କରୋନାକୁ ପରାଜିତ କଲେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ: ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଲେ ଘରକୁ

Published: Oct 7, 2020, 5:27 pm IST

ଭୁବନେଶ୍ୱର: ସାରା ବିଶ୍ୱରେ ଜାରି ରହିଥିବା କୋଭିଡ -୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ଜଣେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ। ସମ୍ କୋଭିଡ ହସ୍ପିଟାଲ୍‌ରେ ସଫଳ ଚିକିତ୍ସା ପାଇବା ପରେ ଏହି ବର୍ଷୀୟାନ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଚାରିଆଡେ ଆନନ୍ଦର ଲହରୀ ଖେଳିଯାଇଛି।

ଭୁବନେଶ୍ୱରର ଶ୍ରୀ ଲୋକନାଥ ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଦିନ ହିଁ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ଜ୍ୱର ରହିଥିବା ବେଳେ ସେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସମ୍ କୋଭିଡ୍ ଟିମ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ଶରୀରରେ ଜଟିଳ କିଡ୍‌ନୀ ରୋଗ ଓ ଡାଏବେଟିସ୍ ଭଳି ସମସ୍ୟା ମଧ୍ୟ ରହିଥିଲା। ତୁରନ୍ତ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା।

ଶ୍ରୀ ନାୟକଙ୍କୁ ଆଂଟି ଭାଇରାଲ୍ ଚିକିତ୍ସା ପ୍ରଦାନ କରାଯିବା ସହିତ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା। ଏହି ବୟୋଜ୍ୟେଷ୍ଠଙ୍କୁ ସୁସ୍ଥ କରିବା ପାଇଁ ସମ୍ କୋଭିଡ ଟିମ୍ ଅତି ନିଷ୍ଠା ଓ ଯତ୍ନର ସହିତ ତାଙ୍କର ଚିକିତ୍ସା କରିଥିଲେ। ସୁସ୍ଥ ହେବା ପରେ ଶ୍ରୀ ନାୟକ କହିଛନ୍ତି ମୋତେ ଯେଉଁ ଭଳି ଚିକିତ୍ସା କରାଗଲା ତାହା ମୋର ଆଶାତୀତ। ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ନିଷ୍ଠା ଓ ଯତ୍ନର ସହ ମୋର ଚିକିତ୍ସା କରିଛନ୍ତି। ମୁଁ ସେମାନଙ୍କ ଠାରେ କୃତଜ୍ଞ ବୋଲି ସେ କହିଛନ୍ତି।

ଶ୍ରୀ ନାୟକଙ୍କ ପୁଅ ଶ୍ରୀ ମନୋରଞ୍ଜନ ନାୟକ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ବାପା ସୁସ୍ଥ ହୋଇ ଘରକୁ ଫେରିଥିବାରୁ ସେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଉଚ୍ଚ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଲୋକନାଥ ନାୟକ।

Related posts