ସାବଧାନ ରହିଲେ ସଂକ୍ରମଣ ବଢିବନି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Oct 20, 2020, 4:17 pm IST

ଭୁବନେଶ୍ବର :  ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ  ସମ୍ବୋଧନ କରି ପୂଜାରେ ସତର୍କ ରହିବାକୁ  ଅପିଲ୍‌ କରିଛନ୍ତି ।  ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି । ଏଥିପାଇଁ ରାଜ୍ୟବାସୀଙ୍କୁ ବହୁ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡିଛି । କରୋନାକୁ ଦୃଷ୍ଟିରେ ରଖି ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି । ବୟସ୍କ, ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଲଢେଇ କରିପାରିବା । ଓଡ଼ିଶା 6 ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି । ଗତ 15 ଦିନ ହେଲା ରାଜ୍ୟରେ କୋଭିଡ୍‌ କେସ କମିବା ଆରମ୍ଭକରିଛି । ସେପ୍ଟେମ୍ବର 26ରେ 4 ହଜାରରୁ ଅଧିକ ଥିଲା, ଏବେ 2 ହଜାର ତଳେ ରହିଛି । ପିଜିଟିଭିଟି ରେଟ୍‌ ବି କମିଛି, ଆଗକୁ ଆହୁରି କମିବ ।

ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା, ଦୈନିକ ଶହ ଶହ ବାହାରୁଥିଲେ । ଲୋକଙ୍କସହଯୋଗ, କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞ୍ଜାମ, ଗଜପତିରେ ସଂକ୍ରମଣ କମିଛି, ଅନ୍ୟ ପାଇଁ ପ୍ରେରଣା ପାଲଟିଛି ।  କିନ୍ତୁ ଏଥିରେ ଆତ୍ମସନ୍ତୋଷ ନ କରି ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । ମେଡିସିନ୍‌ ଓ ଭ୍ୟାକସିନ୍‌  ଆସିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ ।

ବ୍ରିଟେନ୍‌, ଫ୍ରାନ୍ସରେ ସଂକ୍ରମଣ ପୁଣି ଅଧିକ ଭୟଙ୍କର ଭାବେ ବଢିଛି ।ଏବେ ସେମାନେ ପୁଣି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌କୁ ଫେରିଲେଣି । ଆମେରିକା ପରେ ଭାରତ ଏବେ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଅଛି । ଓନାମ ପର୍ବ ପାଇଁ କେରଳରେ ସଂକ୍ରମଣ ତିନିଗୁଣ ବଢି ଯାଇଛି । ଶୀତଋତୁରେ କରୋନା ଅଧିକ ଭୟଙ୍କର ରୂପ ନେବ ବୋଲି ଏକ୍ସପର୍ଟ ମତ ଦେଇଛନ୍ତି।ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି । ଏହି ସମୟରେ ଘରେ ରହି ପୂଜା କରନ୍ତୁ । ଏହି ସମୟରେ ସମସ୍ତେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିତ ଦୂରତା ମାନିବା ସହ ହାତକୁ ସାବୁନରେ ଧୋଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପୂଜା ସମୟରେ ସର୍ବସାଧାରଣ ଜାଗାରେ ଭିଡ୍‌ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ବ ରଖନ୍ତୁ । ହାତ ଧୁଅନ୍ତୁ  । ଆମେ ସାବଧାନ ରହିଲେ ଆଉ ସଂକ୍ରମଣ ବଢିପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts