ବିଶ୍ବ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ରକୁ ଗଡିଲା ମୋ’ ବସ୍‌

Published: Sep 27, 2020, 1:11 pm IST

ଭୁବନେଶ୍ବର : ବିଶ୍ୱ ପର୍ଯ୍ୟଟନ ଦିବସରେ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଗଡିଛି ମୋ ବସ୍। ପୁଣି ଥରେ କ୍ରୁଟ୍ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଓ କୋଣାର୍କକୁ ବସ୍ ସେବା ଆରମ୍ଭ କରିଛି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନସପୋର୍ଟ । ମାଷ୍ଟରକ୍ୟାଣ୍ଟିନ ବସ ଷ୍ଟପେଜରୁ ସକାଳ ସାଢେ 6ଟାରୁ ପୁରୀ ଅଭିମୁଖେ ମୋ ବସ ଯାତ୍ରା ଆରମ୍ଭ କରିଥିଲା ।  ପ୍ରଥମ ଦିନରେ ଗୋଟିଏ ଲେଖାଏଁ ବସ୍ ଗଡିଥିବା ବେଳେ ସୋମବାର ଠାରୁ ଉଭୟ ରୁଟରେ 2ଟି ଲେଖାଏଁ ବସ୍ ଚାଲିବ । ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ରୁଟ୍ ନମ୍ବର 50 ପୁରୀ ଯିବାକୁ ଥିବା ବେଳେ କୋଣାର୍କକୁ ରୁଟ୍ ନମ୍ବର 70ରେ ଗଡିବ ବସ୍ । ତେବେ ମୋ ବସ୍‌ରେ ପୁରୀ ପାଇଁ 70 ଟଙ୍କା ଭଡ଼ା‌ ରଖାଯାଇଥିବା ବେଳେ କୋଣାର୍କ ପାଇଁ 60 ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି । ବସ୍‌ରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ ମଧ୍ୟ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି । 50 ନମ୍ବର ରୁଟ ମାଷ୍ଟରକ୍ୟାଣ୍ଟିନ, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ, ମାଳୀପାଟପୁର ଓ ପୁରୀରେ ରହିବ। ଠିକ ସେହିପରି 70 ନମ୍ବର ରୁଟର ସମସ୍ତ ମୁଖ୍ୟ ବସଷ୍ଟପ ଦେଇ ମୋ ବସ ଯାତ୍ରା କରିବ। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ସମେତ ରାଜଧାନୀରୁ ପ୍ରତିଦିନ ଯାତାୟତ କରୁଥିବା ଲୋକେ ଏହାଦ୍ୱାରା ଅଧିକ ଲାଭବାନ ହେବେ ବୋଲି ବୋଲି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

Related posts