କରୋନାରେ ବାଲୁଗାଁ ଏନ.ଏ.ସି କର୍ମଚାରୀ ଙ୍କ ମୃତ୍ୟୁ : କୋଭିଡ ଯୋଦ୍ଧା ମାନ୍ୟତା ପାଇଁ ଦାବି 

Published: Sep 3, 2020, 10:49 am IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ବର୍ତ୍ତମାନ ସମୟରେ କରୋନା ମହାମାରୀ କୁ ଜନସାଧାରଣ ମାନେ ହାଲୁକା ଭାବେ ଗ୍ରହଣ କରୁଛନ୍ତି ଏବଂ ନିୟମ କୁ ମାନୁନାହାନ୍ତି ଯାହା ଦ୍ୱାରା ଆକ୍ରାନ୍ତ ଏବଂ ମୃତକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ମହାମାରୀ କେତେ ମାରାତ୍ମକ ତାହାର ଉଦାହରଣ ଗତକାଲି ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ ସହରରେ ଦେଖିବାକୁ ମିଳିଛି । କୋଭିଡ ଲାଗି ପ୍ରାଣ ହରାଇଛନ୍ତି ଜଣେ ସ୍ଥାନୀୟ ଏନ.ଏ.ସି କର୍ମଚାରୀ ।  ଏଭଳି ଦୁଖଃଦଘଟଣା ଘଟିଯାଇଛି ବାଲୁଗାଁ ଏନ.ଏ.ସି ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ ବାଲୁଗାଁ ଏନ.ଏ.ସି ର ଠିକା କର୍ମଚାରୀ କବିନ୍ଦ୍ର ଜାଲି(୫୯) ଯିଏ କି ବିଗତ ୨୫ ବର୍ଷ ହେବ ଏନ.ଏ.ସି ର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।  କବିନ୍ଦ୍ରଙ୍କ ଘର ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଛେଡ଼ାପଦର ଗ୍ରାମ । କବିନ୍ଦ୍ର ପୂର୍ବରୁ କୋଭିଡ ଟେଷ୍ଟ କରାଇ ନେଗେଟିଭ ଆସିଥିଲେ ।  କିନ୍ତୁ ଗତ ପାଞ୍ଚ ଦିନ ହେଲା ତାଙ୍କୁ ଜ୍ୱର ହେଉଥିଲା ତଥାପି ସେ ଟେଷ୍ଟ ନ କରି ସାମୟିକ ଔଷଧ ସେବନ କରି ଏନ.ଏ.ସି ରେ କାର୍ଯ୍ୟ କରିଆସୁଥିଲେ । ଗତକାଲି ତାଙ୍କ ଶରୀର ଅସୁସ୍ଥ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କୋଭିଡ ଲକ୍ଷଣ ଥିବାରୁ ଡାକ୍ତର ତାଙ୍କୁ ଅପରାହ୍ନ ରେ ଏନ.ଏ.ସି ଅଡ଼ିଟୋରିଅମ ହଲରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟ ପାଇଁ ପଠାଇଥିଲେ ।ଟେଷ୍ଟ ଦେବାର କିଛି ସମୟ ପରେ ସେହି ହଲରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ପରେ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ ଥିବା ଜଣାପଡିଛି ।

ଏହାପରେ ଗତ କାଲି ରାତିରେ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ଗାଇଡ଼ଲାଇନ ଅନୁଯାୟୀ କବିନ୍ଦ୍ରଙ୍କ ମୃତ ଶରୀରକୁ ଭୁବନେଶ୍ୱର ନେଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା ବୋଲି ଚିଲିକା ତହସିଲଦାର ପୁନମ ମହାପାତ୍ର ସୂଚନା ଦେଇଛନ୍ତି ।ଅପରପକ୍ଷେ ଠିକା କର୍ମଚାରୀ କବିନ୍ଦ୍ର ଙ୍କୁ ସରକାର ଙ୍କ ଦ୍ୱାରା କୋଭିଡ ଯୋଦ୍ଧା ମାନ୍ୟତା ମିଳୁ ବୋଲି କବିନ୍ଦ୍ରଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି । କୋଭିଡ – ୧୯ କାର୍ଯ୍ୟରେ କାର୍ଯ୍ୟରତ ଯେକୌଣସି କର୍ମଚାରୀ ଉଭୟ ଠିକା ହେଉ କିମ୍ବା ସ୍ଥାୟୀ ନିଶ୍ଚିତରୂପେ ସେ ଜଣେ କୋଭିଡ ଯୋଦ୍ଧା ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ମତ ପ୍ରକାଶ କରିବା ସହିତ ସରକାରୀ ସ୍ତରରେ ସହିଦ କବିନ୍ଦ୍ର ଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ମିଳିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି ।

କବିନ୍ଦ୍ର ଜଣେ ଉତ୍ତମ ମେଳାପୀ ଏବଂ ନିଷ୍ଠାପର କର୍ମଚାରୀ ଥିଲେ l ଆଜି ଉଭୟ ଅଡ଼ିଟୋରିଅମ ହଲ ଏବଂ ଏନ.ଏ.ସି କାର୍ଯ୍ୟାଳୟ ବିଶୋଧନ ପରେ ଏହାର କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।

Related posts