ଦେଶର ଅଖଣ୍ଡତା ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ : ରାଜନାଥ ସିଂ

Published: Sep 17, 2020, 1:24 pm IST

ନୂଆଦିଲ୍ଲୀ : ଲଦାଖ ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି । ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଏଯାଏ ସମାଧାନ ହୋଇନାହିଁ । ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଚାଇନା ଏଲ୍‌ଏସି ବାସ୍ତବିକ ସ୍ଥିତିର ଉଲ୍ଲଂଘନ କରୁଛି। ତେବେ ଭାରତୀୟ ଯବାନ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଗୁରୁବାର ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଚାଇନା ଯୋଗୁ ଉତ୍ତେଜନା ବଢୁଥିବା ରାଜନାଥ କହିଛନ୍ତି। ଏହାଦ୍ୱାରା ଦୁଇଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି।

ଲଦାଖରେ ଚୀନ୍‌ ଭାରତର 38 ହଜାର କିମି କବ୍‌ଜା କରି ରଖିଛି । 90 ହଜାର ବର୍ଗ କିମି ତାର ନିଜର ବୋଲି ଚୀନ୍‌ କହି ଆସୁଛି । ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ରଖିବା ପାଇଁ ଉଭୟ ଦେଶ ଚୁକ୍ତି କରିଛନ୍ତି ।ଏଲଏସିରେ ଅସ୍ଥିରତା ଦ୍ବିପାକ୍ଷିକ ସମ୍ପର୍କ ଉପରେ କୁପ୍ରଭାବ ପକାଇବ ବୋଲି  ରାଜନାଥ ସିଂ କହିଛନ୍ତି । ଏପ୍ରିଲ୍‌ ମାସଠାରୁ ସୀମାରେ ଚୀନ୍‌ ସେନା ଓ ଅସ୍ତ୍ରଶସ୍ତ୍ର ବଢାଇ ଚାଲିଛି । ଏଲ୍‌ଏସିରେ ଅସ୍ଥିରତା ସୃଷ୍ଟ ପାଇଁ ଚୀନ୍‌ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଇଛି । ଆମ ସେନାର ସମୟୋଚିତ ପଦକ୍ଷେପ ଯୋଗୁଁ ଚୀନ୍‌କୁ ଜବାବ ଦିଆଯାଇଛି। ଜୁନ୍‌ 15ରେ ଚୀନ୍‌କୁ ଆମ ଯବାନମାନେ ଉଚିତ୍‌ ଜବାବ ଦେଇଛନ୍ତି ବୋଲି କହିଛନ୍ତି ରାଜନାଥ ସିଂହ । ଚୀନ୍‌ର କଥା ଓ କାମରେ ଯଥେଷ୍ଟ ଫରକ୍‌ ରହୁଛି ବୋଲି କହିଛନ୍ତି ରାଜନାଥ ସିଂ । ଅସ୍ଥିରତା ସୃଷ୍ଟି ପାଇଁ ସବୁବେଳେ ଚୀନ୍‌ ଭାରତକୁ ଉସୁକାଇ ଆସୁଛି । ଚୀନ୍‌ର ବଦମାସୀ ପାଇଁ ଏଲଏସିରେ ଅନେକ ଥର ମୁହାଁମୁହିଁ ସ୍ଥିତି ହୋଇଛି । ଦେଶକୁ ସୁରକ୍ଷା ଦେବାକୁ ଆମେ ମଧ୍ୟ ସୀମାରେ ଅଧିକ ସେନା ମୂତୟନ କରିଛୁ । ସେନାର ଗମନାଗମନ ସୁବିଧା ପାଇଁ ଆମେ ଉତ୍ତମ ରାସ୍ତାଘାଟ କରାଯାଇଛି । ଦେଶ ପାଇଁ ଯେତ ବଡ ଓ କଡା ପଦକ୍ଷେପ ନେବାକୁ ଆମେ ପଛେଇବୁନି ବୋଲି କହିଛନ୍ତି ରାଜନାଥ ସିଂ ।  ଦେଶର ଅଖଣ୍ଡତା ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ ବୋଲି କହିବା ସହିତ ଦେଶର ମସ୍ତକ ନଇଁବାକୁ ଦେବୁନି ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଉଛୁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Related posts