ଚର୍ଚ୍ଚାରେ ହଂସୁଆ ବାବା: ଶିରିଡି ସାଇ ମନ୍ଦିରର ସାଇଙ୍କ ବଦଳରେ ପୂଜା ପାଉଛନ୍ତି ଆତ୍ମଘୋଷିତ ବାବା

Published: Sep 8, 2020, 5:32 pm IST

ଭୁବନେଶ୍ବର: କେନ୍ଦ୍ରାପଡାର ଭଣ୍ଡ ସାରଥୀ ବାବାଙ୍କର ଖେଳ ସରିବା ପରେ ଏବେ ପୁଣି ଜଣେ ବାବାଙ୍କ ଖେଳ ଦେଖିବାକୁ ମିଳିଛି। ଯାହାଙ୍କ ନାଁରେ କିଛି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର କୁଜଙ୍ଗ ବ୍ଲକର କୃଷ୍ଣଚନ୍ଦ୍ରପୁର ସତରା ଗ୍ରାମରେ ଏକ ସିରିଡି ଶାଇ ମନ୍ଦିର ରହିଛି। ଏବେ କରୋନା କଟକଣା ପାଇଁ କିଛି ଦିନ ହେଲା ଯେତେବେଳେ ସାଇଙ୍କ ମନ୍ଦିରଙ୍କୁ ଶ୍ରଦ୍ଧାଳୁମାନେ ଆସୁନଥିଲ। କେବଳ ମନ୍ଦିର ପୂଜାରିଙ୍କ ଦ୍ବାରା ସାଇବାବାଙ୍କ ଦୈନନ୍ଦିନ ପୂଜାକାର୍ଯ୍ୟ କରାଯାଉଥିଲା। ଏହାରି ମଧ୍ୟରେ ଏହି ମନ୍ଦିରରେ ଜଣେ ବାବାଙ୍କର ଆସ୍ଥାନା ଜମି ଯାଇଥିବାର ଜଣାପଡିଛି।

ଭକ୍ତମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗତ କିଛିଦିନ ହେବ ଜଣେ ବ୍ୟକ୍ତି ନିଜକୁ ମନ୍ଦିରର ମୁଖ୍ୟ ପରିଚାଳକ ବୋଲି ଜାହିର କରି ସାଇବାବାଙ୍କ ପୂଜାର୍ଚ୍ଚନା ବନ୍ଦ କରିବା ସହିତ ବାବା ଦୈନିକ ଆଳତୀକୁ ବନ୍ଦ କରିଦେଇଛନ୍ତି। ସାଇବାବାଙ୍କ ଆସ୍ଥାନ ପାଖରେ ଜଣେ ଆତ୍ମଘୋଷିତ ବାବାଜୀଙ୍କୁ ବସାଇ ମହାପୁରୁ ପ୍ରଭୁ ବୋଲି ଆାଖ୍ୟା ଦେଇ ପୂଜା କରି ଆସୁଛି ବୋଲଇ ଅଭିଯୋଗ ହୋଇଛି। ଏହାକୁ ନେଇ ସାଇଭକ୍ତଙ୍କ ମନରେ କୁଠାରଘାତ ହେବା ସହିତ ଭକ୍ତିଭାବନାରେ କଷ୍ଟ ଦିଆଯାଇଛି। ଏହି ବାବା ଜଣକ ଗଳାରୁ ପାଦ ପର୍ଯ୍ୟନ୍ତ ତୁଳସୀମାଳ ପିନ୍ଧିଥିବା ଦେଖିବାକୁ ମିଳୁଛି। ଆଉ କିଛି ମହିଳା ବାବାଙ୍କୁ ଆଳତୀ କରିବା ସହ ତାଙ୍କର ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଏପରିକି ଏହି ମଣିଷରୂପୀ ବାବାଙ୍କ ସାମ୍ନାରେ ଭଜନ କୀର୍ତ୍ତନ ଚାଲିବା ସହିତ ଆଲଟ ଚାମର ସେବା ମଧ୍ୟ ଚାଲିଛି। ଏନେଇ ସେହି ଗ୍ରାମର 20ରୁ ଉର୍ଦ୍ଧ୍ବ ସାଇଭକ୍ତ କୁଜଙ୍ଗ ତହସିଲିଦାରଙ୍କୁ ଚିଠି ଲେଖିଛନ୍ତି। ଶିରିଡି ସାଇ ବାବାଙ୍କ ପୂଜା ବନ୍ଦ କରି ନିଜର ପୂଜା କରାଉଥିବା ତଥାକଥିତ ବାବାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି।

ତେବେ ଏହି ବାବା ଜଣକ ହେଉଛନ୍ତି ଖୋର୍ଦ୍ଧା ବାଘମାରୀ ଅଞ୍ଚଳର ହଂସୁଆ ବାବା ଓରଫ୍‌ ନିକୁଞ୍ଜ ବାବା।  ସାରଥୀ ବାବାଙ୍କ ପରି ସେମିତି ଗଳାରେ ତୁଳସୀମାଳ ପକାଇ ନିଜକୁ ଭକ୍ତଙ୍କ ବାବା ବୋଲି ପ୍ରମାଣିତ କରୁଥିବାର ଦେଖିବାକୁ ମିଳିଛି। ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଲୋକଙ୍କ ଭାବାବେଗକୁ ଠକୁଥିବା ବାବାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି। ଏହାସହ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବାଘମାରୀ ଯାଇ ତଦନ୍ତ କରିବେ ବୋଲି ସୂଚନା ରହିଛି।

Related posts