଶିଶିର ପାଢ଼ି, ଭୃଗୁ ବକ୍ସିପାତ୍ର, ପିଙ୍କୁ ପ୍ରଧାନ, ସରୋଜ ସାବତ, କାହ୍ନୁଚରଣ ପତି, ମନୋରଂଜନ ଦ୍ୟାନସାମନ୍ତରାଙ୍କ ସମେତ ୯୧ ଜଣଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀରେ ସାମିଲ କରାଯାଇଥିବା ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଧାନ ବିକ୍ରିରେ ସମସ୍ୟା ନେଇ କୃଷକ ସଭାର ଆନ୍ଦୋଳନ ପାଇଁ ସଜବାଜ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅଖିଳ ଭାରତ କୃଷକ ସଭା ଗଂଜାମ ଜିଲ୍ଲା ପରିଷଦର ନୈତିକ ବ୍ରହ୍ମପୁର ପାର୍କସାହିଠାରେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ନେଇ ଚାଲିଥିବା ଅହେତୁକ ବିଳମ୍ବ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ଟୋକେନ୍ ଯୋଗାଣରେ ବିଳମ୍ବ, ମିଲରଙ୍କ ଅନିଶ୍ଚିତତା ସହ ଉଠାଯାଉଥିବା ଧାନର ପରିବର୍ତ୍ତନ ଖର୍ଚ୍ଚ ଓ ବୋଝେଇ ହେଉଥିବା ଅଖାର ଦାମ ନେଇ ସମଗ୍ର ଜିଲ୍ଲାରେ ଚାଷି ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଧାରଣା ଓ ଏଥିପୂର୍ବରୁ କୃଷକସଭାର ଏକ ପ୍ରତିନିଧି ମଣ୍ଡଳୀ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ସ୍ଥିର ହୋଇଛି। ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟରେ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମସ୍ତ ନୈତିକ ସମର୍ଥନ ଜଣାଇବା ସହ ଚାଷି ବିରୋଧୀ କଳା ଆଇନ୍‌ର ପ୍ରତିହାର ନିମନ୍ତେ ପୁନଃ ଦାବି କରାଯାଇଛି। ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ସଭ୍ୟପଦ ଚୂଡ଼ାନ୍ତ କରି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ମଧ୍ୟରେ ବ୍ଲକ୍‌/ଜୋନ୍ ସମ୍ମିଳନୀ ଶେଷ କରାଯିବା ନିଷ୍ପତ୍ତି ନିଆଯାଇଛି।

ବୈଠକରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ସଂପାଦକ ରାଜୀବ ଲୋଚନ ପଣ୍ଡା, ରଙ୍କନାଥ ସ୍ୱାଇଁ, ସୁଦର୍ଶନ ସ୍ୱାଇଁ, ଲକ୍ଷ୍ମୀଚରଣ ପାଣିଗ୍ରାହୀ, ଅନନ୍ତ ମହାଙ୍କୁଡ଼, ଭଗବାନ ରାଉତ, କ୍ରିଷ୍ଣା ରେଡ଼ି, ଦଣ୍ଡପାଣି ରେଡ଼ି, ବିଦେଶୀ ନାହାକ, ଗୋପାଳ ଭୂୟାଁ, ଶରତ ଚନ୍ଦ୍ର ପଟ୍ଟନାୟକ, ମୂଷା ବେହେରା ପ୍ରମୁଖ ଆଲୋଚନା କରିଥିଲେ। ଅତିଥି ଭାବେ ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ରାଜ୍ୟ ଯୁବ ସଂଘ ନେତା କାମଦେବ ନାହାକ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦର ପ୍ରତିଷ୍ଠା ଦାବି ନେଇ ମାନବ ଶୃଙ୍ଖଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଜୋର୍ ଧରିଛି ବିମାନ ବନ୍ଦର ପ୍ରତିଷ୍ଠା ଦାବି। ବିଭିନ୍ନ ସଂଗଠନ ପକ୍ଷରୁ ବହୁଦିନ ଧରି ଦାବି ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଗଂଜାମ ଜିଲ୍ଲ ବିଭିନ୍ନ ଅଂଚଳର ଶତାଧିକ ସାମାଜିକ ଅନୁଷ୍ଠାନକୁ ନେଇ ମିଳିତ ଭାବେ ଗଠିତ “ଫରମ୍ ଫର୍ ବ୍ରହ୍ମପୁର ଏୟାରପୋର୍ଟ” ସଂଗଠନ ପକ୍ଷରୁ ବ୍ରହ୍ମପୁରଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବ୍ରହ୍ମପୁର କୋର୍ଟପେଟା ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ ଏକ ବିରାଟ ହ୍ୟୁମାନ୍ ଚେନ୍ ମାଧ୍ୟମରେ ପ୍ରତିବାଦ କରାଯାଇ ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସେହପରି ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ଘଟଣା ବିଷୟରେ ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପୂର୍ବରୁ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ କହିଥିଲେ। କିନ୍ତୁ ଏହି ପ୍ରସଂଗ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିଛି ଡ଼େଭଲପ୍‌ମେଣ୍ଟ ଫୋରମ୍। ପୂର୍ବରୁ ସ୍ଥାନ ଚିହ୍ନଟ କରାଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଦାସୀନତା ଯୋଗୁଁ କାମ ଆଗେଇ ପାରୁନାହିଁ ବୋଲି କହିଛନ୍ତି ସଭାନେତ୍ରୀ ବବିତା ପାତ୍ର।

ଆୟୋଜିତ ପ୍ରତିବାଦରେ ସଂଗଠନର ରାମ ପ୍ରସାଦ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ପାଢ଼ୀ, ମାନସ ପାତ୍ର, ସରୋଜ ପଟ୍ଟନାୟକ, ବି. ସୌମେଶ୍ୱର ରାଓ, ଟୁନା ମହାରଣା, ଶ୍ରୀକାନ୍ତ ପାଢ଼ୀ ସମେତ କ୍ରିୟାନୁଷ୍ଠାନ କମିଟିର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ଜାଲି ଶ୍ରମିକ ପରିଚୟ ପତ୍ର: ଢ଼ାଲରେ ଜନସେବା କେନ୍ଦ୍ର ଏବଂ ଇଣ୍ଟରନେଟ୍ କେନ୍ଦ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଲକ୍‌ରେ ଜାଲି ଶ୍ରମିକ କାର୍ଡ଼ ପୈଠ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ମୁଖ୍ୟତଃ ସାମାନ୍ୟ ଶ୍ରମିକ ପରିଚୟ ପତ୍ରଟିଏ କରିବା ପାଇଁ ଶ୍ରମିକମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିବାବେଳେ ଏହା ପରିଚୟ ପତ୍ର କରିବା ପାଇଁ ମଧ୍ୟ କିଛି ଅସାଧୁ ଅଧିକାରୀମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଦେଖାଦେଇଛି।

ସୂଚନାଥାଉକି ତଳଦିନେ ଛତ୍ରପୁର ବ୍ଳକ୍‌, ଶେରଗଡ଼ ବ୍ଲକ୍ ଆଦି ଅଂଚଳରେ ଲୋକେ ପାଇଥିବା ଶ୍ରମିକ ପରିଚୟ ପତ୍ରକୁ ଜାଲି କରି ଟଙ୍କା ହଡ଼ପ କରାଯାଇଥିବାକୁ ନେଇ ଅଭିଯୋଗ ହୋଇଛି। କେବଳ ଏହି ଦୁଇ ବ୍ଳକ୍ ନୁହେଁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସଦରମହକୁମା ଏବଂ ଅନ୍ୟ ବ୍ଲକ୍‌ମାନଙ୍କରେ ମଧ୍ୟ ଏହିପରି ଜାଲିଜାତିର ଶିକାର ହୋଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଏଫେକ୍ସ ଓଡ଼ିଶା ନେଟ୍‌କେଫ୍ ସଂସ୍ଥାର କର୍ମଚାରୀର ପରିଚୟ ଦେଇ କେତେକ ବ୍ୟକ୍ତି ଜିଲ୍ଲାକୁ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ସମେତ ନେଟ୍‌ଜୋନ୍‌ରେ ପହଞ୍ଚି କଥାବାର୍ତ୍ତା କରିଥିଲେ। ଯେଉଁମାନଙ୍କ ନାମରେ ରାସନ କାର୍ଡ଼ ରହିଛି, ସେମାନଙ୍କୁ ଶ୍ରମିକ ପରିଚୟ ପତ୍ର ଦିଆଯିବ ବୋଲି କହିଥିଲେ। ଯାହାକି ବ୍ରହ୍ମପୁର ସହରରେ ମଧ୍ୟ କିଛି ସାହିରେ କିଛି ବ୍ୟକ୍ତିବିଶେଷ ଘର ଘର ବୁଲୁଥିବା ମଧ୍ୟ ଅନୁସନ୍ଧାନରୁ ଜଣାପଡ଼ିଛି। ଯେଉଁ ବ୍ୟକ୍ତିମାନେ ଶ୍ରମିକ ପରିଚୟ ପତ୍ର ଆବଶ୍ୟକ କରୁଛନ୍ତି ସେମାନଙ୍କଠାରୁ ଦୁଇଶହରୁ ଚାରିଶହ ଟଙ୍କା ପ୍ରର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସଂପୃକ୍ତ କର୍ମଚାରୀମାନେ କହିଥିଲେ।

ଶ୍ରମିକ ପରିଚୟ ପତ୍ର ପାଇବାକୁ ହେଲେ ଆବେଦନକାରୀମାନେ ଆଧାର କାର୍ଡ଼, ଫଟୋ, ବ୍ୟାଙ୍କ ପାସ୍‌ବୁକ୍‌ର ଜେରେକ୍ସ କପି ଏବଂ ରାସନ କାର୍ଡ଼ ସାଙ୍ଗରେ ନେଇ ଆସି ଆବେଦନ କରିବା ପାଇଁ କହିଥିଲେ ଏବଂ ଆବେଦନ କରିବାର ୩୦ ଦିନ ଭିତରେ ପରିଚୟ ପତ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏଭଳିକି ଜିଲ୍ଲାରେ କାର୍ଯ୍ୟରତ ଥିବା ବିଭିନ୍ନ ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ରଗୁଡ଼ିକରେ ଆବେଦନ କରିପାରିବ ବୋଲି କୁହାଯାଇଥିଲା। ଯାହାକି ଜନସେବା କେନ୍ଦ୍ର ଏବଂ ନେଟ୍‌ଜୋନ୍‌ମାନଙ୍କୁ ଲୋଭ ଦେଖାଇ ଏଭଳି ସୁବିଧାରେ ଶ୍ରମିକ ପରିଚୟ ପତ୍ର ଦିଆଯିବ ବୋଲି କୁହାଯାଇଥିଲା। ଏଥିପାଇଁ ମଧ୍ୟ ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ର ଉକ୍ତ ଠକ କଂପାନୀଠାରୁ ଏହି ବାବଦରେ କିଛି କମିଶନ ପାଉଥିଲେ। ଯାହାଫଳରେ କିଛି ନ ବୁଝି କୌଣସି ପ୍ରକାର ସୂଚନା ନଥାଇ ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ରମାନେ ଲୋକମାନଙ୍କୁ ଶ୍ରମ ପରିଚୟ ପତ୍ର ଯୋଗାଇ ଦିଆଯିବ ବୋଲି କିପରି କହୁଥିଲେ ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ।

ସୂଚନାଥାଉକି ତଳଦିନେ ଶେରଗଡ଼ ଅଂଚଳର କିଛି ଲୋକ ଛତ୍ରପୁର ଜିଲ୍ଲା ଶ୍ରମି କାର୍ଯ୍ୟାଳୟକୁ ଆସି ସହାୟତା ରାଶି ପାଇଁ ଆବେଦନ କରିଥିଲେ ଏବଂ ଆବେଦନ କରିବା ପାଇଁ ସାଥୀରେ ଆଣିଥିବା ଶ୍ରମିକ ପରିଚୟ ପତ୍ରଗୁଡ଼ିକୁ ପ୍ରଦାନ କରିଥିଲେ। ସେଠାରେ ସେହି ଶ୍ରମିକ ପରିଚୟ ପତ୍ର ଯାଞ୍ଚ ବେଳେ ତାହା ସଂପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଥିଲା। ସୂଚନାଥାଉକି ଉକ୍ତ ପରିଚୟ ପତ୍ରରେ ଜାଲ୍ ସିଲ୍ ଏବଂ ଜାଲି ଦସ୍ତଖତ କରାଯାଇଥିବା ଶ୍ରମିକ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଛତ୍ରପୁର ବ୍ଲକ୍‌ର ସୁନ୍ଦରପୁର ଏକ ଜନସେବା କେନ୍ଦ୍ର ଜରିଆରେ ୧୮୩ ଜଣ, ପୋଟଲାମ୍‌ପୁର, ମାଧବପୁର ସମେତ ବିଭିନ୍ନ ପଂଚାୟତ ସହ ଗଂଜାମ ବ୍ଲକ୍‌ର ମଧ୍ୟ ବହୁ ଲୋକ ଏହି ଜାଲିଆତିର ଶିକାର ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ବ୍ଲକ୍‌ରେ ସରକାରଙ୍କଠାରୁ ଆସୁଥିବା ଅର୍ଥକୁ ବାଟମାରଣା କରିବା ପାଇଁ କିଛି ଅସାଧୁ ସଂସ୍ଥା ଏହିଭଳି କାର୍ଯ୍ୟ କରୁଥିବା ଯୋଗୁଁ ଏହି ଜାଲିଆତି ସ୍ପଷ୍ଟ ହେବା ପରେ ଜିଲ୍ଲାପାଳଙ୍କୁ ଏହି ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି।

ସୂଚନାଥାଉକି ସରକାରଙ୍କ ଦ୍ୱାରା ସ୍ଥାପିତ ଜନସେବା କେନ୍ଦ୍ରଗୁଡ଼ିକରେ ଏହିଭଳି ଅନେକ କ୍ଷେତ୍ରରେ ଲୋକମାନେ ଠକାମିର ଶିକାର ହୋଇଥାନ୍ତି। ଏହିଭଳିକି ଆଧାର କାର୍ଡ଼ଠାରୁ ଆରମ୍ଭ କରି ଇ-ରେଜିଷ୍ଟସନ ପାଇଁ ଆବେଦନ କରିବା ପାଇଁ ମଧ୍ୟ ମୋଟା ଅଙ୍କର ଜନହିତକାରୀ ସଂସ୍ଥା ଦାବି କରୁଛି। ନୂତନ ଆଧାର କରିବା ପାଇଁ ଦୁଇଶହରୁ ତିନିଶହ ଟଙ୍କା ମାଗୁଥିବାବେଳେ ଇ-ରେଜିଷ୍ଟ୍ରେସନ ଏବଂ ତହସିଲ୍ ଅଫିସ କାର୍ଯ୍ୟ ପାଇଁ ଆବଶ୍ୟକ କାଗଜପତ୍ର ପାଇଁ ମଧ୍ୟ ଦରକାରଠାରୁ ଅଧିକ ଅର୍ଥ ଦାବି କରୁଛନ୍ତି। ଯାହାକି ଏହାର ଫାଇଦା ଉଠାଇ କିଛି ସଂସ୍ଥା ନେଟ୍‌ଜୋନ୍ ଏବଂ ଜନସେବା କେନ୍ଦ୍ରଗୁଡ଼ିକୁ ସହାୟତାରେ ଜାଲି ସାର୍ଟିଫିକେଟ୍ କରିବାରେ ସଫଳ ହେଉଛନ୍ତି।

ତେଣୁ ସରକାର ଏହି ଜନସେବା କେନ୍ଦ୍ରଗୁଡ଼ିକ ସହ ନେଟ୍‌ଜୋନ୍‌ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ସହ ଜନସେବା କେନ୍ଦ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ଆଇନ କରାଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପ୍ରଶାସନ ପକ୍ଷରୁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଏମ୍‌ପିଓଏମ୍ ମେସିନ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଚୁଲା ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଆଜି ଓରମାସ୍ ତରଫରୁ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା। ପ୍ରଥମତଃ ଜିଲ୍ଲାର ୨୩ଟି ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ଗାଁ ଶକ୍ତି ଯୋଜନାରେ ଖୁଚୁରା ଏକ୍ସଟେନସନ କାଉଣ୍ଟର/ବିତରଣ ସହଭାଗୀ ଗ୍ୟାସ ସିଲିଣ୍ଡରର କାର୍ଯ୍ୟକ୍ରମ, ଦ୍ୱିତୀୟତଃ ଗାଁ ଶକ୍ତି ଯୋଜନାରେ ସ୍ୱଚ୍ଛତା ଏବଂ ଗ୍ରାହକ ପଏଣ୍ଟରେ ସମସ୍ତ ଆର୍ଥିକ କାରବାରକୁ ଏକ୍ସିସ ବ୍ୟାଙ୍କ ଜରିଆରେ ନଗଦବିହନ କରିବା କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ କାଠର ବ୍ୟବହାର ବନ୍ଦ କରିବା କରିବା ପାଇଁ ଆଜି ୨୪୩୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଚୁଲା ବିତରଣର ଶୁଭାରମ୍ଭ କରାଯାଇଛି। ଏହି ଅବସରର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦୁଇଗୋଟି ୫ କେଜି ଗ୍ୟାସ ସିଲିଣ୍ଡର ସହ ଚୁଲା ପ୍ରଦାନ କରାଯାଇଛି।

ଏହାସହ ୨୩ ଗୋଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ରେଡ଼୍ ଏକ୍ସଟେସନ୍ କାଉଣ୍ଟର ମେସିନ୍ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଆର୍‌ଡ଼ିଏ ପିଡ଼ି ସିଦ୍ଧେ ଦତ୍ତାତ୍ରୟ ଭାଉସାହେବ, ସମାଜ କଲ୍ୟାଣ ଅଧିକାରୀ ସୁରେଖାସୁନ୍ଦରୀ ମଲିକ, ଜିଲ୍ଲା ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ଜୀବନ ବିକାଶ ମିଶନର ପ୍ରକଳ୍ପ ନିର୍ଦ୍ଦେଶକ, ଓରମାସ୍‌ର ଡ଼େପୁଟି ସିଇଓ ଛତ୍ରପୁର ଶାଖା ଏକ୍ସିସ୍ ବ୍ୟାଙ୍କର ସଂଜୟ ଅଗ୍ରୱାଲ, ସହକାରୀ ବ୍ୟବସାୟୀ ଆଞ୍ଚଳିକ ପରିଚାଳକ ଅରୁଣ ରାୟ, ଓରମାସ୍‌ର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଗଂଜାମ ଜିଲ୍ଲା ବିଜେଡ଼ିର ମିଶ୍ରଣ ପର୍ବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲା ବିଜେଡ଼ି ଆନୁକୂଲ୍ୟରେ ଆଜି ବିଜେଡ଼ି କାର୍ଯ୍ୟାଳୟ ନିକଟରେ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଏବଂ ବିଜେପିର ନେତା ଓ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ।

ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ବିଜେଡ଼ି ସଂପାଦକ ସୁବାସ ଚନ୍ଦ୍ର ମହାରଣା ଓ ସଂଘମିତ୍ରା ଦଳେଇ ଯୋଗଦେଇଥିଲେ। ବିଜେଡ଼ି ଜଗନ୍ନାଥ ସାବତ, ଟି. ତିରୁପତି, ଯୋଗେନ୍ଦ୍ର ସ୍ୱାଇଁ, ରାଜ୍ୟ ଯୁବ ବିଜେଡ଼ି ସଂପାଦକ ମୁକୁନ୍ଦ ଗୌଡ଼, ଆର୍‌. ମୂରଲୀ ମୋହନ, ମମତା ବିଷୋୟୀ, ଜ୍ୟୋତ୍ସ୍ନା ପାଢ଼ୀ, ଯୁବ ବିଜେଡ଼ି ଜିଲ୍ଲା ସଭାପତି ଲକ୍ଷ୍ମଣ ଚୌଧୁରୀ, ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ମହାନଗର ବିଜେଡ଼ି ସଭାପତି ବିଜୟ ସାମଲ, ଡ. ଭଗବାନ ଗନ୍ତାୟତ, ଟି. ଗୋପୀ, ଅଜିତ କୁମାର ପଣ୍ଡା ପ୍ରମୁଖ ନେତା ମଂଚାସୀନ ଥିଲେ।

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ତରଫରୁ ଉଦୟନାଥ ସ୍ୱାଇଁ, କ୍ରିଷ୍ଣା ରାଓ ସୁବୁଦ୍ଧି, ହୃଦୟ ରଂଜନ ମେକାପ, ପ୍ରମୋଦ କୁମାର ପାଣିଗ୍ରାହୀ, ରବି ରାଜୁ ପ୍ରମୁଖ ମଧ୍ୟ ମଂଚାସୀନ ରହି ବିଜେଡ଼ିରେ ଯୋଗ ଦେଇଥିବା ଏନ୍‌ଏସିର ପୂର୍ବତନ କାଉନ୍‌ସିଲର ନିରୁପମା ପଟ୍ଟନାୟକ ଏବଂ ତାଙ୍କର ବହୁ ସମର୍ଥକ, ବିଜେପିର ନେତା କର୍ମୀଙ୍କୁ ବିଜେଡ଼ିରେ ଯୋଗ ଦେବା ଅବସରରେ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ସମସ୍ୟା ସମାଧାନ ପାଇଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖଠାରୁ ଆରମ୍ଭ ହେବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ଠିକ୍ ପରିଚାଳନା ପାଇଁ ପ୍ରତି ବ୍ଲକ୍‌ରେ ତିନିଜଣ ଲେଖାଏଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସେମାନେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଗଲେ ସମାଧାନ କରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭି.ସି. ବୈଠକରେ ଜଣାଇଥିଲେ।

ଚଳିତ ବର୍ଷ ଏପ୍‌.ଏ.କୁୟ ଧାନ କୁଇଣ୍ଟାଲ୍ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାରେ ଟଙ୍କା ଜମା ହେବ। ଚଳିତ ଖରିଫ୍ ଋତୁ ଧାନ ୧୩୯୬୪୮ ଜଣ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଧାନ ନିର୍ଦ୍ଧାରିତ ୩୮୯ ପାକ୍‌ସ ଏବଂ ୬୪ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହିତ ଟ୍ୟାଗ କରାଯାଇ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବେଳେ ଗୋଟିଏ ମାତ୍ର ପାଣିପଞ୍ଚାୟତ ଅଂଶଗ୍ରହଣ କରିବ। ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେମିତି କୌଣସି ସ୍ଥାନରେ ବି ବିଶୃଙ୍ଖଳା ଯେପରି ଦେଖାନଯାଏ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ତଥ୍ୟ ଉପସ୍ଥାପନ କରି ଯାହାର ଯାହା ସମସ୍ୟା ରହିଛି ସେ ସବୁ ସମାଧାନ କରିବା ଦିଗରେ ପ୍ରବର୍ତ୍ତାଇ ଥିଲେ।

ବୈଠକରେ ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢ଼ୀ, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡ଼ିଭିଜନ ବିଶ୍ୱ ରଂଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢ଼ୀ, ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ରମେଶ ଜେନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଟିଏ ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିବାବେଳେ ପରେ ଆଜି କଂଗ୍ରେସ ପ୍ରେସ୍‌ମିଟ୍ ଆୟୋଜନ କରି ଗଂଜାମ ଜିଲ୍ଲାର ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି। ବିଜେପି ଯେଉଁଭଳି ଭାବେ ଚିରାଚରିତ ଢ଼ଂଗରେ ପ୍ରଦୀପ ପାଣିଗ୍ରାହୀଙ୍କ କଳାସାମ୍ରାଜ୍ୟର ଚିଠା ଲୋକଙ୍କ ମୁଖା ଖୋଲିଥିଲା ତାହାର ଆହୁରି ଗୋଟିଏ ପାଦ ଆଗକୁ ଯାଇ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଛନ୍ତି।

ଆଜି କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନିତର ଚେହେରା ତଥା ଚେରକୁ ସାମ୍ନାକୁ ଆଣିଥିଲେ। ଶ୍ରୀ ଜେନା ଅଭିଯୋଗ କରିଥିଲେ ଯେ ଗତ ୧୬ ବର୍ଷ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନିତିରେ ଲିପ୍ତ ରହିଛନ୍ତିି। ସେ ନିରୀହ ଲୋକଙ୍କ ସ୍ୱାର୍ଥ ପାଇଁ କାମ ନକରି ମାଫିଆଙ୍କ ସ୍ୱାର୍ଥ ପାଇଁ କାମ କରୁଥିଲେ। ଜମି ହଡ଼ପଠାରୁ ଆରମ୍ଭ କରି ମୋରମ, ମଦ ଭାଟି, ବାଲି ଦୁର୍ନିତି ଏବଂ ଚୋରାଚାଲାଣ ପଛରେ ତାଙ୍କର ହାତ ରହିଛି। ଏହାର ତଦନ୍ତ କରିବା ସହ ଏହି ଦୁର୍ନୀତିରେ ଜିଲ୍ଲାର ଆହୁରି ବିଧାୟକ, ମନ୍ତ୍ରୀ ଏବଂ ମାଫିଆମାନେ ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଶ୍ରୀ ଜେନା।

ପ୍ରଦୀପଙ୍କ ପାଇଁ ଗଂଜାମରେ ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ହୋଇଛି। ପ୍ରଦୀପ ତାଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ବିରୋଧରେ ୫୪ଟି ମିଛ କେସ୍ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ ପ୍ରତ୍ୟେକ୍ଷ ଭାବେ ଗଂଜାମ ଜିଲ୍ଲାର ନେତୃବର୍ଗ ତଥା ବିଧାୟକଙ୍କ ନାମ ନେଇନଥିଲେ ମଧ୍ୟ ପ୍ରଦୀପଙ୍କ ଦୁର୍ନୀତିରେ ଆହୁରି ଅନେକ ମନ୍ତ୍ରୀ, ବିଧାୟକ ସାମିଲ ଥିବା ଜୋର୍ ଦେଇ କହିଥିଲେ। ତେଣୁ ନିରପେକ୍ଷ ତଥା ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରଦୀପ ଭଳି ଅନେକ ନେତୃବର୍ଗଙ୍କ ମୁଖା ଖୋଲିଯିବା ସହ ସରକାରଙ୍କ ଦୁର୍ନିତିମୁକ୍ତ ସମାଜର ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ଲୋକେ ବିଶ୍ୱାସ କରିବେ।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଦେଖିବାକୁ ମିଳିଲାଣି ଯେ ଗଂଜାମ ଜିଲ୍ଲାରେ ଗତ କିଛି ଦିନ ହେଲା ଦୁଇ ପ୍ରମୁଖ ବିରୋଧୀ ଦଳ ସକ୍ରିୟ ହୋଇପଡ଼ିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବିଜେପି ହେଉ ବା କଂଗ୍ରେସ ନିଜର ପତିଆରା ଦେଖାଇବା ପାଇଁ ଘନ ଘନ ପ୍ରେସ୍‌ମିଟ୍‌, ବିକ୍ଷୋଭ, ଅଭିଯୋଗ ପତ୍ର ପ୍ରଦାନ ଚାଲିଛି। ଫଳରେ ଗଂଜାମ ଜିଲ୍ଲାରେ ଏକପ୍ରକାର ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।