ଗଂଜାମକୁ ଲେଉଟିଲା କରୋନା: ଆଜି ୬୧ ଚିହ୍ନଟ

Published: Nov 3, 2020, 10:50 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛି ମାସ ମଧ୍ୟରେ ସର୍ବାଧିକ କରୋନା ରୋଗୀ ଆଜି ଗଂଜାମରେ ଚିହ୍ନଟ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ୱେ ଲୋକେ ସଚେତନ ନହେବାରୁ ଗଂଜାମରେ ବୋଧହୁଏ କରୋନାର ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଗଲାଣି। ଶୀତଦିନରେ ଅଧିକ ସଚେତନ ରହିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ୱେ କରୋନା ଚାଲିଯାଇଛି ଭାବି ଲୋକେ ସଚେତନ ହେଉନାହାନ୍ତି। ରାସ୍ତା, ଦୋକାନଘାଟ, ବଜାର, ପରିବାର ମାର୍କେଟ, ମାଛ ମାର୍କେଟ, ଅଟୋ, ବସ୍‌, ରିକ୍‌ସା ସବୁଠେ ଅହେତୁକ ଭିଡ଼। ସାମାଜିକ ଦୂରତାକୁ ଫୁ କରି ଲୋକେ ଉଡ଼ାଇ ଦେଇଛନ୍ତି। ଜଣେ ବି ମାସ୍କ ପନ୍ଧୁଥିବା ବଜାର ଘାଟରେ ଦେଖିବାକୁ ମିଳିନାହିଁ। ଫଳରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୩୯୦୦ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୬ ସ୍ଥାନୀୟ ଓ ୫ ଜଣ କରୋନା ଯୋଦ୍ଧା ଅଛନ୍ତି।

ବ୍ରହ୍ମପୁର ମହାନଗର ନିଗମରେ ସର୍ବାଧିକ ୨୦ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ୩ ଜଣ କରୋନା ଯୋଦ୍ଧା ରହିଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରେ ୨, ଭଂଜନଗରରେ ୧, ବୁଗୁଡ଼ାରେ ୪, ଛତ୍ରପୁରରେ ୧, ଧରକୋଟରେ ୨, ଦିଗପହଣ୍ଡିରେ ୧, ଗଂଜାମରେ ୨, ହିଂଜିଳିକାଟୁରେ ୩, ଜଗନ୍ନାଥପ୍ରସାଦ ୧, କୁକୁଡ଼ାଖଣ୍ଡିରେ ୪, ପାତ୍ରପୁରରେ ୧, ପୋଲସରାରେ ୧, ପୁରୁଷୋତ୍ତମପୁରରେ ୧, ରଙ୍ଗେଇଲୁଣ୍ଡାରେ ୬, ଶେରଗଡ଼ରେ ୩, ସୋରଡ଼ାରେ ୨, ଅନ୍ୟାନ୍ୟ ୧ ଅଛନ୍ତି।

Related posts