ବସ୍‌ ଓ ବୋଲେରୋ ଧକ୍କା : ସାତ ମୃତ, 32 ଆହତ

Published: Oct 17, 2020, 9:38 am IST

ଉତ୍ତରପ୍ରଦେଶ :ଉତ୍ତରପ୍ରଦେଶର ପିଲିଭିତ୍‌ ଜିଲ୍ଲାରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବାବେଳେ 32 ଜଣ ଆହତ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ପିଲିଭିତର ପୁରାନାପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବସ୍‌ ଓ ବୋଲୋର ମଧ୍ୟରେ ଧକ୍କା ହେବା ପରେ ସାତ ଜଣଙ୍କର ମୃତ୍ୟୁହୋଇଛି। 32 ଜଣ ଗୁରୁତର ରହିଛନ୍ତି ।  ଯାତ୍ରବାହୀ ବସ୍‌ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ଏକ ବୋଲୋର ଗାଡି ପୁରନପୁର ଯାଉଥିଲା । ତେବେ ସୋହରାମଉ ବର୍ଡର ନିକଟରେ ଦୁଇ ବାହାନ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଧକ୍କା ହେବା ପରେ ବସ୍‌ଟି କ୍ଷେତକୁ ଓଲଟି ପଡିଥିଲା । ବସ୍‌ ଓଲଟିବା ଫଳରେ ଯାତ୍ରୀମାନେ ତଳକୁ ଦବି ଯାଇଥିଲେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ସାତଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।  ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ କେତେଜଣଙ୍କ ସ୍ଥିତି ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)

Related posts