ଟ୍ୱିନସିଟିକୁ ବର୍ଷା ସତର୍କ ସୂଚନା : ଦିନ 12ଟା 30 ଯାଏଁ ବର୍ଷା ସମ୍ଭାବନା

Published: Oct 15, 2020, 10:51 am IST

ଭୁବନେଶ୍ୱର : ରାଜ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଭୁବନେଶ୍ୱର ଏବଂ କଟକକୁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ଉଭୟ ସହରରେ ଅପରାହ୍ନ 12.30 ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । ଉଭୟ ସହରରେ ଘଣ୍ଟାପ୍ରତି ପ୍ରାୟ 2ରୁ 3 ସେମି ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି ।

ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯିବନାହିଁ। ଟ୍ରାଫିକ୍ ଜାମ୍ ମଧ୍ୟ ହୋଇପାରେ। ତେଣୁ ଗାଡ଼ି ଧୀରେ ଚଲାଇବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ଘରୁ ନ ବାହାରିବାକୁ କୁହାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିଛି। ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ପୋଲ ଧୋଇଯିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

Related posts