ଦୀର୍ଘ ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ଚାଲିଲା ଡଙ୍ଗା

Published: Oct 18, 2020, 6:00 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : କରୋନାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକ ବନ୍ଦ ରହିଥିଲା। କରୋନା ସଂକ୍ରମଣ ହ୍ରାସକୁ ଦେଖି ସାରା ଦେଶରେ ଅନଲକ୍‌ ପ୍ରକ୍ରିୟା ଚାଲିଛି । ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ଦୀର୍ଘ ସାତ ମାସରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ପୁଣି ଥରେ ନୌକା ବିହାର ପାଇଁ ବାଟ ଫିଟିଛି । ତେବେ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ଦେଇଥିବାର ସୂଚନା ରହିଛି । ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ଡଙ୍ଗାରେ ସର୍ବାଧିକ ନଅ ଜଣ ବ୍ୟକ୍ତିଙ୍କ ଯିବା ଲାଗି ଅନୁମତି ରହିଥିବାବେଳେ କୋଭିଡ୍‌ ଗାଇଡଲାଇନ୍‌କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ୍‌ ନିୟମ ପାଳନ କରି ପର୍ଯ୍ୟଟକଙ୍କୁ ଡଙ୍ଗାରେ ନେବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଏହି ନିୟମ ଉଲ୍ଳଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । ଆଜି ଦିବା ଦଶ ଘଟିକାରେ ଚିଲିକା କୂଳରୁ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି ।

ଉକ୍ତ ସମୟରେ ମା’ କାଳିଜାଇ ମୋଟର ବୋଟ୍‌ ଆସୋସିଏସନ୍, ବାଲୁଗାଁ‌ର ସଭାପତି ଲକ୍ଷ୍ମୀଧର ତରେଇ, ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା, ଉପସଭାପତି ତରଣୀ ବଳବନ୍ତରାୟ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।  ସୂଚନା ଥାଉ କି, ବାରମ୍ବାର ଉକ୍ତ ସଂଘ ଦ୍ବାରା ଜିଲ୍ଲାପାଳଙ୍କୁ ଡଙ୍ଗା ଚଳାଚଳ ପାଇଁ ଅନୁରୋଧ କରାଯାଇଥିଲା  । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ  ଗତ 15 ତାରିଖରୁ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ଚିଲିକାରେ ଡଙ୍ଗା ଚଳାଚଳକୁ ଅନୁମତି ପ୍ରଦାନ କରିଥିବାବେଳେ  ପ୍ରତିକୂଳ ପାଗ ଯୋଗୁଁ ଆଜିଠାରୁ ଚିଲିକାରେ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି ।

Related posts