କରୋନା ମୁକାବିଲା ପାଇଁ ସାତୋଟି ରାଜ୍ୟକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଜାଣନ୍ତୁ କ’ଣ କହିଲେ

Published: Nov 12, 2020, 1:24 pm IST

ନୂଆଦିଲ୍ଳୀ : ଦେଶରେ କରୋନା ସଂକ୍ରମଣ କମି କମି ଆସିଥିବା ବେଳେ ସାତୋଟି ରାଜ୍ୟରେ ଏହି ସଂକ୍ରମଣ ଅଧିକ ହେଉଛି । ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କରୋନା ମୁକାବିଲା ପାଇଁ ଏହି ସାତୋଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ କେଉଁଭଳି ଭାବରେ କରୋନା ମୁକାବିଲା କରିହେବ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ହର୍ଷବର୍ଦ୍ଧନ । ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ଏବଂ ଗୋଆର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହିତ ଏହି ଆଲୋଚନା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧି, ଅଧିକ ସଂକ୍ରମଣ ରହିଥିବା ସ୍ଥାନମାନଙ୍କରେ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ ଏକତ୍ରୀକରଣ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ହର୍ଷବର୍ଦ୍ଧନ ।

କରୋନା ପରିଚାଳନା ବ୍ୟବସ୍ଥାକୁ ଉନ୍ନତ କରିବା ସହିତ 24, 48 ଓ 72 ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା କମ କରିବା ପାଇଁ ହର୍ଷବର୍ଦ୍ଧନ ପ୍ରସ୍ତାବ ଦେଇଥିଲେ । ମହାରାଷ୍ଟ୍ରରେ ମୃତ୍ୟୁ ହାର 2.6  ପ୍ରତିଶତ ରହିଥିବା ବେଳେ କେବଳ ମୁମ୍ବାଇରେ ଏହା 3.5 ପ୍ରତିଶତ ରହିଛି । ଉତ୍ତରାଖଣ୍ଡରେ ମୃତ୍ୟୁହାର 1.64 ପ୍ରତିଶତ ରହିଛି । ସେହିପରି ମଣିପୁର ଏବଂ ମିଜୋରାମରେ ପଜିଟିଭିଟି ହାର ଦିନକୁ ଦିନ ଦ୍ୱିଗୁଣିତ ହେବାରେ ଲାଗିଛି ।

Related posts