କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ଦାବିକରି କଟକ-ପାରଦ୍ୱିପ ରାସ୍ତା ଅବରୋଧ କଲେ ଶତାଧିକ ଲୋକ

Published: Sep 29, 2020, 8:50 pm IST

ରମେଶ ମହାନ୍ତି

ଜଗତସିଂହପୁର: ଗତକାଲି ତିର୍ତ୍ତୋଲ-ପୋଷଲ ଏବଂ ଜଇପୁର-କଟିକଟା ମହାନଦୀ ଉପରେ ଏହି ୨ଟି ବ୍ରିଜ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହେବା ପରେ ଆଜି କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ପାଇଁ ତେଜିଲା ଆନ୍ଦୋଳନ। କଟକ-ପାରାଦ୍ୱିପ ରାସ୍ତା ଅବରୋଧ କଲେ ଶତାଧିକ ଲୋକ। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ କୋଟକଣା-ବାନାମ୍ବର ସେତୁ ନିର୍ମାଣ ଦାବିକରି କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରିଥିଲେ।

କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର କୋଟକଣା ଛକଠାରେ ଆଜି ଦିନ ପ୍ରାୟ ସାଢେ ୯ଟା ସମୟରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ ରାସ୍ତାରୋକ କରିଥିଲେ।ଏହି ରାସ୍ତାରୋକ ପାଖାପାଖି ୪ଘଣ୍ଟା ପର୍ଯ୍ୟନ୍ତ ଚାଲିବାରୁ ଏହି ରାସ୍ତାରେ ଗାଡିମଟର ଚଳାଚଳ ଏକରକମ ଠପ ହୋଇଯାଇଥିଲା, ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ଦିନ ପ୍ରାୟ ୧ଟା ପରେ ଜଗତସିଂହପୁରର ଉପଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ଏବଂ ସମାଧାନର ପ୍ରତିଶ୍ରୁତି ଦେବା ପରେ ଏହି ରାସ୍ତାରୋକରୁ ଲୋକମାନେ ଓହରିଯାଇଥିଲେ।

ଏହି ରାସ୍ତାରୋକରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ, ସ୍ଥାନୀୟ ତରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ସ୍ୱାଧୀନ ସାହୁ, ରବିନାରାୟଣ ଦାସ, ଚିକନ ମହାନ୍ତି, ଶୁଭକାନ୍ତ ମଲ୍ଲିକଙ୍କ ସମେତ ଶତାଧିକ ସ୍ଥାନୀୟ ଲୋକ ଯୋଗଦେଇଥିଲେ।

Related posts