ପ୍ରଶାସନିକ ଅଧିକାରୀଙ୍କ କରୋନା ସଚେତନତା

Published: Feb 22, 2021, 1:38 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ହେଲା ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ କରୋନା କଟକଣାକୁ ଦୃଢ଼ ଭାବେ ପାଳନ କରିବାକୁ ପୁଣିଥରେ ଏସ୍‌ଓପି ଜାରି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାରେ ପୁଣିଥରେ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି। ଲୋକମାନେ ଭୟଭୀତ ନହୋଇ କରେନା କଟକଣାର ସମସ୍ତ ନିୟମ ମାନିଲେ କିଛି ଅସୁବିଧା ହେବ ନାହିଁ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡ଼େପୁଟି କମିଶନର ରମାଞ୍ଚଳ ଖମାରି, ଏନ୍‌ଫୋର୍ସମେଣ୍ଟ ଟିମ୍ ଅଧିକାରୀ ତରୁଣକାନ୍ତ ସମେତ ଅନେକ ଅଧିକାରୀ ଓ ବିଏମ୍‌ସି କର୍ମଚାରୀମାନେ ରାମଲିଙ୍ଗଶ୍ୱର ରୋଡ଼୍‌ରୁ ବାହାରି ଗାନ୍ଧିନଗର ଛକ, ବିଜିପୁର, ରେଳଷ୍ଟେସନ, ଟାଟା ବେଞ୍ଜ ଛକ ଆଦି ଛକମାନଙ୍କରେ ସାଇକେଲ୍‌ରେ ଭ୍ରମଣ କରି ମାସ୍କ, ସାମାଜିକ ଦୂରତା ଓ ହାତଧୁଆଁ ନେଇ ଲୋକଙ୍କୁ ସଚେତନତା କରିଥିଲେ।

ଏହାସହ ମୋ ୱାର୍ଡ଼ ସ୍ୱଚ୍ଛ ୱାର୍ଡ଼ ଏବଂ ମୋ ସାହି ସ୍ୱଚ୍ଛ ସାହି ପ୍ରତିଯୋଗିତା କରି ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସହରରେ ଦୋକାନୀମାନେ ପରିମଳ ସମ୍ବନ୍ଧୀୟ ବହୁ ନିୟମ ମାନିବାକୁ ମଧ୍ୟ ତାଗିଦ୍ କରି ଆସୁଛି ବିଏମ୍‌ସି। ସମସ୍ତ ନିୟମ ପାଳନ ହେଉଛି କି ନାହିଁ ଜିଲ୍ଲାପାଳ ଏବଂ କମିଶନର ପରଖିଥିଲେ। ସମସ୍ତ ଦୋକାନୀ ଡ଼ଷ୍ଟବିନ୍ ରଖି ଆବର୍ଜନା ପକାଇବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

Related posts