ମୁମ୍ବାଇ : ଗୋଟିଏ ପଟେ ଦେଶରେ କରୋନା ମାମଲା ଅହେତୁକ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲ ଗୁଡିକର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ସହରର ଲୋକମାନ୍ୟ ତିଲକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ବହୀନତାର ପ୍ରମାଣ ମିଳିଛି । ଅଭିଯୋଗ ଅନୁସାରେ ମୃତଦେହକୁ ଭୁଲକ୍ରମେ ଅନ୍ୟ ଏକ ପରିବାରକୁ ହସ୍ତାନ୍ତର କରିଦେଇଛନ୍ତି । ଏହି ଘଟଣାଜଣାପଡିବା ପରେ ହଙ୍ଗମା ହେବା ସହିତ ହସ୍ପିଟାଲର ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ 27 ବର୍ଷୀୟ ଅଙ୍କୁଶଙ୍କର ଅଗଷ୍ଟ 28 ତାରିଖରେ ଆକ୍ସିଡେଣ୍ଟ ହୋଇଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସାୟନ ଅର୍ଥାତ୍ ଲୋକମାନ୍ୟ ତିଲକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର 13 ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଙ୍କୁଶଙ୍କ ମୃତ୍ୟୁ ହୋଇଥିବା ନେଇ ଅଙ୍କୁଶପରିବାରରକୁ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହାପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ହସ୍ପିଟାଲ ବାହାରେ ଅଙ୍କୁଶଙ୍କ ପରିବାର ଶବ ପାଇଁ ଅପେକ୍ଷାରତ ରହିଥିବାବେଳେ ଉକ୍ତ ହସ୍ପିଟାଲର ଦୁଇ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଅଙ୍କୁଶଙ୍କ ଶବ ଅନ୍ୟ ଏକ ପରିବାରକୁ ଦିଆଯାଇଥିଲା । ସେହି ପରିବାରର ଲୋକେ ଶବକୁ ନ ଦେଖି ଅନ୍ତିମ ସଂସ୍କାର କରିଦେଇଥିଲେ । ଅପରପକ୍ଷରେ ଅଙ୍କୁଶଙ୍କ ପରିବାରକୁ ଅନ୍ୟ ଏକ ମୃତ୍ୟଦେହ ଦିଆଯାଇଥିଲା । ଯାହାକୁ ଅଙ୍କୁଶଙ୍କ ପରିବାର ନେବାକୁ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ ଅଙ୍କୁଶଙ୍କ ପରିବାର ଲୋକେ ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ । ଘଟଣା ଅଧିକ ଉତ୍ତେଜନା ହେବାରୁ ପୋଲିସ୍ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ହସ୍ପିଟାଲ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି । (ଏଜେନ୍ସି)