ଯୁବକଙ୍କୁ ନିର୍ମମ ହତ୍ୟା: ଜଣେ ଅଟକ

Published: Oct 28, 2020, 10:40 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ସକାଶେ ଗୋଳନ୍ଥରା ଥାନା ଘଟକା ନଦୀ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାଖଆଖ ଲୋକେ ଏହାକୁ ପଞ୍ଚମା ଗ୍ରାମର ଗୌରାଙ୍ଗ ମଣ୍ଡଳ (୩୪) ବୋଲି ଚିହ୍ନଟ କରିବା ପରେ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ଗୌରାଙ୍ଗଙ୍କ ଦେହରେ ଗଭୀର ଆଘାତ, ମୁଣ୍ଡରେ ଆଘାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସଂଦେହ ହୋଇଥିଲା। ମୃତ ଗୌରାଙ୍ଗଙ୍କ ଘର ପଞ୍ଚମା ହୋଇଥିବାବେଳେ ସେ ସୋମବାରଦିନଠାରୁ ନିଖୋଜ ଥିଲେ। ଶବ ମିଳିଲା ପରେ ପରିବାର ଲୋକେ ଗୌରାଙ୍ଗଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଗୋଳନ୍ଥରା ପୋଲିସ ୩୦୬/୨୦ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଥିବାବେଳେ ଏନେଇ ପଞ୍ଚମା ଗ୍ରାମର ଶିବ ମଣ୍ଡଳକୁ ଅଟକ ରଖିଥିବା ଜଣାପଡ଼ିଛି। ଉଭୟ ଗୌରାଙ୍ଗ ଏବଂ ଶିବ ଏକତ୍ର କାମ କରୁଥିବାବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଗଣ୍ଡଗୋଳଟି ହିଂସ୍ରକ ରୂପ ନେଇଥାଇପାରେ ବୋଲି ସଂଦେହ କରାଯାଉଛି। ତେବେ ପୋଲିସ୍ ଶିବକୁ ଗିରଫ କରିନଥିବାବେଳେ ଅଧିକ ଅନୁସନ୍ଧାନ ଜାରି ରଖିଥିବା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।

Related posts