ହୋଲ୍‌ଡ଼ିଂ ଟ୍ୟାକ୍‌ସ ଛାଡ଼ ଏବଂ ବୃଦ୍ଧିକୁ ପ୍ରତ୍ୟାହାର ଦାବି

Published: Sep 9, 2020, 10:01 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଘର ଉପରେ ନିଗମ ପକ୍ଷରୁ ଲଗାଯାଇଥିବା ହୋଲ୍‌ଡ଼ିଂ ଟ୍ୟାକସ୍ ଛାଡ଼ ସହ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଆଜି ସାଧାରଣ ଜନତା ପାଇଁ ଲଢ଼ୁଥିବା ପିପୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନ ପକ୍ଷରୁ ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନେ କହିଛନ୍ତି କରୋନା ଯୋଗୁଁ ଚଳିତବର୍ଷ ଏପ୍ରିଲ୍ ମାସଠାରୁ ଘରମାଲିକଙ୍କ ହାତଖାଲି ହୋଇ ରହିଛି। ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଚଳିତ ଆର୍ଥିକ ବର୍ଷରେ ସେମାନେ ଟ୍ୟାକସ ବାନ୍ଧିବା ପରିସ୍ଥିତିରେ ନାହାନ୍ତି।

ଏହାଛଡ଼ା ଚଳିତବର୍ଷ ହୋଡ଼ିଂ ଟ୍ୟାକସ ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏହି ସମୟରେ ମହାନଗର ନିଗମର ଏଭଳି ନିଷ୍ପତ୍ତି ଲୋକଙ୍କ ଉପରେ ବୋଝ ଉପରେ କରଡ଼ା ମାଡ଼ ସଦୃଶ୍ୟ ହୋଇଛି। ଲୋକଙ୍କ ହାତରେ ଟଙ୍କା ନଥିବା ସହ ଲୋକ ଗତ ୫ ମାସ ହେବ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। କରୋନାର ଛାଟରେ ଲୋକେ ତଳିତଳାନ୍ତ ହୋଇଯାଇଥିବାବେଳେ ଏହି ଟ୍ୟାକସ ବାନ୍ଧିବା ପରିସ୍ଥିତିରେ ନାହାନ୍ତି। ତେଣୁ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସଂଘ ପକ୍ଷରୁ ଆଜି ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇ କମିଶନରଙ୍କୁ ହୋଡ଼ିଂ ଟ୍ୟାକସ ଛାଡ଼ କରିବା ସହ ବୃଦ୍ଧି ପାଇଁ ହୋଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।

ଦାବିପତ୍ର ପ୍ରଦାନ ସମୟରେ ସଭାପତି ଆଇନଜୀବୀ ଡ. ସୁବ୍ରତ କୁମାର ସାହୁ, ସଂପାଦକ ଆଇନଜୀବୀ ସତିଶ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଆଇନଜୀବୀ ତ୍ରିପତି ପ୍ରସାଦ ସାହୁ, ମୁଖ୍ୟ ସଂଯୋଜକ ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ଯୁବ ସଂଯୋଜକ ଆଇନଜୀବୀ ଅଂଜଳି ମହାନ୍ତି, ପ୍ରଦୀପ କୁମାର ସାହୁ, ପି. କୁନା ସେନାପତି, ଦିନେଶ ପଟ୍ଟନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

Related posts