ଇନ୍ଦୋର୍ :କରୋନା ପ୍ରକୋପ ଯୋଗୁଁ ଦେଶରେ ପର୍ବ ପର୍ବାଣୀର ଚମକ ପୂରା ଫିକା ପଡିଯାଇଛି । ସାର୍ବଜନିକ ପୂଜାକୁ ବାରଣ କରାଯାଇଥିବାବେଳେ ସମସ୍ତ ପର୍ବ ପର୍ବାଣୀକୁ କଟକଣା ଭିତରେ ପାଳନ କରାଯାଉଛି । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି କେହି କେହି ପର୍ବ ପର୍ବାଣୀ ମନାଇବା ପାଇଁ ଏହାର ଅନନ୍ୟ ଉପାୟ ମଧ୍ୟ ବାହାର କରୁଛନ୍ତି । ଅପରପକ୍ଷରେ, କରୋନା ଯୋଗୁଁ ଡିଜିଟାଲ୍ ବ୍ୟବହାର ବହୁଳ ମାତ୍ରାରେ ବଢିଛି । ଅନଲାଇନ୍ କିଣା ବିକାଠାରୁ ଆରମ୍ଭ କରି ଅନଲାଇନ୍ ପାଠପଢା, ଅନଲାଇନ୍ ବିବାହ । ଏବେ ଅନଲାଇନ୍ରେ ଗର୍ବା ପ୍ରତିଯୋଗିତା ହେବାନେଇ କେହି କେହି ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଶାରଦୀୟ ନବରାତ୍ରିରେ ଗର୍ବା ଏକ ପ୍ରମୁଖ ବିଷୟ ହୋଇଥିବାବେଳେ କରୋନା କାଳରେ ସାମୂହିକ ଗର୍ବା ପାଇଁ ବାରଣ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉତ୍ସର୍ବଧର୍ମୀ ସହର ଇନ୍ଦୋରରେ ଆଗାମୀ ନବଦୁର୍ଗୋତ୍ସବ ପାଇଁ ଅନ୍ଲାଇନ୍ ଗର୍ବା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ନିଜ ଘରୁ ସାମିଲ୍ ହୋଇ ପାରିବେ ।
ଜିଲ୍ଲାଧିକାରୀ ମନୀଷ ସିଂହଙ୍କ ସରକାରୀ ଦିଶା ନିର୍ଦ୍ଦେଶ ଜାରି କରିବା ପାରମ୍ପରିକ ପ୍ରକ୍ରିୟାରେ ଗର୍ବା କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ଦେଇନାହାନ୍ତି । ଏହା ମଧ୍ୟରେ କିଛି ଆୟୋଜକ ଅନଲାଇନ୍ ଗର୍ବା ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ସୋସିଆଲ ମିଡିଆ ଜରିଆରେ ପ୍ରତିଯୋଗୀଙ୍କୁ ଅନଲାଇନ୍ ପ୍ରଶିକ୍ଷଣ ମଧ୍ୟ ଦିଆଯାଛି ।
କରୋନାରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତ୍ବ ରଖିବା ଏକାନ୍ତ ଅପରିହାର୍ଯ୍ୟ। ଏପରିସ୍ଥଳେ ଗର୍ବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇନାହାନ୍ତି । ତେବେ କରୋନା କାଳରେ ଯଦିଓ ପାରମ୍ପରିକ ଭାବେ ଗର୍ବା କରିହେବ ନାହିଁ କିନ୍ତୁ ଡିଜିଟାଲ ମାଧ୍ୟମରେ ଗର୍ବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ହେବ ।
ତେବେ ଏହାକୁ ନେଇ କିଛିଲୋକେ ଆପତ୍ତି ଜଣାଇଛନ୍ତି । ଗର୍ବା ଏକ ଧାର୍ମିକ ଆୟୋଜନ । ଶ୍ରଦ୍ଧାଳୁଙ୍କ ଦ୍ବାରା ଦୁର୍ଗା ଦେବୀଙ୍କ ବିଧି ବିଧାନରେ ସ୍ଥାପିତ ପ୍ରତିମା ସାମ୍ନାରେ କରାଯାଇଥାଏ । ତେଣୁ ଅନଲାଇନ୍ ଗର୍ବାକୁ ନାପସନ୍ଦ କରିଛନ୍ତି ବହୁ ଆୟୋଜକ । ତେବେ ଯାହା ବି ହେଉ, ପବିତ୍ର ପାର୍ବଣରେ ଦୁର୍ଗତୀନାଶିନୀ ମା’ ଦୁର୍ଗା କରୋନାର ପ୍ରକୋପରୁ ସାରା ଜଗତକୁ ଉଦ୍ଧାର କରନ୍ତୁ ଏହା ହିଁ ଆମର ପ୍ରାର୍ଥନା । (ଏଜେନ୍ସି)