ରେଢାଖୋଲ ବନଖଣ୍ଡ ଲାଇଜାରେ ହାତୀପଲଙ୍କ ଉତ୍ପାତ: ଦଳିଦେଲେ ଧାନ, ଆଖୁ ଓ କଦଳୀଗଛ

Published: Sep 22, 2020, 12:12 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ଗ୍ରାମରେ ଆଜି ରାତିରେ ହାତୀପଲ ଆସି ବ୍ୟାପକ ଫସଲ ଖାଇବା ସହ ନଷ୍ଟ କରିଦେଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ ,ଗତକାଲି ରାତି ୧୨ ଟା ପାଖାପାଖିରେ ହାତୀପଲ ଆସି ଲାଇଜା ଗ୍ରାମର ଉଦ୍ଧବ ବେହେରା ଙ୍କ ଆଖୁଫସଲ, ରାମଚନ୍ଦ୍ର ସାହୁଙ୍କ କଦଳୀ , ଧାନ , ଦାଶରଥୀ ସାହୁଙ୍କ ଧାନ ଫସଲ , ପଦ୍ମନାଭ ପ୍ରଧାନଙ୍କ କଦଳୀ ଚାଷ ଆଦି ଖାଇବା ସହ ବ୍ୟାପକ ନଷ୍ଟ କରିଦେଇଛନ୍ତି। ଯେତିକି ଖାଇଛନ୍ତି ତତୋଧିକ ଫସଲ ସବୁ ନଷ୍ଟ କରିଦେଇଛନ୍ତି ହାତୀପଲ। ସନ୍ଧ୍ୟାରେ ବନବିଭାଗ ହାତୀକୁ ଘଉଡାଇବାକୁ ଯାଇ ସେମାନଙ୍କୁ ଜଙ୍ଗଲକୁ ତଡିଦେଇଥିଲେ। ହେଲେ ଅଧରାତିରେ ପୁଣି ହାତୀପଲ ଆସି ସବୁ ଫସଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଦିନକୁ ଦିନ ହାତୀ ସଂଖ୍ୟା ବୃଦ୍ଧି ପାଇବା ସହ ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ପ୍ରାୟତଃ ଛତିଶଗଡ ଅଂଚଳରୁ ହାତୀପଲ ଓଡିଶାର ସୁନ୍ଦରଗଡ ଦେଇ ସମ୍ବଲପୁର ଜିଲ୍ଲାକୁ ପ୍ରବେଶ କରି ଖଲାସୁଣୀ ଅଭୟାରଣ୍ୟ ଦେଇ ଏ ଅଂଚଳକୁ ଅନାୟାସରେ ପ୍ରବେଶ କରି ବିଭିନ୍ନ ପ୍ରକାର ଫସଲ ନଷ୍ଟ କରିଥାନ୍ତି। ହାତୀ ପଲକୁ ନା ବନ ବିଭାଗ ଆୟତ କରିପାରୁଛି ନା ଗ୍ରାମବାସୀ ଆୟତକରି ଘଉଡାଇ ପାରୁଛନ୍ତି। ବିରାଟକାୟ ଜୀବ ହୋଇଥିବାରୁ ଯେତିକି ପରିମାଣର ଖାଦ୍ୟ ଆବଶ୍ୟକ ସେମାନଙ୍କୁ ନିଅଂଟ ହେଉଛି। ଯା ଫଳରେ ହାତୀମାନେ ଗ୍ରାମାଭିମୁଖୀ ହୋଇ ଚାଷୀମାନଙ୍କର ପ୍ରଭୃତ କ୍ଷତି ଘଟାଉଛନ୍ତି।

ଚାଷୀମାନଙ୍କର ଯେତିକି କ୍ଷତି ହେଉଛି ସେତିକି ପରିମାଣର କ୍ଷତିପୂରଣ ସରକାର ମଧ୍ୟ ଦେଇପାରୁ ନାହାନ୍ତି ବୋଲି ଚାଷୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାର ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଲାଇଜା ଗ୍ରାମବାସୀ ଦାବୀ କରିଛନ୍ତି।

Related posts