ନିର୍ବାଚନୀ ବିଗୁଲ୍ ବାଜିସାରିଛି । ସବୁ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଏହି କ୍ରମରେ ଓଡ଼ିଶାର କ୍ରମାଗତ ୪ଥର ସରକାର ଗଠନ କରି ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳ ଆଜି ନୟାଗଡ଼ରୁ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ମଙ୍ଗୁଆଳ ନିଜେ ନବୀନ ପଟ୍ଟନାୟକ । ନୟାଗଡ଼ରେ ଆୟୋଜତ ଏକ ସାଧାରଣ ସଭାରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ସହିତ ୨୧ର ଏମ୍ପିରୁ ୨୧ ଏମ୍ପି ସିଟ୍ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଉଭୟ ବିଜେପି ଓ କଂଗ୍ରେସ ସରକାରକୁ ଟାର୍ଗେଟ୍ କରିଛନ୍ତି । ଗତ ଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ବରଗଡ଼ ଅବସରରେ ନବୀନ ସରକାରଙ୍କୁ ରିମୋଟ୍ କଣ୍ଟ୍ରୋଲ୍ କହିଥିବାବେଳେ ଆଜି ନବୀନ ଏହାର କଡ଼ା ଜବାବ୍ ଦେଇଛନ୍ତି । ନବୀନ କହିଛନ୍ତି ଯେ, ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ । ଓଡ଼ିଶାବାସୀଙ୍କ ପାଖରେ ରିମୋଟ୍ କଣ୍ଟ୍ରୋଲ୍ ରହିଛି । କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶାବାସୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ସେହିପରି କାଳିଆ ଯୋଜନାରେ ସରକାର ଚାଷୀଙ୍କ ଉନ୍ନତି ପାଇଁ ସବୁପ୍ରକାର ଚେଷ୍ଟା କରୁଥିବାବେଳେ ୩୫ ଲକ୍ଷ ପରିବାର ଏହାର ସୁବିଧା ପାଇଛନ୍ତି । ମିଶନ ଶକ୍ତି ଜରିଆରେ ମା‘ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ସେହିପରି ଚଳିତ ନିର୍ବାଚନରେ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ଆସନ ରଖିଥିବାବେଳେ ଆସ୍କାରୁ ମିଶନ୍ଶକ୍ତିର କର୍ମକର୍ତ୍ତା ପ୍ରମିଳା ବିଷୋୟୀଙ୍କୁ ଲୋକସଭା ଟିକେଟ ଦେଇଛି । ମହିଳାଙ୍କ ଶକ୍ତି ବୃଦ୍ଧି ହେଲେ ଦେଶ ପ୍ରଗତି କରିବ ବୋଲି କହିଛନ୍ତି ନବୀନ । ସେହିପରି କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳାକୁ ନେଇ ବର୍ଷିଛନ୍ତି ନବୀନ । ସ୍ବତନ୍ତ୍ର ରାଜ୍ୟପାହା ପ୍ରସଙ୍ଗକୁ ସେ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶାରୁ କେନ୍ଦ୍ର କୋଇଲା, ଓ ରେଲ୍ଓ୍ବେ ବାବଦରେ ବହୁଳ ଅର୍ଥ ପାଉଥିବାବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି ବୋଲି ନବୀନ କହିଛନ୍ତି ।
ନୟାଗଡ଼ରୁ ନବୀନଙ୍କ ପ୍ରଚାର ଆରମ୍ଭ : ୨୧ ରୁ ୨୧ ଏମ୍ପି ଆସନ ଜିତିବା ନେଇ ଦୃଢୋକ୍ତି
Published:
Mar 24, 2019, 1:48 pm IST