ବେଆଇନ ପଥର ଖଣି ଉପରେ ପୁଣି ଟାଙ୍ଗୀ ତହସିଲଦାରଙ୍କ ଚଢ଼ାଉ : ଏକାଧିକ  ଗାଡ଼ି ଏବଂ ଯନ୍ତ୍ରପାତି ଜବତ

Published: Oct 16, 2020, 4:20 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲରେ ବେଆଇନ ପଥର ମାଫିଆଙ୍କ ଉପରେ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ସତେ ଯେମିତି ଅଞ୍ଚଳରୁ ଖଣି ଓ ପଥର ମାଫିଆଙ୍କ ଚି଼ହ୍ନବର୍ଣ୍ଣ ଲିଭେଇବାର ଶପଥ ନେଇଛନ୍ତି ତହସିଲଦାର । ଆଜି ପୂର୍ବାହ୍ନରେ ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ ଗଠନ ହୋଇ ଟାଙ୍ଗୀ ତହସିଲ ଅଧିନସ୍ଥ ଛଣଗିରି ଏବଂ ପାତ୍ରପଡ଼ା ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା।

ଏହି ସମୟରେ ଉକ୍ତ ଦୁଇ ଅଞ୍ଚଳରୁ ଗୋଟାଏ ଟ୍ରକ, ଗୋଟାଏ ଜେ.ସି.ବି, ଦୁଇ ଗୋଟି ଟ୍ରାକ୍ଟର ଏବଂ ଚାରି ଗୋଟି ପାୱାର କଟର ମେସିନ ଜବତ କରିଛନ୍ତି ତହସିଲଦାର । ବାରମ୍ବାର ଟାଙ୍ଗୀ ତହସିଲ ଅଞ୍ଚଳରେ ବେଆଇନ ପଥର ଚାଲାଣ ହେଉଥିବାବେଳେ ବାରମ୍ବାର ଦୁର୍ବୃତ୍ତମାନଙ୍କ ଯୋଜନାକୁ ବିଫଳ କରୁଛି ଟାଙ୍ଗୀ ତହସିଲ । ଟାଙ୍ଗୀ ତହସିଲଦାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ଦେଖି ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହେଲେ ଜବତ ଜିନିଷଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ଜଙ୍କିଆ ଥାନା ଆଇ.ଆଇ.ସିଙ୍କୁ ଘଟଣାସ୍ଥଳରେ ଡ଼ାକିଥିବାର  ସୂଚନା ଦେଇଛନ୍ତି ତହସିଲଦାର ।

Related posts