ଚିଲିକା କୁମାଣ୍ଡଳ ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କଲାବେଳେ ଧରା ପଡ଼ି ଜେଲ ଗଲେ ଦୁର୍ବୃତ୍ତ

Published: Oct 16, 2020, 11:56 am IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଚିଲିକା ବ୍ଲକ କୁମାଣ୍ଡଳ ଗ୍ରାମରେ ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ ଗୋଟାଏ ୧୬ କେଭି ଟ୍ରାନ୍ସଫର୍ମରକୁ ଚୋରି କରି ନେଇ ଅନ୍ୟ ଏକ ଟ୍ରାନ୍ସଫର୍ମରକୁ ଚୋରି କଲା ବେଳେ ଲୋକଙ୍କ ହାତରେ ଧରାପଡିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତିରେ  ବର୍ଷାର ସୁଯୋଗ ନେଇ ଚାରି ଜଣ ଦୁର୍ବୃତ୍ତ  ବିଦ୍ୟୁତ ଖୁଣ୍ଟରେ ଚଢି ଦୁଇ ଗୋଟି ଟ୍ରାନ୍ସଫର୍ମରର ବିଦ୍ୟୁତ  ସଂଯୋଗ କାଟି ଦେଇଥିଲେ। ଗୋଟିଏ  ଟ୍ରାନ୍ସଫର୍ମରକୁ ଚୋରି କରିବା ପରେ ପରବର୍ତ୍ତୀ ଟ୍ରାନ୍ସଫର୍ମରକୁ  ଚୋରି କରି ନେବାକୁ ଉଦ୍ୟତ ହେଉଥିବାବେଳେ କିଛି ଗ୍ରାମବାସୀଙ୍କ ହାବୁଡରେ ଏହି ଦୁର୍ବୃତ୍ତମାନେ  ପଡିଥିଲେ। ହେଲେ ଘଟଣାସ୍ଥଳରୁ ତିନିଜଣ ଖସିଯିବାରେ ସକ୍ଷମ ହୋଇଥିବାବେଳେ ଜଣକୁ ଗ୍ରାମବାସୀମାନେ ଧରି ବିଦ୍ୟୁତ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଏ ସଂପର୍କରେ ଖବର ପାଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ସବ୍‌ ଡିଭିଜନ୍‌ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଗ୍ରାମରେ ପହଞ୍ଚି ଦୁର୍ବୃତ୍ତକୁ ଆଣି ବାଣପୁର ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରି ବାଣପୁର ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ  ନିଲୁ ନାୟକ ଓ ତାଙ୍କ ଘର ଟାଙ୍ଗୀ ଥାନା ଅନ୍ତର୍ଗତ ପାରିଓରଡ ଗ୍ରାମ ବୋଲି ଜଣାପଡିଛି। ହେଲେ ବାଣପୁର ପୋଲିସ ଏ ବାବଦରେ କେସ ନମ୍ବର ୩୨୦/୨୦ ରେ ଏକ  ଚୋରି କେସ ରୁଜୁ କରି ତଦନ୍ତ ଜାରିରଖିଛି।

Related posts