କାର୍ଯ୍ୟାନୁଷ୍ଠାନ ଭୟରେ ଚିଲିକାରେ ରାତିଅଧିଆ ରାସ୍ତା କାମ କଲେ ଜିଆରଏସ୍‌

Published: Nov 6, 2020, 2:22 pm IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା: କାର୍ଯ୍ୟାନୁଷ୍ଠାନ ଭୟରେ ରାତାରାତି ଅନ୍ଧାରରେ କାମ ସାରିଦେଲେ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଅନ୍ତର୍ଗତ ପରବଳ ଗ୍ରାମ କଥା। ପରବଳ ଅଙ୍ଗନବାଡି କେନ୍ଦ୍ରରୁ ମା ଉତ୍ତରାୟିଣି ମନ୍ଦିର ଯାଏଁ ଅନୁମୋଦିତ ହୋଇଥିବା ମୋରମ ରୋଡ଼ ପାଇଁ ଆସିଥିବା ୨ ଲକ୍ଷ ଅର୍ଥରାଶିରୁ କିପରି ବିନା କାମରେ ୭୬ ହଜାର ୭୯୭ ଟଙ୍କା ଉଠାଯାଇଛି ତାହା ପ୍ରମାଣ ସହ ଗତ ଦୁଇଦିନ ତଳେ ସମୀକ୍ଷା ସମେତ ଅନ୍ୟ ଗଣମାଧ୍ୟମରେ ଏନେଇ ଏକ ଖବର ପ୍ରସାରଣ କରାଯାଇଥିଲା।

ଖବର ପ୍ରସାରିତ ହେବାପରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭୟରେ ଜନୈକ ଜି.ଆର.ଏସ ଦୁଇ ରାତି ହେଲା ଲୁଚା ଚୋରାରେ ଉକ୍ତ ରୋଡରେ ଜେସିବି ଏବଂ ଟ୍ରାକ୍ଟର ଦ୍ୱାରା ମାଟିପକାଉଥିବାର ସୂଚନା ମିଳିଛି। ତେବେ ଆମ ପ୍ରତିନଧି ଗତକାଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତଙ୍କୁ ଏ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ପଚାରିବାରୁ ଆଜି ସମ୍ପୃକ୍ତ ସ୍ଥଳ ପରିଦର୍ଶନ ପାଇଁ ତଦନ୍ତକାରୀ ଦଳ ହରିପୁର ପଞ୍ଚାୟତ ଆସିବେ ବୋଲି ସୂଚନା ଦେଇଥିଲେ।

ଅପରପକ୍ଷରେ ତଦନ୍ତକାରୀ ଦଳ ଆସିବା ପୂର୍ବରୁ ଚୋରାରେ ସମ୍ପୃକ୍ତ ରୋଡ଼ରେ ମାଟି ପକାଇ ସରକାରଙ୍କ ସମ୍ମୁଖରେ ଭଦ୍ର ସାଜିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି ଜି.ଆର.ଏସ ସନ୍ତୋଷ ଜେନା। ତେବେ ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ଜିଆରଏସ୍‌ ମହୋଦୟ କାର୍ଯ୍ୟ କରିବା ପାଇଁ ତତ୍ପର ହେବା ଭଲ କଥା। କିନ୍ତୁ ଦୁର୍ନୀତିକୁ ଲୁଚାଇବାକୁ ଯାଇ ଆଉ ଏକ ଦୁର୍ନୀତି କରିବା ବଡ଼ ଅପରାଧ। ଜିଆରଏସ୍‌ ମହୋଦୟ ନିଜ କର୍ତ୍ତବ୍ୟକୁ ବୁଝି ଦାୟିତ୍ବ ସମ୍ପାଦନ କରିବା ଉଚିତ୍‌।

ଅପରପକ୍ଷରେ ତଦନ୍ତକାରୀ ଦଳ ଅଥବା ପିଡି ମହୋଦୟ ସମ୍ପୃକ୍ତ କାମକୁ ସଠିକ୍‌ ଭାବରେ ଅନୁସନ୍ଧାନ କରି ସତ୍ୟକୁ ସାମ୍ନାକୁ ଆଣିବେ ବୋଲି ଆମର ଆଶା। ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳ ମହୋଦୟ ଉକ୍ତ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦେବେ ବୋଲି ସ୍ଥାନୀୟବାସୀ ଆଶା ପ୍ରକଟ କରିଛନ୍ତି।

Related posts