ବାଣପୁର-ବାଲୁଗାଁ ବାଇପାସ ନିକଟରେ ଓଲଟିଲା ମଟରସାଇକେଲ ବୋଝେଇ କଣ୍ଟେନର: ୧୪ ବୁଲେଟ ନଷ୍ଟ

Published: Sep 30, 2020, 6:31 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନାରେ ଏକ ଷଣ୍ଢ ଆସିଯାଇଥିଲା। ଯାହାଫଳରେ କଣ୍ଟେନରଟି ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡକୁ ଚାଲିଯାଇ ଓଲଟିପଡିଥିଲା।

ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁରର କିଛି ଗ୍ରାମବାସୀ ପହଁଚି ଆହତ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ ସଫା କରିଥିଲେ। ଘଟଣାସ୍ଥଳରେ ଷଣ୍ଢଟି ର ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚାଳକଙ୍କ ନାମ ସଂଜୀବ କୁମାର ଯାଦବ ଏବଂ ତାଙ୍କ ଘର ବିହାର ବୋଲି ଜଣାପଡିଛି। ହେଲେ କଣ୍ଟେନରରେ ଥିବା ସମସ୍ତ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଗାଡ଼ି ଚାଳକ। ଅପରପକ୍ଷେ ଖବର ପାଇ ଆଜି ସକାଳେ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରି ବାଣପୁର ପୋଲିସ ଥାନାରେ ଏ ଘଟଣା ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା କ୍ରେନ ଦ୍ୱାରା ଉକ୍ତ କଣ୍ଟେନରକୁ ଉଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Related posts